30.1 C
Bhubaneswar
Friday, May 3, 2024
Homeଓଡିଶାପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲରେ ସବୁ ପିଲାଙ୍କୁ ମିଳିବ ପରିଚୟ ପତ୍ର

ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲରେ ସବୁ ପିଲାଙ୍କୁ ମିଳିବ ପରିଚୟ ପତ୍ର

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ସ୍କୁଲଗୁଡିକର ଭିତ୍ତିଭୂମି ଏବଂ ଶିକ୍ଷାଦାନ ବ୍ୟବସ୍ଥା ଉପରେ ରାଜ୍ୟ ସରକାର ସର୍ବାଧିକ ପରିବର୍ତ୍ତନ ଆଣିଛନ୍ତି । ଗୁଣାତ୍ମକ ଶିକ୍ଷା ସହ ସରକାରୀ ସ୍କୁଲରେ ପାଠପଢ଼ୁଥିବା ପିଲାଙ୍କୁ ଘରୋଇ ସ୍କୁଲ ପରି ସୁବିଧା ସୁଯୋଗ ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଘରୋଇ ସ୍କୁଲରେ ଯେପରି ପିଲାଙ୍କୁ ସୁବିଧା ଯୋଗାଇ ଦିଆଯାଉଛି ସେଭଳି ସୁବିଧା ମଧ୍ୟ ସରକାରୀ ସ୍କୁଲରେ ଉପଲବ୍ଧ ହେବ । ତେଣୁ ଘରୋଇ ସ୍କୁଲରେ ପ୍ରତ୍ୟେକ ପିଲାଙ୍କୁ ଯେପରି ପରିଚୟ ପତ୍ର ପ୍ରଦାନ କରାଯାଉଛି ସେହିଭଳି ପରିଚୟପତ୍ର ଏଣିକି ରାଜ୍ୟର ସରକାରୀ ସ୍କୁଲରେ ପଢ଼ୁଥିବା ପ୍ରଥମରୁ ପଞ୍ଚ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯିବ ।

ବିଶେଷକରି ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ରାଜ୍ୟରେ ଏଣିକି ସବୁ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ଲାଗି ପରିଚୟ ପତ୍ର ବାଧ୍ୟତାମୂଳକ ହୋଇଛି । ଆସନ୍ତା ଶିକ୍ଷା ବର୍ଷରୁ ଏହି ବ୍ୟବସ୍ଥା ଲାଗୁ ହେବ । ସମ୍ପୃକ୍ତ ପରିଚୟ ପତ୍ରରେ ଉଭୟ ଅଭିଭାବକ ଏବଂ ସ୍କୁଲର ପ୍ରଧାନଶିକ୍ଷକ ମୋବାଇଲ ନମ୍ବର ରହିବ । ରାଜ୍ୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ ପ୍ରଥମ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୭ଲକ୍ଷ ୭୧ ହଜାର ୨୪୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଏନେଇ ମାଟ୍ ୩ କୋଟି ୭୭ ଲକ୍ଷ ୧୨ହଜାର ୪୯୦ଟଙ୍କା ଖର୍ଚ୍ଚ କରାଯିବ । ୨୦୨୪-୨୫ ଶିକ୍ଷାବର୍ଷରୁ ପିଲାଙ୍କୁ ଯେପରି ପରିଚୟ ପତ୍ର ମିଳିବ ସେ ଦିଗରେ ସ୍କୁଲର ପ୍ରଧାନଶିକ୍ଷକ ନଜର ଦେବେ ବୋଲି ଜଣାପଡ଼ିଛି । ପ୍ରତି କାର୍ଡ ପିଛା ସର୍ବାଧିକ ୧୦ଟଙ୍କା ଖର୍ଚ୍ଚ କରାଯିବ ।

ଏନେଇ ଜିଲ୍ଲା ୱାରୀ କେଉଁ ସ୍କୁଲରେ କେତେ ଛାତ୍ରଛାତ୍ରୀ ପଢ଼ୁଛନ୍ତି ତା’ର ରିପୋର୍ଟ ପ୍ରଧାନଶିକ୍ଷକ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ରିପୋର୍ଟ ଦାଖଲ କରାଯିବା ପରେ ଜୁନ୍‌ରୁ ସ୍କୁଲୱାରି ପରିଚୟପତ୍ର ବଣ୍ଟା ଯିବ । ରାଜ୍ୟରେ ସରକାରୀସ୍କୁଲ ଗୁଡିକରେ ଗତ ୫ବର୍ଷ ହେବ ନବମ ଏବଂ ଦଶମ ଛାତ୍ରଛାତ୍ରୀଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି । ମାତ୍ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଲାଗି କୌଣସି ପରିଚୟ ପତ୍ର ବ୍ୟବସ୍ଥା ହୋଇନଥିଲା । ଘରୋଇ ସ୍କୁଲଗୁଡିକରେ ପିଲାଙ୍କୁ ଘରୁ ସ୍କୁଲକୁ ନେବା ଆଣିବା ଲାଗି ବିଭିନ୍ନ ବ୍ୟବସ୍ଥା ଥିବା ବେଳେ ସରକାରୀ ସ୍କୁଲରେ କୌଣସି ବ୍ୟବସ୍ଥା ନାହିଁ । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଅଭିଭାବକମାନେ ସ୍କୁଲକୁ ଆଣୁଥିବା ବେଳେ ୪ର୍ଥଶ୍ରେଣୀ ପିଲାମାନେ ପ୍ରାୟ ଏକୁଟିଆ ସ୍କୁଲକୁ ଯାଇଥାନ୍ତି । ଅନେକ ସମୟରେ ବିଭିନ୍ନ କାରଣରୁ ପିଲାମାନେ ଦୁର୍ଘଟଣା ତଥା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ମାତ୍ର ପିଲାମାନଙ୍କ ପାଖରେ କୌଣସି ପରିଚୟପତ୍ର ବା ପିଲାମନେ କେଉଁ ସ୍କୁଲର ସେ ସମ୍ପର୍କରେ କିଛି ତଥ୍ୟ ନଥିବାରୁ ପିଲାଙ୍କୁ ଦୁର୍ଘଟଣାରୁ ରକ୍ଷାକରୁଥିବା ବ୍ୟକ୍ତି ପିଲାଙ୍କ ପରିଚୟ ଲାଗି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହାବ୍ୟତୀତ ସ୍କୁଲରେ ମଧ୍ୟ ପିଲାଙ୍କ ତାଲିକାରେ ଏହି ପରିଚୟ ପତ୍ର ବେଶ ସହାୟକ ହୋଇପାରିବ । ସମ୍ପୃକ୍ତ ପରିଚୟ ପତ୍ରରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ଅଭିଭାବକଙ୍କ ନାମ, ଘର ଠିକଣା, ସ୍କୁଲର ସମ୍ପୁର୍ଣ୍ଣ ଠିକଣା ଏବଂ ଯୋଗାଯୋଗ ନମ୍ବର , ବ୍ଲଡ ଗ୍ରୁପ୍ ରହିବ । ଏହାବ୍ୟତୀତ ଏହି ପରିଚୟ ପତ୍ରକୁ ଯେପରି ପିଲାମାନେ ଦୈନିକ ସ୍କୁଲକୁ ଆଣିବେ ସେଥିପାଇଁ ମଧ୍ୟ ପ୍ରଧାନ ଶିକ୍ଷକ ନଜର ଦେବେ । ତେବେ ଏହି ବ୍ୟବସ୍ଥାରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ୧୯ ଲକ୍ଷ ୪୧ ହଜାର ୫୨୬ଜଣ ଛାତ୍ର ଏବଂ ୧୮ଲକ୍ଷ ୨୯ହଜାର ୭୨୩ ଜଣ ଛାତ୍ରୀଙ୍କୁ ପରିଚୟ ପତ୍ର ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking