30.1 C
Bhubaneswar
Friday, April 26, 2024
Homeଓଡିଶାସାବଧାନ : ବୋତଲରେ ବିକ୍ରି ହେଉଛି ଭେଜାଲ ପେଟ୍ରୋଲ !

ସାବଧାନ : ବୋତଲରେ ବିକ୍ରି ହେଉଛି ଭେଜାଲ ପେଟ୍ରୋଲ !

ରାଉରକେଲା: ଗ୍ରାହକ ଏଣିକି ଟିକିଏ ସାବଧାନ ଓ ସତର୍କ ରହିବେ, କାହିଁକିନା ରାଉରକେଲା ସହରର କିଛି ଅଂଚଳରେ ପେଟ୍ରୋଲରେ ଅପମିଶ୍ରଣ କରାଯାଇ ଭେଜାଲ ତେଲ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ତେଲ ବଜାରରେ ଲାଗିଛି ନିଆଁ! ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ତଥା ମହାନଗର ଦିଲୀ, ମୁମ୍ବାଇ, କଲିକତାରେ ପେଟ୍ରୋଲ, ଡିଜେଲ ଦର ୧୦୦ ପାଖପାଖି ହେଲାଣି । ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ୮୦ ଟଙ୍କା ଉପରେ ରହିଛି, ଯାହାକି ଗ୍ରାହକଙ୍କ ପକେଟକୁ ସିଧାସଳଖ ବାଧୁଛି! ଜଣେ ଗ୍ରାହକ ଅଧା ଲିଟର ତେଲ ପକାଇ ଘେରାଏ ଘୁରି ଆସିଲେ ଗାଡ଼ି ଠିଆ ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି ।

ଟିକସ ବୃଦ୍ଧି ଯୋଗୁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟୁଛି ବୋଲି ଅନେକ ବୁଦ୍ଧିଜିବୀ ମତ ଦେଇଛନ୍ତି । ବଜାରରେ ଗୋଟିଏ ପଟେ ତୈଳ ଦର ଉଚ୍ଚା ରହିଥିବା ବେଳେ, ଏହାର ଭରପୁର ଫାଇଦା ଉଠାଇଛନ୍ତି  କିଛି ମୁନାଫାଖୋର ଓ ଅସାଧୁ ବ୍ୟବସାୟୀ! ଏଭଳି ବ୍ୟବସାୟୀ ମାନେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣିବା ପରେ ଏଥିରେ ବିଭିନ୍ନ ପ୍ରକାର ରାସାନିୟକ ଯେପରି କିରୋସିନ, ମୋବିଲ ଆଦି ମିଶାଇ ଏହାକୁ ପ୍ରକୃତ ତୈଳ ଦରଠାରୁ ୧୦ ରୁ ୨୦ ଟଙ୍କା ଅତିରିକ୍ତ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।  ରାଉରକେଲାର ବିଭିନ୍ନ ଛକରେ ଥିବା ପାନ ଦୋକାନ, ଅଣ୍ଡା ଦୋକାନ ଓ ଅନ୍ୟ କିଛି ହାର୍ଡୱେର ଓ ରାସନ ଦୋକାନରେ ପେଟ୍ରୋଲ ବିକ୍ରି ବେଧଡ଼କ ଚାଲିଥିବା ସ୍ଥାନୀୟ ବାସିନ୍ଦା ମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ବିଶେଷ କରି ଏଭଳି ଠକାମୀର ଶୀକାର ମହିଳା ବାଇକଧାରୀ ଓ ବୟସ୍କ ମାନଙ୍କୁ ହେବାକୁ ପଡ଼ୁଛି!

ଏକ ଲିଟର ଖାଲିଥିବା ପାଣି ବୋତଲରେ ଭର୍ତିଥିବା ୯୫୦ ଗ୍ରାମ ପେଟ୍ରୋଲକୁ ୧ ଲିଟର ଦାମ ଦର୍ଶାଇ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ରାଉରକେଲା ସହରରେ କେବଳ ୧୦ରୁ ଉର୍ଦ୍ଧ ପେଟ୍ରୋଲ ପମ୍ପ ରହିଛି । ଏପରିସ୍ଥଳେ ଯଦି କୌଣସି ଗାଡ଼ି ଚାଳକଙ୍କ ପେଟ୍ରୋଲ ହଠାତ ସରି ଯାଉଛି, ତେବେ ସେହି ଗ୍ରାହକ ଜଣଙ୍କ ବାଧ୍ୟବାଧକତାରେ ଖୋଲା ବଜାରରୁ ତେଲ ଭର୍ତି କରିବାକୁ ପଡ଼ୁଛି । ମାତ୍ର ଏହି ତେଲ କିଛି ମାତ୍ରାରେ ଅପମିଶ୍ରଣ ଓ ଭେଜାଲ ବୋଲି ଗ୍ରାହକ ଜଣଙ୍କ ସଠିକ ରୂପେ ନଜାଣିବାରୁ ଠକାମୀର ଶୀକାର ହେବାକୁ ପଡୁଛି ବୋଲି ବାଇକ ଚାଳନା କରୁଥିବା ବାସନ୍ତୀ କଲୋନୀ ଅଂଚଳର ରାଜେଶ ଘଡ଼ାଇ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

କେବଳ ଯେ, ପାଣି ବୋତଲରେ ନୁହେଁ, ପେଟ୍ରୋଲ ବିଭିନ୍ନ ନାମିଦାମୀ କମ୍ପାନୀର ମୃଦୁପାନୀୟ ବୋତଲରେ ଭର୍ତି କରି ଅସଲି ଗ୍ରାହକଙ୍କୁ ନକଲି ତେଲ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ତେଲରେ ଅପମିଶ୍ରଣ ହେବା କାରଣରୁ ସମୟ ସମୟରେ କିଛି ବାଟ ଗଲାପରେ ବାଇକ ସ୍ୱଂୟ ବନ୍ଦ ହୋଇ ଯାଉଛି, ଅବା ଇଂଜିନ ସିଜ୍ ହୋଇ ଯାଉଛି, ଯାହା ଫଳରେ ବାଇକଧାରୀ ଜଣଙ୍କୁ ଅଧା ରାସ୍ତାରେ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡୁଛି! ଏପରିସ୍ଥଳେ, ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହୋଇଥିବା ବେଳେ, ଅପମିଶ୍ରଣ ପେଟ୍ରୋଲ ଅବା ଡିଜେଲ ବିକ୍ରି କରୁଥିବା ଅସାଧୁ ବେପାରୀ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking