31.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶ୨୦୧୯ ତୁଳନାରେ ଏଥର ଅଧିକ ଆସନରେ ବିଜୟୀ ହେବୁ: ପି. ଚିଦାମ୍ବରମ୍‌

୨୦୧୯ ତୁଳନାରେ ଏଥର ଅଧିକ ଆସନରେ ବିଜୟୀ ହେବୁ: ପି. ଚିଦାମ୍ବରମ୍‌

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ଏଥର ଅର୍ଥାତ୍ ୨୦୨୪ ଲୋକସଭା ନିର୍ବାଚନରେ ଆମେ ଅଧିକ ଆସନରେ ବିଜୟୀ ହେବୁ । ବିଭିନ୍ନ ନ୍ୟୁଜ୍ ସଂସ୍ଥା ପକ୍ଷରୁ କରାଯାଉଥିବା ପ୍ରାକ୍ ନିର୍ବାଚନୀ ସର୍ଭେ ଫଳାଫଳ ରିପୋର୍ଟରେ ବିଜେପି ଏଥର ମଧ୍ୟ ବୃହତ୍ ମାର୍ଜିନ୍‌ରେ ବିଜୟୀ ହେବ ବୋଲି ଦର୍ଶାଯାଉଥିବା ବେଳେ ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ନିର୍ବାଚନୀ ଇସ୍ତାହାର କମିଟିର ସଦସ୍ୟ ପି. ଚିଦାମ୍ବରମ୍ ଏପ୍ରକାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଚିଦାମ୍ବରମ୍‌ଙ୍କ ଅନୁସାରେ କଂଗ୍ରେସ ଏଥର ବେଶ୍ ଭଲ ପ୍ରଦର୍ଶନ କରିବ ବୋଲି ସେ ଦୃଢ଼ ଆଶାବାଦୀ ।

ଏତଦ୍‌ବ୍ୟତୀତ ଚିଦାମ୍ବରମ୍‌, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୦୨୪ ଲୋକସଭା ନିର୍ବାଚନର ଜଣେ ପ୍ରମୁଖ ଖେଳାଳୀ ଭାବେ ବିବେଚନା ମଧ୍ୟ କରିଛନ୍ତି । ପଶ୍ଚିମବଙ୍ଗ ଭଳି ଏକ ଦୁର୍ଗରେ ବିଜେପିକୁ ପରାଜିତ କରିବାର ସାମର୍ଥ୍ୟ ରଖୁଥିବା ମମତା, ଇଣ୍ଡିଆ ମଞ୍ଚ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଚିଦାମ୍ବରମ୍ କହିଛନ୍ତି । ସେହିପରି କେରଳ ଏବଂ ତାମିଲନାଡୁ ଭଳି ରାଜ୍ୟରେ ମଧ୍ୟ ଇଣ୍ଡିଆ ମଞ୍ଚ୍ ବେଶ୍ ଭଲ ପ୍ରଦର୍ଶନ କରିବ ବୋଲି ଚିଦାମ୍ବରମ୍ ପୂର୍ବାନୁମାନ କରିଛନ୍ତି । ଚିଦାମ୍ବରମ୍‌ଙ୍କ ଅନୁସାରେ କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ କଂଗ୍ରେସ ସରକାର ବେଶ୍ ଲୋକପ୍ରିୟ ରହିଛି । ସୁତରାଂ ଏହି ଦୁଇ ରାଜ୍ୟରେ ମଧ୍ୟ କଂଗ୍ରେସ ଏଥର ବେଶ୍ ଭଲ ପ୍ରଦର୍ଶନ କରିବ । ଏତଦ୍‌ବ୍ୟତୀତ ହରିଆଣା, ଉତ୍ତରପ୍ରଦେଶ, ବିହାର , ଝାଡଖଣ୍ଡ ଏବଂ ଦିଲ୍ଲୀ ଆଦି ରାଜ୍ୟରେ ମଧ୍ୟ ଇଣ୍ଡିଆ ମଞ୍ଚ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଅଛନ୍ତି । ତେବେ ଦେଶର ବାକି ରାଜ୍ୟରେ କଂଗ୍ରେସର ଫଳାଫଳ ସମ୍ପର୍କରେ କୌଣସି ମତାମତ ଦେବାକୁ ସେ ନିଜ ଅସମର୍ଥତା ପ୍ରକାଶ କରିଛନ୍ତି ।

ପିଟିଆଇକୁ ଏକ ସାକ୍ଷାତକାର ଦେବା ଅବସରରେ ଚିଦାମ୍ବରମ୍ କହିଛନ୍ତି, ହିନ୍ଦୁତ୍ୱ କିମ୍ବା ହିନ୍ଦୁ କଦାପି ବିପଦରେ ନଥିଲା କିମ୍ବା ଏବେ ବି ନାହିଁ । ବିଜେପି ହିଁ କଂଗ୍ରେସ ବିରୋଧରେ ଏପ୍ରକାର ପ୍ରଚାର କରିବାରେ ଲାଗିଛି । ଏହା ବିଜେପିର କାଲ୍‌କୁଲେଟେଡ୍ ଷ୍ଟ୍ରାଟେଜୀ ବା ଏକ ରାଜନୈତିକ ଯୋଜନା । ସମସ୍ତ ବିରୋଧୀ ଦଳଙ୍କୁ ହିନ୍ଦୁ ବିରୋଧୀ ଦର୍ଶାଇବାର ଏକ କୁତ୍ସିତ ରାଜନୈତିକ ଖେଳ (ଡାର୍ଟି ପଲିଟିକ୍ସ) ବିଜେପି ଖେଳୁଛି । ବିରୋଧୀ ଦଳଗୁଡ଼ିକ ହିନ୍ଦୁତ୍ୱ ବିରୋଧୀ ବୋଲି ଏକ ଭ୍ରାନ୍ତ ଧାରଣାକୁ ଦେଶବାସୀଙ୍କ ମନ, ମସ୍ତିଷ୍କରେ ସୃଷ୍ଟି କରିବା ପାଇଁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକୁଟିଆ ହିନ୍ଦୁବାଦର ସୁରକ୍ଷାକାରୀ ନେତା ବୋଲି ଦର୍ଶାଇବା ପାଇଁ ବିଜେପି ଅହରହ ଚେଷ୍ଟା ଜାରି ରଖିଛି । ସୂଚନାଯୋଗ୍ୟ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ମାତ୍ର ୫୨ଟି ଲୋକସଭା ଆସନ ହିଁ ଜିତିପାରିଥିଲା । ଅନ୍ୟପକ୍ଷେ ସେସମୟରେ ୩୦୦ରୁ ଅଧିକ ଆସନରେ ବିଜୟୀ ହୋଇଥିବା ବିଜେପି ଏଥର (୨୦୨୪) ପାଇଁ ୩୭୦ରୁ ଅଧିକ ଆସନର ଲକ୍ଷ୍ୟ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking