28.1 C
Bhubaneswar
Saturday, April 27, 2024
Homeଓଡିଶାଜୟଙ୍କ ପରେ ଭର୍ତ୍ତୃହରି ଏବେ ବିଜେପି ମୁହାଁ

ଜୟଙ୍କ ପରେ ଭର୍ତ୍ତୃହରି ଏବେ ବିଜେପି ମୁହାଁ

ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରେ ଏବେ ଦେଖାଦେଇଛି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ବିଜେପି ମୁହାଁ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି । କିଛିଦିନ ଧରି କାର୍ଯ୍ୟଧାରାକୁ ଦେଖିଲେ ସେ ଯେ ଆଉ ବିଜେଡି ପାଇଁ ବ୍ୟସ୍ତ କି ବିବ୍ରତ ନଥିବା ପରିଲକ୍ଷିତ ହୋଇଛି । ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିବା ଘଟଣାକୁ ନେଇ ବିଜେପି ଓ ବିଜେଡି ଭିତରେ ବାକ୍ ଯୁଦ୍ଧ ଚାଲିଛି । ଏହି କ୍ଷେତ୍ରରେ ଭର୍ତ୍ତୃହରି କୌଣସି ମତ ରଖୁ ନାହାଁନ୍ତି ନିରବ ରହିଛନ୍ତି । ଘଟଣାର ଗୁରୁତ୍ୱକୁ ତାଙ୍କ ଭଳି ଜଣେ ଚତୁର ରାଜନେତା ଯେ ଅନୁଭବ କରିପାରୁ ନଥିବେ ଏହା କୁହାଯାଇ ପାରିବ ନାହିଁ ।

ଏହା ସତ୍ତ୍ୱେ ସେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ଖୋଲା ସମାଲୋଚନା କରୁଛନ୍ତି । ବୁଧବାର ହୋଇଥିବା ବିଷୁବ ମିଳନ କାର୍ଯ୍ୟକ୍ରମରେ ସେ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ନେଇ ଯେଭଳି ସମାଲୋଚନା କଲେ ତାହା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲାବେଳେ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ତିରସ୍କାର କରିଥିଲେ । ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ଭର୍ତ୍ତୃହରି ଆଉ ବିଜେଡି ପ୍ରତି ଆକୃଷ୍ଟ ନାହାନ୍ତି । ମାନସିକ ସ୍ତରରେ ସେ ଆଉ ଦଳ ସହ ନଥିବା ଏଥିରୁ ପରିଲକ୍ଷିତ ହେଉଛି । ଲଗାତାର ଭାବେ ବିଜେଡି ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଅଣଦେଖା କରିବା ପରେ ସେ ଏବେ ବିଜେପି ମୁହାଁ ହୋଇଥିବା ଆଲୋଚନା ହେଉଛି ।

ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ଓଡ଼ିଶା ଇତିହାସ ପୁସ୍ତକର ହିନ୍ଦୀ ସଂସ୍କଳନକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ ବେଳେ ଭର୍ତ୍ତୃହରିଙ୍କୁ ଯେଉଁଭଳି ଭାବେ ପ୍ରଶଂସାରେ ପୋତିପକାଇଲେ ଓ ଯେଉଁ ଭଳି ଭାବରେ ଉଚ୍ଚସ୍ଥାନ ଦେଲେ ତାହା ବିରଳ । ଏବେ ମଙ୍ଗଳବାର ବିଷୁବ ମିଳନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭର୍ତ୍ତୃହରି ଜଣେ ମହାନ୍ ନେତା ବୋଲି ପ୍ରତିପାଦିତ କଲେ । ତାଙ୍କର କାର୍ଯ୍ୟକୁ ସମଗ୍ର ଦେଶରେ ସ୍ୱୀକୃତି ଦିଆଯାଇଥିବଲାବେଳେ ଏଭଳି ଜଣେ ବ୍ୟକ୍ତିଙ୍କୁ ବିଜେଡି ହତାଦାର କରୁଛି ବୋଲି କହିଥିଲେ। ଏକଥା କହି ବିଜେଡି ସହ ଭର୍ତ୍ତୃରିଙ୍କ ସମ୍ପର୍କ ଭଲ ନଥିବା ଏବଂ ଭର୍ତ୍ତୃହରିଙ୍କୁ ବିଜେଡିରେ ଗୁରୁତ୍ୱ ଦିଆଯାଉନଥିବା କଥା ଖୋଲାଖୋଲି ଜଣାଇଦେଲେ । ଯାହା ଲୁଚିଛପି ଚର୍ଚ୍ଚା ହେଉଥିଲା ତାକୁ ଧର୍ମେନ୍ଦ୍ର ପୁରା ଲୋକଲୋଚନକୁ ନେଇ ଆସିଲେ । ଏପରିକି ଧର୍ମେନ୍ଦ୍ର ପରୋକ୍ଷରେ ସୂଚାଇ ଦେଲେ ଯେ ଭର୍ତ୍ତୃହରି ତାଙ୍କ ଦଳ ସହ ଅଛନ୍ତି । ଧର୍ମେନ୍ଦ୍ରଙ୍କ ମତକୁ ନେଇ ବିଜେଡି ରାଜନୀତିରେ ଏବେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଟ୍ୱିଟ୍ କରି ଧର୍ମେନ୍ଦ୍ରଙ୍କୁ ତାତ୍ସଲ୍ୟ କଲେ । ଏଥିରେ ପ୍ରଣବଙ୍କୁ ବିଜେପି ରାଷ୍ଟ୍ରିୟ ମୁଖ ପାତ୍ର ସମ୍ବିତ ପାତ୍ର ପାଲଟା ଟ୍ୱିଟ୍ କରି ବହୁ କଟୁ କଥା କହିଥିଲେ । ଏ ସବୁ ବିଷୟରେ ଭର୍ତ୍ତୃହରି ବେଶ୍ ଅବଗତ ଥିଲେ । ଦୁଇ ଦଳ ଭିତରେ ତିକ୍ତତା କୁଆଡ଼କୁ ଯାଉଛି ତାହା ସେ ବୁଝି ନଥିବେ ଏକଥା କହି ହେବନି । ଯାହାକୁ ନେଇ ରାଜନୈତିକ ବାଦ୍ ବିବାଦ ଜାରି ରହିଛି ।

ଏତେ କଥା ପରେ ବୁଧବାର ବିଷୁବ ମିଳନର ଉଦଯାପନୀ କାର୍ଯ୍ୟକ୍ରମରେ ଭର୍ତ୍ତୃହରି ମହତାବ ଯେଉଁ ବକ୍ତବ୍ୟ ରଖିଛନ୍ତି ତାହା ସବୁଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ । ତାଙ୍କର ଉଦ୍ଦେଶ୍ୟ ଆଉ ଅଛପା ରହୁ ନାହିଁ ବୋଲି କୁହାଯାଉଛି । ଭର୍ତ୍ତୃହରି ଏହି କାର୍ଯ୍ୟକ୍ରମରେ କହିଛନ୍ତି,କେନ୍ଦ୍ର ସରକାର ଭାରତୀୟ ଭାଷା ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ଲାଗି ନିର୍ଣ୍ଣୟ ନେଇଛନ୍ତି । ଏଥିରେ ସଂସ୍କୃତ ସମେତ କନ୍ନଡ, ଓଡ଼ିଆ,ତାମିଲ ଓ ଆସାମିଆ ଭଳି ପାଖାପାଖି ୧୨ ଭାରତୀୟ ଭାଷାର ମାନ ସ୍ଥାନିତ ହୋଇଛି । ଅନ୍ୟପଟେ ଓଡ଼ିଆ ବିଶ୍ୱିବିଦ୍ୟାଳୟ କଥା ଅନେକ ବର୍ଷ ହେବ ଶୁଣାଗଲାଣି କିନ୍ତୁ ସେ କାର୍ଯ୍ୟ କେଉଁ ଅବସ୍ଥାରେ ଅଛି ତାକୁ ଜାଣିବା ପାଇଁ ୧୫ଟା ଜାଗା ଯିବାକୁ ପଡ଼ୁଛି । ଏହା ଅତ୍ୟନ୍ତ ଚିନ୍ତା ଜନକ ବୋଲି ସେ କହିଥିଲେ । କେନ୍ଦ୍ରକୁ ପ୍ରଶଂସା କରି ନବୀନଙ୍କ ପଦକ୍ଷେପକୁ କଟାକ୍ଷ କଲେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଅକ୍ଟୋବର ୯ରେ ପୁରୀର ସତ୍ୟବାଦୀ ବକୁଳ ବନରେ ଏହି ଓଡ଼ିଆ ବିଶ୍ୱବିଦ୍ୟାଳୟ ଶିଳାନ୍ୟାସ କରିଥିଲେ । ଏକଥା ଭର୍ତ୍ତୃହରି ବେଶ୍ ଅବଗତ ଥିବେ ।

ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ଭର୍ତ୍ତୃହରି ଏଭଳି ଖୋଲା ସମାଲୋଚନା କରିବା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । ପୂର୍ବରୁ ମଧ୍ୟ କଟକରେ ବସ୍ ଟର୍ମିିନାଲ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସେ ସମାଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ଗୋଟିଏ ପରେ ଗୋଟିଏ ସେ ସମାଲୋଚନା କରି ସେ ସୁଚାଇ ଦେଉଛନ୍ତି ଯେ, ବିଜେଡି ସହ ସେ ଆଉ ରହିବାକୁ ଚାହୁନହାଁନ୍ତି ବୋଲି ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking