32.1 C
Bhubaneswar
Friday, April 26, 2024
Homeଓଡିଶାସରିଲା ଦଣ୍ଡା ପ୍ରସ୍ତୁତି, ଶେଷ ହୋଇଛି ୩ରଥର ୪୨ଟି ଚକର ନିର୍ମାଣ କାର୍ଯ୍ୟ

ସରିଲା ଦଣ୍ଡା ପ୍ରସ୍ତୁତି, ଶେଷ ହୋଇଛି ୩ରଥର ୪୨ଟି ଚକର ନିର୍ମାଣ କାର୍ଯ୍ୟ

ପୁରୀ : ବଡ଼ଦାଣ୍ଡର ଶ୍ରୀନଅର ସ୍ଥିତ ରଥଖଳାରେ ଶେଷ ହୋଇଛି ୩ରଥର ୪୨ଟି ଚକର ନିର୍ମାଣ କାର୍ଯ୍ୟ । ଏଥିସହିତ ଦଣ୍ଡାର ପ୍ରସ୍ତୁତି ମଧ୍ୟ ସରିଛି । ରଥ ନିର୍ମାଣର ପ୍ରଥମ ପର୍ଯ୍ୟାୟ ଚକ, ଅଖ ନିର୍ମାଣ ପରେ ଅଖ ଉପରେ ଦ୍ୱିତୀୟ ପର୍ଯ୍ୟାୟ ଦଣ୍ଡା ରଖାଯିବା କାର୍ଯ୍ୟ ଚାଲିଛି। ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ୨ଟି ଗରଗରାର ଚଉପଟ ପରେ ବିନ୍ଧ କାମ ଶେଷ ହୋଇଥିବା ବେଳେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୨ଟି ଲେଖାଏଁ ଗରଗରାର ଚଉପଟ ସରି ବିନ୍ଧ ଖୋଦେଇ କାର୍ଯ୍ୟ ଚାଲୁ ରହିଛି । ୩ରଥର ୫ଟି ଲେଖାଏଁ ଯୋଖାର ନିର୍ମଣ ଆରମ୍ଭ ହୋଇଛି । ତାଳଧ୍ୱଜ ଓ ନନ୍ଦିଘୋଷ ରଥ ପାଇଁ ୧୬ଟି ଲେଖାଏଁ ଯୋଖା ଓ ଦେବଦଳନ ରଥର ୧୨ଟି ଯୋଖା ନିର୍ମିତ ହେବ । ଏଥିସହିତ ରୂପକାର ସେବକମାନେ ୩ରଥର ୪୪ଟି କୋଣଗୁଜରେ ସିଂହ ବିରାଳ ରୂପ ଖୋଦେଇ ଶେଷ କରି ନାଟଗୋଡ଼ରେ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ୩ରଥ ପାଇଁ ୮ଟି ଲେଖାଏଁ ମୋଟ ୨୪ଟି ନାଟଗୋଡ଼ ପ୍ରସ୍ତୁତ ହେବ ।

ଶୁକ୍ରବାର ପ୍ରତି ରଥ ପାଇଁ ୫ଟି ଲେଖାଏଁ ନାଟଗୋଡ଼ରେ ଗନ୍ଧର୍ବ ବା ଅସୁରର ହସ୍ତରେ ଧନୁ, ଛୁରୀ ଧାରଣ ପୂର୍ବକ ୨ଗୋଡ଼ ଛନ୍ଦ ମୁଦ୍ରାର ରୂପ ନାଟଗୋଡ଼ରେ ଅଙ୍କନ ପୂର୍ବକ ଖୋଦେଇ କାର୍ଯ୍ୟ ଆରମ୍ଭ କରାଯାଇଛି । ଦୋଳବେଦୀ ଠାରେ କରତି ସେବକମାନେ ନନ୍ଦିଘୋଷ ରଥର ପୋଲଗୟଳ ଚିରଟ କାର୍ଯ୍ୟ ଶେଷ କରିଛନ୍ତି । ଶନିବାର ଦିନ ଦେବଦଳନ ରଥର ପୋଲଗୟଳ ଚିରଟ କାର୍ଯ୍ୟ ଆରମ୍ଭ ହେବ । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଚାଲିଛି ରଥ ପାଇଁ କଣ୍ଟା ଓ ଅନ୍ୟାନ୍ୟ ଲୌହ ସାମଗ୍ରୀ ତିଆରି । ଶୁକ୍ରବାର ଦିନ ଓଝା ସେବକମାନେ ୩ରଥର ମହାରଣାମାନେ ଦେଇଥିବା ୩ଟି କୁରାଢ଼ୀ, ୬ଟି ବାରିଶି ଓ ୪ଟି ନିହାଣ ପଜେଇ ଯୋଗାଇବା ପରେ ରଥ ପାଇଁ ଅଗ ପାତେଳୀ କଣ୍ଟା, ଯୋଖା, ଗୟଳ, ଛନ୍ଦାଗୟଳ, କଇଁଚି ପାଇଁ ୪୪ଟି କଣ୍ଟା ତିଆରି କରିଛନ୍ତି । ଶୁକ୍ରବାର ଦିନ ମୋଟ ୧୯୫ଜଣ ସେବକ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲେ ମୋଟ ୭୭ଜଣ ମହାରଣା, ୭୬ଜଣ ଭୋଇ, ୪ଜଣ କରତି, ଜଣେ ପାହି ମହାରଣା, ୧୫ଜଣ ଓଝା ବା କମାର ସେବକ, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୯ଜଣ ରୂପକାର ଓ ଜଣେ ରଥଖଳା ସହାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking