29.1 C
Bhubaneswar
Wednesday, May 8, 2024
Homeଓଡିଶାମହୁ ବିଦ୍ୟାଳୟରେ ଶିକ୍ଷକ ଓ ଶ୍ରେଣୀଗୃହ ସମସ୍ୟା : ଫାଟକରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ

ମହୁ ବିଦ୍ୟାଳୟରେ ଶିକ୍ଷକ ଓ ଶ୍ରେଣୀଗୃହ ସମସ୍ୟା : ଫାଟକରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ

ଆଳି : ଆଳି ବ୍ଲକ ଅନ୍ତର୍ଗତ ମହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗି ରହିଥିବା ଶିକ୍ଷକ ଅଭାବ ଓ ବିପଦ ସଂକୁଳ ଶ୍ରେଣୀଗୃହ ମରାମତି ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସୋମବାର ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ । ଘଟଣା ସ୍ଥଳକୁ ବ୍ଲକ ଶିକ୍ଷା ବିଭାଗର କୌଣସି ଅଧିକାରୀ ଯାଇନଥିବା ବେଳେ ବିଡିଓ ପହଞ୍ଚି ସେମାନଙ୍କ ଦାବି ଖୁବଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ମହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ମାତ୍ର ୩ ଟି ଶ୍ରେଣୀରେ ୧୨୮ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ଷଷ୍ଠ ଶ୍ରେଣୀରେ ୩୭ଜଣ ଛାତ୍ରଛାତ୍ରୀ ଥିବା ବେଳେ ସପ୍ତମରେ ୩୯ ଓ ଅଷ୍ଟମରେ ୫୨ ଜଣ । କିନ୍ତୁ ୩ ଟି ଶ୍ରେଣୀର ପିଲାଙ୍କୁ ପାଠ ପଢାଇବା ନିମନ୍ତେ ମାତ୍ର ୨ ଜଣ ଶିକ୍ଷକ ଅଛନ୍ତି ।
ଦୁଇଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ବେଳେ ଅନ୍ୟ ଜଣେ ସହକାରୀ ଶିକ୍ଷୟିତ୍ରୀ ପାଠ ପଢାଉଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବଦଳି ହେବା ପରେ ପରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ରତିକାନ୍ତ ପାତ୍ର ସରକାରୀ କାର୍ଯ୍ୟ କରିବା ସହିତ ପାଠ ପଢାଉଛନ୍ତି । ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ସେହିପରି ବିଦ୍ୟାଳୟ ଚାଲିଥିବା ଆଜବେଷ୍ଟସ ଘରଟି ବିପଦସଂକୁଳ ଅବସ୍ଥାରେ ରହିଛି । ଗତ ଫାନି ଓ ବୁଲବୁଲ ବାତ୍ୟାରେ ବିଦ୍ୟାଳୟ ଗୃହର ଆଜବେଷ୍ଟସ ଭାଙ୍ଗିବା ସହିତ କାନ୍ଥ ଫାଟି ଆଁ କରିଛି । ବର୍ଷା ସମୟରେ ଘର ଭିତରେ ପାଣି ପଶି ଯାଉଥିବା ବେଳେ ବିଷଧର ସାପ ମଧ୍ୟ ବିଦ୍ୟାଳୟ ଗୃହରେ ପଶୁଥିବା ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି । ଏ ସଂପର୍କରେ ବିଦ୍ୟାଳୟ ପକ୍ଷରୁ ପଞ୍ଚାୟତର ସରପଞ୍ଚ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସେମାନେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ।
ପ୍ରଶାସନର ଅବହେଳା ଯୋଗୁଁ ସୋମବାର ଦିନ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବିଦ୍ୟାଳୟ ଗେଟରେ ତାଲା ପକାଇ ଦିନ ୧୦ ଟାରୁ ଧାରଣା ଦେଇଥିଲେ । ଦୀର୍ଘ ସମୟ ଧରି ଛୋଟଛୋଟ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଖରାରେ ଧାରଣା ଦେଇଥିବା ବେଳେ ସେମାନଙ୍କ ନିକଟରେ ଶିକ୍ଷା ବିଭାଗର କୌଣସି ଅଧିକାରୀ ପହଞ୍ଚିନଥିଲେ । କିନ୍ତୁ ଦିନ ପ୍ରାୟ ସାଢେ ଗୋଟାଏ ସମୟରେ ଧାରଣାକାରୀଙ୍କ ନିକଟରେ ଆଳି ବିଡିଓ ଜୟନ୍ତ କୁମାର ପୃଷ୍ଟି ପହଞ୍ଚି ସେମାନଙ୍କ ଦାବିକୁ ତୁରନ୍ତ ପୂରଣ କରାଯିବାକୁ ପ୍ରତିଶୃତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଧାରଣାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଞ୍ଜୁଲତା ଦାସ, ଶଙ୍କର୍ଷଣ ସ୍ୱାଇଁ, ଶରତ ବେହେରା, ଧର୍ମେନ୍ଦ୍ର ରାଉଳ, ଅନନ୍ତ ମିଶ୍ର, ଅକ୍ଷୟ ସାହୁ, ଧନେଶ୍ୱର ପାତ୍ର, ମେଘୁ ନାୟକ, ରାମଚନ୍ଦ୍ର ସାହୁ, ଗଗନ ରାଉଳ ପ୍ରମୁଖଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking