31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶବିକ୍ଷୋଭକାରୀଙ୍କ ଉପରେ ତାଲିବାନ୍‌ର ଗୁଳିବର୍ଷଣ

ବିକ୍ଷୋଭକାରୀଙ୍କ ଉପରେ ତାଲିବାନ୍‌ର ଗୁଳିବର୍ଷଣ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ମଙ୍ଗଳବାର ପାକିସ୍ତାନ ବିରୋଧୀ ଶୋଭାଯାତ୍ରା ଆୟୋଜିତ ହୋଇଥିବାବେଳେ ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ତାଲିବାନ ପକ୍ଷରୁ ଗୁଳିମାଡ କରାଯାଇଥିବା ଜଣାପଡିଛି । ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ପାକିସ୍ତାନ ଅଯଥାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ପ୍ରାୟ ୭୦ରୁ ଅଧିକ ଆଫ୍‌ଗାନବାସୀ କାବୁଲସ୍ଥିତ ପାକିସ୍ତାନ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ସାମିଲ ଥିଲେ । ସେମାନେ ପାକ୍ ବିରୋଧୀ ସ୍ଲୋଗାନ ଦେବାସହିତ ଆଫଗାନିସ୍ତାନ ପ୍ରସଙ୍ଗରୁ ପାକିସ୍ତାନ ଦୁରେଇ ରହୁ ବୋଲି ଦାବି କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ସେଠାରେ ମହଜୁଦ ଥିବା ତାଲିବାନ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ।

ତେବେ ଏଥିରେ କେତେଜଣ ମୃତାହତ ହୋଇଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଆଫ୍‌ଗାନିସ୍ତାନର ସର୍ବବୃହତ ମିଡିଆ ସଂସ୍ଥା ମୋବି ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ସମ୍ପାଦକ ସାଦ୍ ମୋସେନି ଏହି ଘଟଣାର ଭିଡିଓକୁ ଟ୍ୱିଟରରେ ଅପ୍‌ଲୋଡ କରିଛନ୍ତି । ସୂଚନାଯୋଗ୍ୟ ଦୁଇଦିନ ପୂର୍ବେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ୍ ହମିଦ କାବୁଲ ଗସ୍ତରେ ଆସିଥିବାବେଳେ ତାଲିବାନ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡିଛି । ଏହି ଅବସରରେ ହମିଦ ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘନି ବାରାଦରଙ୍କ ସହ ନୂତନ ସରକାର ଗଠନ ନେଇ ଆଲୋଚନା କରିଥିଲେ ।

ଏହାବ୍ୟତୀତ ପଞ୍ଜ୍‌ଶିର ପ୍ରଦେଶରେ ତାଲିବାନକୁ ବିରୋଧ କରୁଥିବା ଏନ୍‌ଆରଏଫ୍ (ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ୍‌)ର ବିଭିନ୍ନ ଘାଟି ଉପରେ ପାକିସ୍ତାନ ବାୟୁସେନା ପକ୍ଷରୁ ବୋମାମାଡ କରାଯାଇଥିବା ପ୍ରସଙ୍ଗରେ ମଧ୍ୟ ହମିଦଙ୍କ ଭୂମିକା ରହିଛି ବୋଲି ତାଲିବାନ ବିରୋଧୀମାନେ ବିଶ୍ୱାସ କରୁଛନ୍ତି । ଅଗଷ୍ଟ ୧୫ରେ ତାଲିବାନମାନେ କାବୁଲ ଦଖଲ କରିବାପରେ ସମଗ୍ର ଆଫଗାନିସ୍ତାନରେ ଆତଙ୍କର ବାତାବରଣ ଖେଳିଯାଇଥିଲା । ଏମାନଙ୍କ ଦୌରାତ୍ମ୍ୟରୁ ବର୍ତ୍ତିବା ନେଇ ଲକ୍ଷାଧିକ ଆଫଗାନବାସୀ ଦେଶଛାଡି ଅନ୍ୟତ୍ର ପଳାଇବାକୁ ଏବେମଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ସହସ୍ରାଧିକ ନାଗରିକ କାବୁଲରୁ ବିମାନ ଯୋଗେ ବିଦେଶ ପଳାୟନ କରିଥିବାବେଳେ ଅଗଷ୍ଟ ୩୧ରୁ ଏହି ପ୍ରକ୍ରିୟାର ପରିସମାପ୍ତି ଘଟିଛି । ସେଦିନ ଆମେରିକା ସୈନ୍ୟଙ୍କ ଅପସାରଣ ପ୍ରକ୍ରିୟା ଏକପ୍ରକାର ଶେଷ ହୋଇଥିଲା । କାବୁଲରୁ ବିଦେଶକୁ ଆଉ କୌଣସି ବିମାନ ନଉଡିବା ଫଳରେ ସେଠାରୁ ନିରାଶ ହୋଇଥିବା ଆତଙ୍କିତ ନାଗରିକମାନେ ଅନନ୍ୟୋପାୟ ହୋଇ ବିଭିନ୍ନ ଆନ୍ତର୍ଜାତିକ ସୀମାଆଡକୁ ମୁହାଁଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking