36.1 C
Bhubaneswar
Saturday, May 18, 2024
Homeଓଡିଶାମାର୍ଚ୍ଚ ସୁଦ୍ଧା ୨୧ ସହରରେ ‘ଡ୍ରିଙ୍କ୍ ଫ୍ରମ ଟ୍ୟାପ୍‌’

ମାର୍ଚ୍ଚ ସୁଦ୍ଧା ୨୧ ସହରରେ ‘ଡ୍ରିଙ୍କ୍ ଫ୍ରମ ଟ୍ୟାପ୍‌’

ଭୁବନେଶ୍ୱର: ସହରାଞ୍ଚଳ ବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଯେକୌଣସି ସରକାରଙ୍କର ପ୍ରମୁଖ ଦାୟିତ୍ୱ ଓ କର୍ତ୍ତବ୍ୟ । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଜୀବନର ସୁବିଧା ପାଇଁ ସ୍ୱଚ୍ଛ ଜଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସର୍ବଦା ମତ ରଖୁଛନ୍ତି । ହେଲେ ଧାର୍ଯ୍ୟ ସମୟ ଭିତରେ ସବୁ ସହରରେ ବିଶୁଦ୍ଧ ପାଣି ଯୋଗାଇବା ସରକାରଙ୍କ ପକ୍ଷରେ ବଡ଼ ଚ୍ୟାଲେଞ୍ଜ ସଦୃଶ ହୋଇଛି । ତେବେ ମାର୍ଚ୍ଚ ୨୦୨୪ ସୁଦ୍ଧା ୨୧ ସହରରେ ‘ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନ’ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିଯୋଗୁଁ ୪୦ ଲକ୍ଷ ସହରାଞ୍ଚଳବାସୀ ଉପକୃତ ହେବେ ।

 ଓଡ଼ିଶାରେ ୩୦ ଜିଲ୍ଲାରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଭଳି ୫ ମହାନଗର ନିଗମ ସହ ୧୧୫ ପୌରାଞ୍ଚଳ ରହିଛି । ଏସବୁ ସହରାଞ୍ଚଳରେ ପାଇପ୍ ଯୋଗେ ଜଳ ଯୋଗାଣ ସହିତ ‘ଡ୍ରିଙ୍କ୍ ଫ୍ରମ ଟ୍ୟାପ୍‌’ ଯୋଜନା ମାଧ୍ୟମରେ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ପାଇପ୍ ସଂଯୋଗ ମାଧ୍ୟମରେ ସୁରକ୍ଷିତ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଓଡ଼ିଶା ସରକାର ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାକୁ ସାକାର କରିବା ପାଇଁ ବିଗତ ୫ ବର୍ଷରେ ବ୍ୟାପକ ପୁଞ୍ଜିନିବେଶ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପାଞ୍ଚ ମହାନଗର ନିଗମ ଅର୍ଥାତ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାକୁ ମିଶାଇ ୮୫ ସହରରେ ୧୦୦% ପରିବାରକୁ ଟ୍ୟାପ୍ ସଂଯୋଗ କରାଯାଇ ପାରିଛି । ନଗର ଉନ୍ନୟନ ବିଭାଗର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନଗର ଉନ୍ନୟନ ବିଭାଗକୁ ଶୁଭେଚ୍ଛା ଜଣାଯାଇଛି । ରାଜ୍ୟର ୮୫ଟି ସହରରେ ପାଇପ୍ ଯୋଗେ ୧୦୦% ବିଶୁଦ୍ଧ ପାନୀୟଜଳ ଯୋଗାଇବାରେ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି । ଅବଶିଷ୍ଟ ୩୦ଟି ସହରରେ ୨୦୨୩ ଡିସେମ୍ବର ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରାଯିବ ।

ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ରାଜ୍ୟ ସରକାର ବର୍ତ୍ତମାନ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ଜଳ ଯୋଗାଣ ସେବାର ମାନକୁ ଆନ୍ତର୍ଜାତୀୟ ମାନଦଣ୍ଡ ସହ ସମକକ୍ଷ କରିବା ପାଇଁ ରାଜ୍ୟ ସରକାର ‘ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନ’ କାର୍ଯ୍ୟକାରୀ କରିଛନ୍ତି । ପୁରୀ ଓ ଗୋପାଳପୁର ତାହା ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ ହୋଇଛି । ଏହି ଗୌରବ ହାସଲ କରିବାରେ ଉକ୍ତ ଦୁଇ ସହର ଯଥାକ୍ରମେ ଭାରତର ପ୍ରଥମ ଓ ଦ୍ୱିତୀୟ ସହର ହେବାର ଗୌରବ ଲାଭ କରିଛନ୍ତି । ବିଶ୍ୱର ବଡ଼ ବଡ଼ ସହରର ବ୍ୟବସ୍ଥା ସହିତ ଏହି ସେବା ଉପଲବ୍ଧ କରିବାରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସୁନାମ ଅର୍ଜନ କରିଛି । ଏହି ଦୁଇ ସହର ବ୍ୟତୀତ ରାଜ୍ୟର ୨୧ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି । ୨୦୨୩ ଜୁନ୍ ସୁଦ୍ଧା ବ୍ରହ୍ମପୁରରେ ଏବଂ ଭୁବନେଶ୍ୱର, କଟକ ଓ ରାଉରକେଲା ସମେତ ଅବଶିଷ୍ଟ ସହରରେ ୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବ । ୨୦୨୩-୨୪ ଆର୍ôଥକ ବର୍ଷ ରେ ସହରାଞ୍ଚଳ ଜଳ ଯୋଗାଣ ପାଇଁ ୧୪୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ରାଜ୍ୟ ସରକାର କଟକର ମୁଣ୍ଡଳୀ ଠାରେ ଏକ ୧୩୦ ଏମ୍‌ଏଲ୍‌ଡି ଜଳ ବିଶୋଧନାଗାର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଜଳ ବିଶୋଧାନଗାର ନିର୍ମାଣ ପାଇଁ ୨୮୬ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଆସନ୍ତା ମାର୍ଚ୍ଚ ସୁଦ୍ଧା କାମ ଆରମ୍ଭ ହେବ । ୨୦୨୫ ମାର୍ଚ୍ଚ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଓଡ଼ିଶା ଜଳ ଆୟୋଗ (ୱାଟକୋ) ଏହି ଜଳ ବିଶୋଧାନଗାରର ପରିଚାଳନା କରିବାକୁ ଥିବା ବେଳେ ଏହି ପ୍ରକଳ୍ପ ୨୦୩୮ ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପରିବାକୁ ୨୪/୭ ଘଣ୍ଟିଆ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ମାନର ଜଳ ଯୋଗାଣରେ ସାହାଯ୍ୟ କରିବ । ଏଥିପାଇଁ ୫-ଟି ଉପକ୍ରମରେ ଏହି ସୁବିଧା ଦ୍ୱାରା ଜନସାଧାରଣଙ୍କ ଜୀବନ ଧାରଣ ମାନରେ ପ୍ରଭୂତ ଉନ୍ନତି ଆଣିବ ।

ବିଭାଗୀୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ’ କାର୍ଯ୍ୟକାରୀ ହେବାପରେ ରାଜ୍ୟ ସରକାର କେବଳ ଦେଶରେ ନୁହେଁ ବିଶ୍ୱସ୍ତରରେ ମଧ୍ୟ ବହୁ ପୁରସ୍କାର ଓ ସମ୍ମାନ ପାଇବାକୁ ହକ୍‌ଦାର ହୋଇଛନ୍ତି । ଫଳସ୍ୱରୂପ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଅହର୍ନିଶ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଗୁଣବତ୍ତାର ପାନୀୟ ଜଳ ଯୋଗାଇବାର ସୁନାମ ଅର୍ଜନ କରିଛି । ୨୦୨୨ରେ ସ୍ପେନରେ ଅନୁଷ୍ଠିତ ବିଶ୍ୱ ଜଳ ସମ୍ମିଳନୀରେ ୱାଟ୍‌କୋ ଗ୍ଲୋବାଲ ୱାଟର ଲିଡର ଆୱାର୍ଡ ପାଇବାର ଗୌରବ ହାସଲ ହୋଇଛି । ଏହି କାର୍ଯ୍ୟ ଜାରି ରହିବ । ବିଶୁଦ୍ଧ ପାଣି ଯୋଗାଇବାକୁ ପ୍ରାଥମିକତା ଦିଆଯାଇଥିବାରୁ ସହରାଞ୍ଚଳ ଲୋକେ ଏହାର ସୁଫଳ ପାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking