30.1 C
Bhubaneswar
Friday, April 26, 2024
Homeଓଡିଶାମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା

ଭୁବନେଶ୍ୱର: ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ, ୧୯୮୯ ଆଧାରରେ ନୂଆକରି ଗଠିତ ହୋଇଥିବା ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ବୁଧବାର ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ(ୟୁଜିସି) ମାନ୍ୟତା ମିଳିଛି । ୟୁଜିସି ଅଧିନିୟମ, ୧୯୫୬ ଅନୁଯାୟୀ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ତାଲିକାଭୁକ୍ତ କରାଯାଇଛି ଏବଂ ଏବେଠାରୁ ଏହାର ସମସ୍ତ ପାଠ୍ୟକ୍ରମ ୟୁଜିସି ଗାଇଡ଼ଲାଇନ ସହ ଅନୁବନ୍ଧିତ ହୋଇ ଚାଲିବ । ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଏକ ସ୍ପିଡ୍ ପୋଷ୍ଟ ଜରିଆରେ ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଅବଗତ କରାଯାଇଛି। କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ବିଷୟରେ ଟ୍ୱିଟ୍‌କରି ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ।  ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍‌) ଅନୁଯାୟୀ ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ(ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରିଛି । ୟୁଜିସି ଅଧିନିୟମ୧୯୫୬, ଧାରା ୧୨(ବି) ଅନୁସାରେ ଏହି ବିଶ୍ୱବିଦ୍ୟାଳୟ ଖୁବଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ ।

ଏହା ନିଶ୍ଚିତ ଭାବରେ ଓଡ଼ିଶାର ଆଇନ ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ନୂଆ ପରିଚୟ ଦେବ ଏବଂ ରାଜ୍ୟରେ ଆଇନ ଶିକ୍ଷାର ମାନ ବଢ଼ାଇବ । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ନିକଟକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟରୁ ଆସିଥିବା ଚିଠିରେ ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ, ୧୯୮୯ ଆଧାରରେ ରାଜ୍ୟ ସରକାର ଏହାକୁ ବିଶ୍ୱବିଦ୍ୟାଳୟ ଘୋଷଣା କରିଛନ୍ତି । ତେବେ ସମାନ ଆଇନର ଧାରା ୩୨(୪) ଅନୁଯାୟୀ ରାଜ୍ୟ ସରକାର ଏହାକୁ ବିଧାନସଭାରେ ଉପସ୍ଥାପିତ କରିବାର ଆବଶ୍ୟକତା ରହିଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଏହି ବିଶ୍ୱବିଦ୍ୟାଳୟ କେବଳ ରାଜ୍ୟ ଭିତରେ ଏବଂ ଏହାର ଆଞ୍ଚଳିକ କ୍ଷେତ୍ର ମଧ୍ୟରେ କାର୍ଯ୍ୟ କରିବ । ଘରୋଇ ଶିକ୍ଷାନୁଷ୍ଠାନ ସହ ଅନୁବନ୍ଧିତ କରି ଏହା କୌଣସି ପାଠ୍ୟକ୍ରମ ପ୍ରଦାନ କରିପାରିବ ନାହିଁ ।

ଏପରିକି କୌଣସି ଠାରେ ଅନୁବନ୍ଧିତ ଷ୍ଟଡି ସେଣ୍ଟର ମଧ୍ୟ ଖୋଲିପାରିବ ନାହିଁ । ଯଦି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବରୁ ଏଭଳି କିଛି କାର୍ଯ୍ୟକ୍ରମ ଗ୍ରହଣ କରିସାରିଛନ୍ତି ତେବେ ତାହାକୁ ବନ୍ଦ କରିବାକୁ ପଡ଼ିବ । ସେହିଭଳି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୟୁଜିସିର ବିନା ଅନୁମତିରେ କୌଣସି ଓପନ୍ କିମ୍ବା ଡିଷ୍ଟାନ୍ସ ପାଠ୍ୟକ୍ରମ ଆରମ୍ଭ କରିପାରିବେ ନାହିଁ । ଏମ୍‌ଫିଲ୍ ଏବଂ ପିଏଚ୍‌ଡି ପାଠ୍ୟକ୍ରମ ୟୁଜିସିର ପ୍ରାବଧାନ ଆଧାରରେ ପ୍ରଦାନ କରାଯାଇରିବ । ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ସମ୍ପର୍କରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ  ପ୍ରଥମେ ୨୦୨୦ ମାର୍ଚ୍ଚ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୦ ଜୁନ୍ ୧୧ରେ ଏହା କାର୍ଯ୍ୟକାରୀ ହେବାର ଥିଲା । ମାତ୍ର, ବିଭିନ୍ନ କାରଣରୁ ପ୍ରକ୍ରିୟାଟି ପ୍ରାୟ ବର୍ଷେ ବିଳମ୍ବ ହୋଇଯାଇଥିଲା ।

ଶେଷରେ ଚଳିତ ବର୍ଷ ଏପ୍ରିଲ୍ ୨୮ ତାରିଖରେ ମଧୁ ବାବୁଙ୍କ ଜୟନ୍ତୀ ଦିନ ରାଜ୍ୟ ସରକାର ନିଜର ପ୍ରତିଶ୍ରୁତି ପାଳନ କରିବା ସହ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ, ୧୯୮୯ ଅନୁଯାୟୀ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା କରିଥିଲେ । ଏଥିସହ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଆଇନ ମହାବିଦ୍ୟାଳୟଗୁଡ଼ିକ ମଧୁସୂଦନ ବିଶ୍ୱବିଦ୍ୟାଳୟ ଅଧିନକୁ ଆସିବା ନେଇ ସରକାର ଜଣାଇଥିଲେ । ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଲଗ୍ନ ଆଇନ ମହାବିଦ୍ୟାଳୟଗୁଡ଼ିକୁ ବାଦ୍‌ଦେଇ ସମସ୍ତ ଘରୋଇ ଓ ସରକାରୀ ଆଇନ ମହାବିଦ୍ୟାଳୟ ଏହା ଅଧିନରେ ରହିବେ । ନିକଟରେ ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି ଭାବେ ପ୍ରଫେସର ଡ଼ଃ କମଲଜିତ ସିଂହଙ୍କୁ ନିଯୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking