30.1 C
Bhubaneswar
Sunday, June 16, 2024
Homeଓଡିଶାବସରେ ମହିଳା ଯାତ୍ରୀଙ୍କୁ ପ୍ରଥମେ ନଉଠାଇଲେ ଜୋରିମାନା; ରାଜ୍ୟର ସବୁ ଆର୍‌ଟିଓଙ୍କୁ ଏସ୍‌ଟିଏ ସଚିବଙ୍କ ଚିଠି

ବସରେ ମହିଳା ଯାତ୍ରୀଙ୍କୁ ପ୍ରଥମେ ନଉଠାଇଲେ ଜୋରିମାନା; ରାଜ୍ୟର ସବୁ ଆର୍‌ଟିଓଙ୍କୁ ଏସ୍‌ଟିଏ ସଚିବଙ୍କ ଚିଠି

ଭୁବନେଶ୍ୱର: ଏଣିକି ମହିଳା ଯାତ୍ରୀଙ୍କୁ ଯଦି କୌଣସି ବସ କର୍ମଚାରୀ ପ୍ରଥମେ ବସ୍‌ରେ ଉଠାଇବାକୁ ବାରଣ କରିବେ ସଂପୃକ୍ତ ବସ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ସମ୍ପୃକ୍ତ ବସଠାରୁ ଜରିମାନା ଆଦାୟ ହେବ । ଏନେଇ ଶୁକ୍ରବାର ଏସ୍‌ଟିଏ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଏହାକୁ ଗୁରୁତ୍ୱ ଦେବାକୁ ରାଜ୍ୟର ସବୁ ଆର୍‌ଟିଓଙ୍କୁ ଚିଠି ଦ୍ୱାରା ଅବଗତ କରାଯାଇଛି ।

ଚିଠିରେ ଉଲ୍ଲେଖ କରାଯାଇଛି ଯେ ଏଣିକି ବସ୍‌ରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ବାରଣ କଲେ ଦଣ୍ଡ ଦିଆଯିବ । ଏ ଦିଗରେ ନିୟମିତ ଯାଞ୍ଚ କରିବାକୁ ରାଜ୍ୟର ସମସ୍ତ ଆର୍‌ଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେଉଁଠି ଯଦି ମହିଳାଙ୍କୁ ପ୍ରଥମେ ବସ୍‌ରେ ଚଢ଼ିବା ପାଇଁ ବାରଣ କରାଯାଏ, ତେବେ ସଂପୃକ୍ତ ବସ୍ ମାଲିକଙ୍କ ବିରୋଧରେ ମଟର ଯାନ ଆଇନ୧୯୮୮, ଧାରା ୧୯୨ଏ ରେ ଇ-ଚାଲାଣ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷେ ଏଭଳି ନିର୍ଦ୍ଦେଶନାମା ଆସିବା ପରେ ଆଜି କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ବସ ମାଲିକ ସଂଘ ପକ୍ଷରୁ ବସର କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ସରକାରୀ ନିୟମ ପାଳନ ପାଇଁ ମାଇକ ଜରିଆରେ ପ୍ରଚାର କରାଯାଇଛି ।

ସୂଚନାଯୋଗ୍ୟ ଯେ ଏବେ ବି କିଛି ବସ୍ କର୍ମଚାରୀ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବସ୍‌ରେ ଉଠାଉ ନାହାନ୍ତି । ପୁରୁଷ ଯାତ୍ରୀ ପ୍ରଥମେ ବସ୍‌କୁ ଗଲାପରେ ଯାଇ ମହିଳା ଯାତ୍ରୀଙ୍କୁ ବସ୍ ଭିତରକୁ ଛଡ଼ାଯାଉଛି । ଦୁଇ ଦିନ ତଳେ ଏଭଳି ଏକ ଘଟଣା ଘଟିବା ପରେ ତାହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ବିଭିନ୍ନ ସାମାଜିକ ଅନୁଷ୍ଠାନ ଏଭଳି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିବା ସହିତ ସଂପୃକ୍ତ ବସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ତେଣୁ ସରକାରଙ୍କ ପକ୍ଷରୁ ଆଜି ତାହାର ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking