29.1 C
Bhubaneswar
Monday, May 6, 2024
Homeକରୋନାତୃତୀୟ ଲହର ପାଇଁ କେନ୍ଦ୍ରର ଜୋରଦାର ପ୍ରସ୍ତୁତି

ତୃତୀୟ ଲହର ପାଇଁ କେନ୍ଦ୍ରର ଜୋରଦାର ପ୍ରସ୍ତୁତି

ନୂଆଦିଲ୍ଲୀ:  ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଆଗାମୀ କିଛି ମାସ ମଧ୍ୟରେ ଭାରତରେ କୋଭିଡ୍‌ର ତୃତୀୟ ଲହରୀ ଦେଖାଦେବ । ଏହାର ଉଚିତ ମୁକାବିଲା କରିବାକୁ କେନ୍ଦ୍ର ସରକାର ଏବେଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୨୮ ରାଜ୍ୟର ୧୯୪ଟି ଜିଲ୍ଲାରେ ୩୦୦ଟି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯିବ । ଏହି କେନ୍ଦ୍ରଗୁଡିକରେ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତ ଭିତ୍ତିଭୂମିକୁ ସୁଦୃଢ କରାଯିବ । କୋଭିଡ୍‌ର ତୃତୀୟ ଲହରୀର ମୁକାବିଲା ନିମନ୍ତେ ଏହି କେନ୍ଦ୍ରଗୁଡିକରେ ୧ ଲକ୍ଷ ପେସାଦାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରସ୍ତୁତ କରିବାକୁ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା ମଧ୍ୟ କରାଯିବ । ଅଭିଜ୍ଞ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ପ୍ରଦାନ କାର୍ଯ୍ୟରେ ନିୟୋଜିତ କରାଯିବାର ଯୋଜନା ରହିଛି ।

ଏହି ପ୍ରସଙ୍ଗରେ ମନ୍ତ୍ରଣାଳୟ ପକ୍ଷରୁ ତିନିମାସିଆ ତାଲିମ ନିମନ୍ତେ ୬ଟି ସେକ୍ଟରକୁ ଚିହ୍ନଟ କରାଯାଇଛି । ଏଗୁଡିକ ହେଲା ଇମର୍ଜେନ୍ସି କେୟାର ସପୋର୍ଟ, ବେସିକ୍ କେୟାର ସପୋର୍ଟ, ସାମ୍ପୁଲ କଲେକ୍‌ସନ, ହୋମ୍ କେୟାର ସପୋର୍ଟ, ଆଡ୍‌ଭାନ୍ସ କେୟାର ସପୋର୍ଟ ଓ ମେଡିକାଲ ଇକ୍ୱିପ୍‌ମେଣ୍ଟ ସପୋର୍ଟ । ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବରୁ କେତେକ ହସ୍ପିଟାଲରେ ଭେଣ୍ଟିଲେଟର, ଅକ୍ସିଜେନ କନ୍‌ସେଣ୍ଟ୍ରେଟର ଭଳି ଡାକ୍ତରୀ ଯନ୍ତ୍ରପାତି ଅବ୍ୟବହୃତ ଅବସ୍ଥାରେ ପଡିରହିଛି ବୋଲି ଅଧିକାଂଶ ରାଜ୍ୟ ସରକାର ଅଭିଯୋଗ କରିସାରିଲେଣି । ଏହି ସମସ୍ୟାର ସମାଧାନ ନିମନ୍ତେ ଦକ୍ଷତା ବିକାଶ କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏଭଳି ଯନ୍ତ୍ରପାତି ଚଳାଇବାକୁ ତାଲିମ ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ କୋଭିଡ୍ ରୋଗୀଙ୍କ ଡାକ୍ତରୀ ରେକର୍ଡକୁ କିପରି ପରିଚାଳନା କରାଯିବ, ସେଥିନେଇ ମଧ୍ୟ ତାଲିମ ଦିଆଯିବ । ଦେଶର ୫୦୦ ଜିଲ୍ଲାରେ ଥିବା ଅକ୍ସିଜେନ ପ୍ଲାଣ୍ଟରେ କାର୍ଯ୍ୟ କରିବାକୁ ଇତିମଧ୍ୟରେ ୨୦ ହଜାର ଆଇଟିଆଇ ସ୍ନାତକଙ୍କୁ ଚିହ୍ନଟ କରାଯାଇଛି ।

ଅକ୍ସିଜେନ ପ୍ଳାଣ୍ଟ ସ୍ଥାପନ, ଏହାକୁ କାର୍ଯ୍ୟକାରୀ କରିବା ସମେତ ମିନି ଅକ୍ସିଜେନ ପ୍ଲାଣ୍ଟ ଓ ଭେଣ୍ଟିଲେଟର ଚଳାଇବା ନେଇ ମଧ୍ୟ ସେମାନଙ୍କୁ ତାଲିମ ଦିଆଯିବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନୁଯାୟୀ ଇତିମଧ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧.୭୫ ଲକ୍ଷ କର୍ମୀଙ୍କୁ ତାଲିମ ଦିଆଯାଇସରିଛି ବୋଲି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏମାନଙ୍କୁ ଆଗଧାଡିର କୋଭିଡ୍ ଯୋଦ୍ଧାଭାବେ ମାନ୍ୟତା ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଯାଇଛି । ଏହି ଯୋଜନା ଅନୁଯାୟୀ ଦ୍ୱିତୀୟ ଦଫାରେ ୧.୫ ଲକ୍ଷ କର୍ମୀ ତାଲିମ ନେଇସାରିଲେଣି । ବର୍ତ୍ତମାନ କୋଭିଡ୍ ହସ୍ପିଟାଲରେ ଏମାନେ କିପରି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ଚଳାଇପାରିବେ, ସେଥିନେଇ ଅଧିକ ତାଲିମର ବ୍ୟବସ୍ଥା କରାଯିବ ।

ତାଲିମ ନେବା ସହିତ ସେମାନଙ୍କୁ ଚାକିରିରେ ଅବସ୍ଥାପିତ ମଧ୍ୟ କରାଯିବ । ଏମାନଙ୍କୁ ମାଗଣା ଖାଇବା ଓ ରହିବା ସୁବିଧା ସହ ବ୍ୟକ୍ତିଗତ ୨ ଲକ୍ଷ ଟଙ୍କାର ବୀମାଭୁକ୍ତ କରାଯିବ । ବେସିକ୍ କେୟାର ବର୍ଗର ସ୍ୱାସ୍ଥ୍ୟକର୍ମୀଙ୍କୁ ଅକ୍ସିଜେନ କନ୍‌ସେଣ୍ଟ୍ରେଟର, ନିବୁଲାଇଜର, ଇସିଜି ଓ ପଲ୍‌ସ ଅକ୍ସିମିଟର ଭଳି ଯନ୍ତ୍ରପାତି ବ୍ୟବହାର ସମ୍ପର୍କରେ ତାଲିମ ଦିଆଯିବା ସହ କୋଭିଡ୍ ପ୍ରୋଟୋକଲ ଅନୁଯାୟୀ ମୃତ କୋଭିଡ୍ ରୋଗୀଙ୍କ ଶେଷକୃତ୍ୟ ପ୍ରକ୍ରିୟାରେ ସାମିଲ କରାଯିବାର ଯୋଜନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking