32.1 C
Bhubaneswar
Saturday, May 4, 2024
Homeଓଡିଶାପ୍ରଶ୍ନପତ୍ର ଲିକ୍ ମାମଲା; ପରିକ୍ଷାର୍ଥୀଙ୍କୁ ଅଜୀବନ ବ୍ୟାନ୍ ପାଇଁ ଚିଠି ଲେଖିଲା ପୁଲିସ

ପ୍ରଶ୍ନପତ୍ର ଲିକ୍ ମାମଲା; ପରିକ୍ଷାର୍ଥୀଙ୍କୁ ଅଜୀବନ ବ୍ୟାନ୍ ପାଇଁ ଚିଠି ଲେଖିଲା ପୁଲିସ

ଭୁବନେଶ୍ୱର: ବାଲେଶ୍ୱର ପ୍ରଶ୍ନପତ୍ର ଲିକ୍ ଘଟଣାରେ ଅନେକ ଛାତ୍ରଛାତ୍ରୀଙ୍କ ସମ୍ପୃକ୍ତ ଥିବା ପୁଲିସ ତଦନ୍ତରେ ଜଣାପଡ଼ିଛି । ଏହି ଛାତ୍ରଛାତ୍ରୀମାନେ ଗିରଫ ହୋଇଥିବା କିଛି ଦଲାଙ୍କ ସମ୍ପର୍କରେ ଥିଲେ । ସେମାନଙ୍କ ସହ ଲଗାତାର ଫୋନ୍‌ରେ ଯୋଗାଯୋଗ କରିଛନ୍ତି । ଏପରିକି କିଛି ଛାତ୍ର ଏହି ଦଲାଲମାନଙ୍କୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ହାତେଇବା ପାଇଁ ଟଙ୍କା ଦେଇଛନ୍ତି । ତେଣୁ ପରିକ୍ଷାର୍ଥୀଙ୍କ ଏଭଳି କାର୍ଯ୍ୟକଳାପକୁ ବରଦାସ୍ତ କରାଯାଇ ପାରିବା ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏଥିପାଇଁ ଏହି ରାକେଟ ସହ ଯୋଗାଯୋଗ କରିଥିବା ଏବଂ ଜଡିତ ଥିବା ଅଭିଯୋଗରେ ୮୮ ପରୀକ୍ଷାର୍ଥୀଙ୍କୁ ଆଜୀବନ ବ୍ୟାନ୍ ଲାଗି ଓଏସ୍‌ଏସ୍‌ସିକୁ ବାଲେଶ୍ୱର ଏସ୍‌ପି ସାଗରିକା ନାଥ ସୁପାରିଶ କରିଛନ୍ତି । ଏହି ସୁପାରିସକୁ ମଞ୍ଜୁରି ମିଳିଲେ ଏହି ୮୮ ଜଣ ପରିକ୍ଷାର୍ଥୀ ଆଉ ଆଗାମୀ କୌଣସି ପରୀକ୍ଷାରେ ବସି ପାରିବେ ନାହିଁ । ଅନ୍ୟପକ୍ଷରେ ଏହି ମାମଲାର ସମ୍ପୃକ୍ତ ଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଗିରଫ ଅଭିଯୁକ୍ତମାନେ ଚାକିରି କରୁଥିବା ବିଭାଗୀୟ ମୂଖ୍ୟାଳୟକୁ ଚିଠି ଲେଖିଛି ।

ଏହି କ୍ରମରେ ମାଷ୍ଟରମାଇଣ୍ଡ ବିଶାଳ କୁମାରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି ପାଟନା ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ମଧ୍ୟ ପୁଲିସ ଚିଠି ଲେଖିଛି । ଗିରଫ ହୋଇଥିବା କନ୍ଧମାଳର ଶିକ୍ଷକ ଗୋବିନ୍ଦ ତ୍ରିପାଠୀ ଓ ଯାଜପୁରର ଶିକ୍ଷକ ସୁଶାନ୍ତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବି ଦୁଇ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏସ୍‌ପି ଚିଠି ଲେଖିଛନ୍ତି । ଅନ୍ୟପକ୍ଷରେ ଆବଶ୍ୟକ ହେଲେ ରାଜ୍ୟ ବାହାରର ଯେଉଁ ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା, ସେଠାକାର ସିସିଟିଭି ଫୁଟେଜ୍ ଚେକ୍ କରାଯିବା ସହ ପ୍ରେସ୍ ମାଲିକଙ୍କୁ ବି ତଦନ୍ତ ପରିସର ଭୁକ୍ତ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଏହି ମାମଲାରେ ମାଷ୍ଟରମାଇଣ୍ଡ ବିଶାଲ କୁମାର ଚୌରାସିଆ (୩୫)ଙ୍କ ସମେତ ୮ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ପୂର୍ବରୁ ପଶ୍ଚିମବଙ୍ଗର ଦୀଘାର ଏକ ଲଜ୍‌ରେ ବାଲେଶ୍ୱର ପୁଲିସ ଚଢ଼ଉ କରି ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ମାମଲାରେ ମୋଟ ୧୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପ୍ରଶ୍ନପତ୍ର ପ୍ରିଣ୍ଟିଂ ପ୍ରେସରୁ ଏହାକୁ ଲିକ୍ କରାଯାଇଥିଲା ବୋଲି ବାଲେଶ୍ୱର ଏସ୍‌ପି ସାଗରିକା ନାଥ କହିଥିଲେ । ପ୍ରିଣ୍ଟିଂ ପ୍ରେସର ହେଲ୍‌ପର ବିରେନ୍ଦ୍ର ସିଂହ ଏହି ପ୍ରଶ୍ନପତ୍ର ଲିକ୍‌ର ମାଷ୍ଟରମାଇଣ୍ଡ ବିଶାଲ କୁମାରଙ୍କ ସହଯୋଗୀ ବିଜେନ୍ଦ୍ର କୁମାରକୁ ଯୋଗାଯୋଗ କରିଥିଲା । ଦୁହେଁ ମିଶି ଓଡ଼ିଶାର କିଛି ଦଲାଲଙ୍କୁ ଯୋଗାଯୋଗ କରିଥିଲେ । ଦଲାଲମାନେ ପ୍ରଶ୍ନପତ୍ର ବିକ୍ରି କରି ଟଙ୍କା କିପରି କମାଇବେ ସେଥିରେ ଲାଗି ପଡ଼ିଥିଲେ । ବିଶାଲ ଏବଂ ବିଜେନ୍ଦ୍ର ଦୁଇ ଜଣ ପ୍ରଶ୍ନପତ୍ର ଲିକ୍ କରୁଥିବା ପେଶାଦାର ବ୍ୟକ୍ତି ବୋଲି ପୁଲିସ ଜାଣିବାକୁ ପାଇଛି । ଯାହାଙ୍କୁ ବାହାର ରାଜ୍ୟର ପୁଲିସ ପୂର୍ବରୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking