ଅଗ୍ନିକାଣ୍ଡରେ ପୋଡ଼ିଗଲା ବାହାଘର ସାମଗ୍ରୀ

ଭୁବନ : ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ବାଉଁଶକଣ ଆଦିବାସୀ ବସ୍ତିରେ ନିଆଁ ଲାଗି ସର୍ବସ୍ୱ ହରାଇଥିବା ପରିବାରର ଝିଅ ବାହାଘର ନିମନ୍ତେ ସହଯୋଗର ହାତ ବଢାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ନଘରାର ଲକ୍ଷେଶ୍ୱର ମନ୍ଦିର ପରିଚାଳନା କମିଟିର ସଦସ୍ୟ ବୃନ୍ଦ । ଫେବୃୟାରୀ ୨୮ ତାରିଖ ବିଳମ୍ବିତ ରାତିରେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ଗ୍ରାମର ୫ଜଣ ବ୍ୟକ୍ତିଙ୍କର ଘର ପୋଡିଯାଇଥିଲା । ସେଥି ମଧ୍ୟରୁ ବିଶ୍ୱନାଥ ପଧାନ ଅନ୍ୟତମ । ବିଶ୍ୱନାଥଙ୍କ ଝିଅ ଭାରତୀର ନିର୍ବନ୍ଧ ସରିଥିଲା । ପରିବାର ପକ୍ଷରୁ ବାହାଘର ନିମନ୍ତେ ସମସ୍ତ ପ୍ରସ୍ତୁତି ହୋଇଥିଲା । ତେବେ ଅଗ୍ନିକାଣ୍ଡରେ ବାହାଘରର ସମସ୍ତ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିଲା । ଫଳରେ କେମିତି ବାହାଘର କରିବେ ସେନେଇ ପରିବାର ଲୋକ ଚିନ୍ତାରେ ଥିଲେ । ପ୍ରାଥମିକ ଅବସ୍ଥାରେ ସମାଜ ରିଲିଫ ପାଣ୍ଠି, ସତ୍ୟସାଇ ସେବା ଅନୁଷ୍ଠାନ, ତକ୍ଷଶିଳା ଚାରିଟେବୁଲ ଟ୍ରଷ୍ଟ, ତୃପ୍ତି ପାଠାଗାରର ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁ, ଯାଜପୁରର ଜଗତଜନନୀ ମହିଳା ମହାସଂଘ ତରଫରୁ ସହାୟତା ଯୋଗାଇ ଦିଆଯାଇଥିଲା । ଏନଟିପିସି ତରଫରୁ ବାହାଘର ନିମନ୍ତେ ଆର୍ଥିକ ସହଯୋଗ ମଧ୍ୟ ମିଳିଥିଲା ।
ଖବରପାଇ ଖୋର୍ଦ୍ଧା ଜିଲ୍ଲା ଫୁଲନଖରା ନିକଟସ୍ଥ ନଖରା ଗ୍ରାମର ଲକ୍ଷେଶ୍ୱର ମହାଦେବ ବଡସିଂହାର ବେଶ ସେବା ସମିତିର କର୍ମକର୍ତ୍ତା ବାହାଘରର ସମସ୍ତ ସାମଗ୍ରୀ ଯୋଗାଇ ଦେବା ସହ ୨୦୦ବ୍ୟକ୍ତିଙ୍କ ନିମନ୍ତେ ରୋଷେଇ କରି ପ୍ରସାଦ ସେବନ କରାଇଥିଲେ । ଢେଙ୍କାନାଳ ସାଂସଦ ମହେଶ ସାହୁ, ପୁରୀ ଗୋବର୍ଦ୍ଧନ ପୀଠର ଆଦିତ୍ୟ ବାହିନୀ ସଚିବ ମାତୃପ୍ରସାଦ ମିଶ୍ର, ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଭୁବନ ଏନଏସିର ପୂର୍ବତନ ଅଧ୍ୟକ୍ଷ ନନ୍ଦ କିଶୋର ସାହୁ, ପୂର୍ବତନ ଆରସିଏମଏସ ସଭାପତି ସୁଧାକର ସାହୁଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବାହାଘରରେ ଉପସ୍ଥିତ ରହି ସୂଚାରୁ ରୂପେ ବାହାଘର ସମାପନ କରାଇଥିଲେ । ଲକ୍ଷେଶ୍ୱର ମହାଦେବ ବଡସିଂହାର ବେଶ ସେବା ସମିତିର କୃଷ୍ଣପ୍ରସାଦ ପାଢୀ, ଶଶାଙ୍କ ଶେଖର ସ୍ୱାଇଁ, ସୁଶାନ୍ତ ସାହୁ, ଜିତେନ୍ଦ୍ର ସାହୁ, ଲୋକନାଥ ବେହେରା, ଲୋଚନ ସାହୁ, ପ୍ରକାଶ ସାହୁ, ରବିନାରାୟଣ ପ୍ରମୁଖ ସକାଳୁ ପହଞ୍ଚି ସଂପୂର୍ଣ୍ଣ ସହଯୋଗ କରିଥିଲେ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କାମଶଳା ଗ୍ରାମର ଦଶରଥ ପଧାନଙ୍କ ପୁଅ ଅକ୍ଷୟ ମଧ୍ୟ ବାହାଘରରେ ସହଯୋଗ କରିଥିଲେ ।