31.1 C
Bhubaneswar
Friday, March 29, 2024
Homeଅପରାଧଅଭିଯୁକ୍ତ ସ୍ୱାମୀ, ସ୍ତ୍ରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ଅଭିଯୁକ୍ତ ସ୍ୱାମୀ, ସ୍ତ୍ରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ମଶିଣାଗୋରା ଗ୍ରାମରେ ୨୦୧୦ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ବୌଦ୍ଧ ଜିଲ୍ଲା ଦୌରାଜଜ୍ ଅରବିନ୍ଦ କୁମାର ଗୁରୁ ମାମଲାକୁ ବିଚାର କରି ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀକୁ ଆଜୀବନ କାରାଦଣ୍ଡାଦେଶ ଆଦେଶ ପ୍ରଦାନ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ୨୦୧୦ ମସିହା ଡିସେମ୍ବର ୫ ରିଖରେ ମଶିଣାଗୋରା ଗ୍ରାମର ବିପିନ କର୍ମୀଙ୍କ ୪ ବର୍ଷର ପୁଅ ତପନ କର୍ମୀ ନିଜ ଘରର ଚାଳ ଉପରେ ବସିଥିବା ବିଲେଇକୁ ଏକ ପଥର ମାରିଥିଲା । କିନ୍ତୁ ପଥରଟି ବିଲେଇ ଦେହରେ ନବାଜି ପଡ଼ିଶା ଘର ସତ୍ୟନାରାୟଣ କଲତା (୪୦)ଙ୍କ ଘରେ ପଡ଼ିଥିଲା । ପଥର ପଡ଼ିବା ଘଟଣାକୁ ନେଇ ଅଭିଯୁକ୍ତ ସତ୍ୟନାରାୟଣର ସ୍ତ୍ରୀ ଠୁସୁ କଲତା (୩୮) ଓ ବିପିନି କର୍ମୀଙ୍କ ଭଉଣୀ ଅଞ୍ଜନା କର୍ମୀ ଓ ସ୍ତ୍ରୀ କର୍ପୁର କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ପରେ ଅଭିଯୁକ୍ତ ଠୁସୁ ତାଙ୍କ ସ୍ୱାମୀକୁ ଡାକି ଦେଖିନେବ କହି ସେଠାରୁ ପଳାଇଥିଲା । କିଛି ସମୟ ପରେ ଅଭିଯୁକ୍ତ ସତ୍ୟନାରାୟଣ ଓ ଠୁସୁ ବିପିନିର ଘର ଆଗରେ ଜଗିରହି ବାହରକୁ ବାହର କହି ପାଟିକଲେ । ଏହା ଦେଖି ବିପିନିର ସ୍ତ୍ରୀ କର୍ପୁର ଓ ଭଉଣୀ ଅଞ୍ଜନା ପ୍ରତିବାଦ କରିବାରୁ ଅଭିଯୁକ୍ତ ସତ୍ୟନାରାୟଣ ଓ ଠୁସୁ ଏକ କୋଡ଼ି ଦ୍ୱାରା କର୍ପରୁ ଓ ଅଞ୍ଜନାର ମୁଣ୍ଡକୁ ବାରମ୍ବାର ଚୋଟ ମାରିଲେ । କୋଡ଼ି ମାଡ଼ରେ କର୍ପୁର ଓ ଅଞ୍ଜନା ରକ୍ତାକ୍ତ ହୋଇ ତଳେ ପଡ଼ିଗଲେ । ପରେ ଆକ୍ରମଣକାରୀ ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣା ଶୁଣି ବିପିନି ଆସିବାରୁ ରକ୍ତାକ୍ତ ହୋଇପଡ଼ିଥିବା ସ୍ତ୍ରୀ କର୍ପୁର ଓ ଭଉଣୀ ଅଞ୍ଜନାକୁ ସଙ୍ଗେ ସଙ୍ଗେ କଣ୍ଟାମାଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରୁ ଗୁରୁତର ହେବାରୁ ଉଭୟଙ୍କୁ ସୋନପୁର ମେଡିକାଲକୁ ନିଆଯାଇଥିଲା । ସୋନପୁର ଠାରେ ଚିକିତ୍ସାଧୀନ ଅବସ୍ଥାରେ ଭଉଣୀ ଅଞ୍ଜନା କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ କର୍ପୁରକୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ତ୍ରୀ କର୍ପୁର ବୁର୍ଲା ମେଡିକାଲରେ ଦୀର୍ଘ ୧ ମାସ ଧରି ଚିକିତ୍ସା ହେବାପରେ ଭଲ ନ ହେବାରୁ ଡାକ୍ତର ଫେରାଇ ଦେବାରୁ ବିପିନି ତାକୁ ଘରକୁ ନେଇଆସିଥିଲା ଓ ସ୍ତ୍ରୀ କର୍ପୁରର ଘରେ ମୃତ୍ୟୁ ଘଟିଥିଲା । ଏନେଇ ବିପିନ ତା ୫.୧୨.୨୦୧୦ ରିଖରେ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ କଣ୍ଟାମାଳ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଠୁସୁକୁ ଗତ ୬.୧୨.୧୦ରେ ଗିରଫ କରିବାରେ ସଫଳ ହୋଇଥିବାବେଳେ ଅଭିଯୁକ୍ତ ସତ୍ୟନାରାୟଣ ଫେରାର ହୋଇଯାଇଥିଲା । ପରେ ଗତ ୨୦.୧୨.୧୦ରେ ପୁଲିସ ଅଭିଯୁକ୍ତ ସତ୍ୟନାରାୟଣକୁ ବଲାଙ୍ଗିରରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ଏହି ମାମଲାଟି ବୌଦ୍ଧ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ବିଚାର ହୋଇଥିଲା । ସରକାରଙ୍କ ପକ୍ଷରୁ ୧୧ ଜଣ ସାକ୍ଷୀଙ୍କ ବୟାନକୁ ବିଚାର କରି ଜିଲ୍ଲା ଦୌରାଜଜ ଅରବିନ୍ଦ କୁମାର ଗୁରୁ ପ୍ରମାଣ ଥିବା ନେଇ ଅଭିଯୁକ୍ତ ସତ୍ୟନାରାୟଣ କଲତା ଓ ତାଙ୍କ ସ୍ତ୍ରୀ ଠୁସୁ କଲତାକୁ ଆଜୀବନ କାରାଦଣ୍ଡାଦେଶ ଦେବାସହ ୧୦ ହଜାର ଟଙ୍କା ଜରିମୋନା ଆଦେଶ ପ୍ରଦାନ କରିଛନ୍ତି । ଆହୁରି ମଧ୍ୟ ଜରିମୋନା ଅର୍ଥ ଆଦାୟ ହେଲେ ପୀଡ଼ିତାର ପରିବାର ବର୍ଗକୁ ଦେବାକୁ ଆଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking