35.1 C
Bhubaneswar
Thursday, May 23, 2024
Homeଓଡିଶାଭିଜିଲାନ୍ସ ୩ ଅଧିକାରୀ, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଭିଜିଲାନ୍ସ ୩ ଅଧିକାରୀ, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଲାଞ୍ଚ କାରବାର ମାମଲାରେ ରାଜ୍ୟ ଭିଜିଲାନ୍ସ ବିଭାଗ ତତ୍ପର ହୋଇଉଠିଛି । ପ୍ରତ୍ୟେକ ଦିନ କେହି ନା କେହି ଭିଜିଲାନ୍ସ ଜାଲରେ ଧରା ପଡ଼ୁଛନ୍ତି । ଆଜି ଲାଞ୍ଚ ନେଲା ବେଳେ ଜଣେ ଅତିରିକ୍ତ ତହସିଲଦାର, ଜଣେ ଆଇଆଇସି ଓ ଜଣେ ଏଏସ୍‌ଆଇଙ୍କୁ ଭିଜିଲାନ୍ସ ଧରିବା ପରେ ଅଟକ ରଖି ପଚରାଉଚରା ଚଳାଇଛି । ଏହା ସହ ସେମାନଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ଉ କରାଯାଉଛି । ଏକ ବାଲି ଗାଡିକୁ ଛାଡିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ନୟାଗଡ ଜିଲ୍ଲା ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଆଜି ସକାଳେ କାବୁ କରିଛନ୍ତି । ନିଜ କାର୍ଯ୍ୟାଳୟ ଭିତରେ ସେ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ମାଡ଼ିବସିଥିଲେ । ଧରାପଡିବା ପରେ ତାଙ୍କ ଠାରୁ ମୋଟ ୧୩ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ କହିବା ଅନୁଯାୟୀ ସେ ପୂର୍ବରୁ ଅଭିଯୋଗକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ତେଣୁ ପୂର୍ବ ଲାଞ୍ଚ ଟଙ୍କାକୁ ମଧ୍ୟ ଜବତ କରାଯାଇଛି ।

ଗତକାଲି ଗଣିଆ ଥାନା ରାଉତପଡ଼ା ମହାନଦୀ ଘାଟରୁ ତହସିଲ କର୍ମଚାରୀ ଏକ ବାଲି ବୋଝେଇ ଗାଡ଼ି ଧରିଥିଲେ । ଗାଡ଼ି ଛାଡ଼ିବା ନିମନ୍ତେ ବନମାଳୀ ଗାଡି ମାଲିକଙ୍କୁ ୧୩ ହଜାରରେ ମାଗିଥିଲେ । ଗତକାଲି ଘଟଣାସ୍ଥଳରେ ଗାଡ଼ି ମାଲିକ ୧୦ ହଜାର ଦେଇଥିବା ବେଳେ ଆଜି ୩ ହଜାର ଦେବେ ବୋଲି କହିଥିଲେ । ଆଜି ସକାଳେ ଗାଡ଼ି ମାଲିକ ଗଣିଆ ତହସିଲ କଲୋନୀରେ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଅବଶିଷ୍ଟ ୩ ହଜାର ଟଙ୍କା ଦେବାକୁ ଯାଇଥିଲେ । ଏହି ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଉଠାଇ ଉଠାଇ ନେଇ ନିକଟସ୍ଥ ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚରା କରିଛନ୍ତି ।

ସେହିପରି ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଦୁଇ ପୁଲିସ ଅଧିକାରୀ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଓ ମହିଳା ଏଏସ୍‌ଆଇ ଦୀପିକା ହୀରା ୮ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଉଭୟ ପୁଲିସ ଅଧିକାରୀ ଏକ ମାମଲାର ରଫାଦଫା କରିବା ପାଇଁ ଅଭିଯୋଗକାରୀଙ୍କୁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରୁ ୫ ହଜାର ଟଙ୍କା ନେଇ ସାରିଥିବା ବେଳେ ଆଜି ବାକି ୮ ହଜାର ଟଙ୍କା ନେଉଥିଲେ । ତେବେ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରିଥିଲେ । ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ଜବତ କରିବା ସହ ସେମାନଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking