28.1 C
Bhubaneswar
Saturday, April 27, 2024
Homeଓଡିଶାଆବାସ ଯୋଜନାରୁ ବଞ୍ଚିତ ୯ ଦଳିତ ପରିବାର

ଆବାସ ଯୋଜନାରୁ ବଞ୍ଚିତ ୯ ଦଳିତ ପରିବାର

ରଘୁନାଥପୁର : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଶ୍ରେଣୀର ଲୋକଙ୍କୁ ବିଭିନ୍ନ ଯୋଜନାରେ ଘର ଯୋଗାଇ ଦେଉଥିଲେ ମଧ୍ୟ ସରକାରୀ କର୍ମଚାରୀମାନଙ୍କର ହେୟଜ୍ଞାନ ମନୋଭାବ ଯୋଗୁଁ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ଯାହାକି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଧିନସ୍ଥ ଏରଡଙ୍ଗା ପଞ୍ଚାୟତ ଗୋପାଳପୁର ଗ୍ରାମର ଦଳିତ ଅକ୍ଷୟ ସେଠୀଙ୍କ ସ୍ତ୍ରୀ ତଥା ୪ ନଂ ୱାର୍ଡର ୱାର୍ଡ ସଭ୍ୟା ମମତାମୟୀ ସେଠୀ ଓ ଏହି ଗ୍ରାମର ଅନ୍ୟ ୯ ଟି ଦଳିତ ପରିବାରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏହି ଗ୍ରାମର ୱାର୍ଡ ସଭ୍ୟା ମମତାମୟୀ ସେଠୀ ତାଙ୍କର ସ୍ୱାମୀ, ଶାଶୁ, ଶ୍ୱଶୁର, ଅଜାଶୁର ଏବଂ ୬ ବର୍ଷର ଝିଅକୁ ନେଇ ଏକ ଭଙ୍ଗା ଦଦରା ବିପଦପୂର୍ଣ୍ଣ ଚାଳ ଘରେ ବାସ କରୁଛନ୍ତି । ତାଙ୍କ ସ୍ୱାମୀ ଭୂମିହୀନ ଅଟନ୍ତି । ଅନ୍ୟର ମୂଲ ଲାଗି ପରିବାର ଚଳାଇଥାନ୍ତି । ପକ୍କା ଘରଟିଏ ନିର୍ମାଣ କରିବା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ଯୋଗୁଁ ବହୁ ସରକାରୀ ପଦାଧିକାରୀମାନଙ୍କୁ ବାରମ୍ବାର ଭେଟି ଘରଟିଏ ପାଇଁ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣିନାହାନ୍ତି ।
ସେହିଭଳି ଏହି ଗୋପାଳପୁର ଗ୍ରାମର ଦଳିତ ପରିବାର ପ୍ରହ୍ଲାଦ ସେଠୀ, ରମେଶ ଚନ୍ଦ୍ର ସେଠୀ, ହୃଷିକେଶ ସେଠୀ, ରତ୍ନାକର ସେଠୀ, ବିଷ୍ଣୁ ସେଠୀ, କେଦାର ସେଠୀ, ରବୀନ୍ଦ୍ର ସେଠୀ ଓ କୈଳାସ ସେଠୀ ପ୍ରମୁଖ ପରିବାର ଭଙ୍ଗା କୁଡିଆ ଘରେ ନିଜ ପରିବାରକୁ ନେଇ ଅନ୍ୟର ମୂଲ ଲାଗି ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ଗୋପାଳପୁର ଗ୍ରାମର ଏହି ୧୦ଟି ଦଳିତ ପରିବାର ଆବାସ ଯୋଜନାରୁ ବଞ୍ଚିତ । ଏହି ୧୦ଟି ପରିବାର ପାଇଁ ଗୋଟିଏ ମାତ୍ର ନଳକୂପ ବସାଯାଇଛି । ଜଗତସିଂହପୁର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଏହି ଦଳିତ ଗରିବ ପରିବାରଗୁଡିକୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସାଧାରଣରେ ଦାବି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking