32.1 C
Bhubaneswar
Friday, April 26, 2024
Homeଓଡିଶା୧୪ ବର୍ଷ ବୟସରେ ପାଗଳୀ ମା'ର ବୋଝ

୧୪ ବର୍ଷ ବୟସରେ ପାଗଳୀ ମା’ର ବୋଝ

ରାଇଘର : ବୟସ ମାତ୍ର ୧୪ । ପାଠପଢ଼ା ସହିତ ଘର ଦାୟିତ୍ୱ ନିଜେ ମୁଣ୍ଡେଇ ଥିବା ବେଳେ ଏବେ ପାଗଳୀ ମା’ର ବୋଝ । ଏଭଳି ଏକ ଦୁଃଖଦ କାହାଣୀ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁମୁଲି (ଡିଏନକେ) ଗ୍ରାମର ରାଖଲ ସମଦାରଙ୍କ ଜୀବନରେ ଘର କରି ରହିଛି ।
ସୂଚନା ଅନୁଯାୟୀ, କୁମୁଲି (ଡିଏନକେ) ଗ୍ରାମର ଉପେନ ସମଦାର ଝିଅ ମଙ୍ଗଳି ସମଦାରକୁ ରାଜସ୍ଥାନର ଅନାମ ସମଦାର ଦୀର୍ଘ ୧୫ ବର୍ଷ ପୂର୍ବେ ଉମରକୋଟରେ କୋର୍ଟ ବିବାହ କରିଥିଲେ । ତା’ ପରେ ଦୁହେଁ ରାଜସ୍ଥାନକୁ ଚାଲିଯାଇଥିଲେ । ସେଠାକୁ ଯିବାର ୮ ମାସ ପରେ ସ୍ୱାମୀ ଅନାମ ଅନ୍ୟ ଜଣେ ସମ୍ପର୍କୀୟା ସୁଜାତାଙ୍କ ସହିତ ମଙ୍ଗଳିକୁ ବାପା ଘର କୁମୁଲିକୁ ପଠାଇ ଦେଇଥିଲେ । ଅନାମ ଫେରିବାକୁ କହି ଆଉ ଓଡ଼ିଶାକୁ ଫେରିଲେ ନାହିଁ । ଇତିମଧ୍ୟରେ ମଙ୍ଗଳି ଗର୍ଭବତୀ ଥିଲେ । ବାରମ୍ବାର ଫୋନ୍ ଯୋଗେ ସ୍ୱାମୀଙ୍କୁ ଡାକିବାରୁ ଅନାମ ନିଜ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବି ଆଉ ସେଠାକୁ ଯାଇପାରିବି ନାହିଁ ବୋଲି ରୋକ ଠୋକ ମନା କରିଥିଲେ । ଏଥିରେ ମଙ୍ଗଳିକୁ ମାନସିକ ସ୍ତରରେ ଶକ୍ତ ଧକ୍କା ଲାଗିଥିଲା । ମଝିରେ ମଝିରେ ସେ ଏକ ପ୍ରକାର ପାଗଳୀ ହୋଇଯାଉଥିଲେ । ଶେଷରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପୁଅ ରାଖଲକୁ ଏବେ ୧୪ ବର୍ଷ । ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛି । ମା’ ପାଗଳୀ ହୋଇଥିବାରୁ ରାଖଲ ପାଠପଢ଼ା ସହିତ ପରିବାର ପୋଷଣର ଦାୟିତ୍ୱ ଉଠାଇ ଆସୁଛି । ରାଖଲ ପର ଘରେ ମୁଲ ଲାଗି ଯାହା ମିଳେ ସେଥିରେ ଘର ଚଳେ । ମଙ୍ଗଳିଙ୍କ ମାନସିକ ଅବସ୍ଥା ସବୁବେଳେ ଭଲ ରହୁନଥିବା ସହିତ ସେ ପାଗଳି ହୋଇ ରହୁଥିବାରୁ ମା’ର ଦାୟିତ୍ୱ ମଧ୍ୟ ରାଖଲକୁ ନେବାକୁ ପଡୁଛି । ଅଳ୍ପ ବୟସରୁ ଏଭଳି ଗୁରୁ ଦାୟିତ୍ୱ ନେଇ ରାଖଲକୁ ତୁଲାଇବାରେ ବହୁତ କଷ୍ଟ ସହିବାକୁ ପଡୁଛି ।
ମଙ୍ଗଳିଙ୍କ ବାପା ୧୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ । ବାପାଙ୍କ ମୃତ୍ୟୁପରେ ଭାଇ ପ୍ରହଲ୍ଲାଦ ସମଦାର ଛତାବେଡ଼ା ଗ୍ରାମରେ ରହି ବେଳେ ବେଳେ ରାଖଲକୁ କିଛି କିଛି ସାହାଯ୍ୟ କରି ଆସୁଛନ୍ତି । କିନ୍ତୁ ଦୂରରେ ଥାଇ ସବୁବେଳେ ସାହାଯ୍ୟ ସହଯୋଗ କରିବା ସମ୍ଭବପର ହୋଇପାରୁନଥିବା ଯୋଗୁଁ ରାଖଲ ଏବେ ପରିବାରର ବୋଝ ନେଇ ସଂଗ୍ରାମ କରି ଆସୁଛି । ମଙ୍ଗଳି ସମଦାରଙ୍କ ଆଉ କେହି ସମ୍ପର୍କୀୟ ନଥିବାରୁ ଜଣେ ଗାଁ ସମ୍ପର୍କୀୟଙ୍କ ଘର ପଛପଟେ ଝାଟିମାଟି ଘରକରି ରହୁଛନ୍ତି । ଏବେ ସବୁବୋଝ ରାଖଲ ସମଦାର ଉପରେ । ପାଠ ପଢ଼ିବା ସଙ୍ଗେ ସଙ୍ଗେ ଅନ୍ୟ ଘର କୁଲି ଯାଇ ରୋଜଗାର କରି ପରିବାର ଭରଣ ପୋଷଣ କରି ଆସୁଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ବର୍ଷା ଦିନେ ଘରସାରା ପାଣି ପସୁଥିବାରୁ ଚୁଲି ଜଳି ପାରେନି । ସେଦିନ ଦୁହେଁ ଭୋକ ଉପାସରେ ରହିବାକୁ ପଡୁଛି ବୋଲି ରାଖଲ ସମଦାର ଭାବବିହ୍ୱଳ ହୋଇ କହିଛନ୍ତି । ଯଥାଶୀଘ୍ର ସେମାନଙ୍କୁ ଖଣ୍ଡିଏ ଘର ଏବଂ ମଙ୍ଗଳି ସମଦାରଙ୍କ ମାନସିକ ବିକୃତର ସଠିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking