32.1 C
Bhubaneswar
Friday, April 26, 2024
Homeଓଡିଶାସହଯୋଗର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର : ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀଗଲେ ଶିଶୁ ଯକୃତ...

ସହଯୋଗର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର : ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀଗଲେ ଶିଶୁ ଯକୃତ ରୋଗୀ 

କଟକ : ଯକୃତ ରୋଗରେ ପୀଡ଼ିତ ଜଣେ ତିନିବର୍ଷର ଶିଶୁକୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ସଫଳ ଉଦ୍ୟମ କରାଯାଇଛି । ରବିବାର ପୂର୍ବାହ୍ଣ ୧୧ଟାରେ ଶିଶୁଙ୍କ ସହ ତାଙ୍କ ପରିବାର ସଦସ୍ୟ ଟ୍ରେନ୍ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି । ସେଠାକାର ଆଇଏଲ୍‌ବିଏସ୍ ହସ୍‌ପିଟାଲରେ ସେ ଚିକିତ୍ସିତ ହେବେ । ଏଥିପାଇଁ ସାଂସଦ ଅମର ପଟ୍ଟନାୟକ ଏବଂ ଓଡ଼ିଶା-ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ସହଯୋଗର ହାତ ବଢାଇଥିଲାବେଳେ ପରବର୍ତ୍ତୀ ଅବସ୍ଥାରେ ଚିକିତ୍ସା ପାଇଁ ସବୁ ପ୍ରକାର ସାହାଯ୍ୟ ପ୍ରଦାନ କରାଯିବ ବୋଲି ଏହି ଦୁଇ ଜନନେତା କହିଛନ୍ତି । ଏଥି ସହିତ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅନୁରୋଧକ୍ରମେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଓଏସ୍‌ଟିଏଫ୍ ଫଣ୍ଡରୁ ୫ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ଯୋଗୋଇ ଦିଆଯିବ ବୋଲି ଜଣାପଡ଼ିଛି । ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ କୟଳପଡ଼ା ପଞ୍ଚାୟତ ଢିଅସାହିର ମାନସ ବାରିକଙ୍କ ଶିଶୁପୁତ୍ର ଶିବଶଙ୍କର ଦୀର୍ଘ ଦୁଇବର୍ଷରୁ ଊର୍ଦ୍ଧ୍ୱ ହେବ ଯକୃତଜନିତ ରୋଗରେ ପୀଡ଼ିତ । ଆର୍ଥିକ ଦୂରବସ୍ଥା ଯୋଗୁଁ ଶିଶୁଟିର ଅଧିକ ଚିକିତ୍ସା କରାଇବା ସମ୍ଭବ ହୋଇପାରୁନଥିଲା । ଏହି ଖବର ଜାଣିବା ପରେ ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ଶିଶୁର ପରିବାରଙ୍କୁ ଭେଟି ସହାୟତାର ହାତ ବଢ଼ାଇଥିଲେ । ଦୀର୍ଘ ଦୁଇବର୍ଷ ଧରି ଶିଶୁଟି କଟକ ଏସ୍‌ସିବି ମେଡିକାଲର ଯକୃତ ବିଭାଗରେ ଚିକିତ୍ସାଧୀନ ଥିଲା । ଚିକିତ୍ସା ବାବଦରେ ସମସ୍ତ ଖର୍ଚ୍ଚ ଶ୍ରୀ ବିଶ୍ୱାଳ ଭରଣା କରିବା ସହିତ ଡାକ୍ତରଙ୍କ ସହିତ ସର୍ବଦା ଆଲୋଚନା ଜାରି ରଖିଥିଲେ । ତେବେ ଏସ୍‌ସିବି ଡାକ୍ତର ଶିଶୁଟିର ଚିକିତ୍ସାରେ ଉନ୍ନତି ନିମନ୍ତେ ଦିଲ୍ଲୀସ୍ଥିତ (ଆଇଏଲ୍‌ବିଏସ୍ ହସ୍‌ପିଟାଲ)କୁ ନେବା ପାଇଁ ପରାମର୍ଶ ଦେଇଥିଲେ । ଦିଲ୍ଲୀ ଯିବା ପାଇଁ ଶ୍ରୀ ବିଶ୍ୱାଳ ଟ୍ରେନ୍ ଟିକଟ୍‌ର ସମସ୍ତ ବ୍ୟବସ୍ଥା କରିଥିଲେ ମଧ୍ୟ କୋଭିଡ୍ ମହାମାରୀରେ ଜାରି କରାଯାଇଥିବା ଲକ ଡାଉନ୍ ଏବଂ ସଟ୍ ଡାଉନ ଯୋଗୁ ଦିଲ୍ଲୀ ଯିବା ସମ୍ଭବପର ହୋଇପାରିନଥିଲା । ସେହି ସମୟରେ କଟକ ଆରଡିସିଙ୍କ କାର୍ଯ୍ୟାଳୟରେ ଆର୍‌ଡିସି, ଜିଲ୍ଲାପାଳ ଏବଂ ଚୌଦ୍ୱାର-କଟକର ପୂର୍ବତନ ବିଧାୟକଙ୍କ ଉପସ୍ଥିତିରେ ୫୦ ହଜାର ଟଙ୍କା ଏବଂ ପୂର୍ବତନ ବିଧାୟକଙ୍କ ଦ୍ୱାରା ୩୦ ହଜାର ଟଙ୍କା ଏବଂ ଚୌଦ୍ୱାର-କଟକର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଖାପାଖି ୧ ଲକ୍ଷ ୩୦ହଜାର ଟଙ୍କା ଏହିପରି ସର୍ବମୋଟ ୨ ଲକ୍ଷ ଟଙ୍କା ଶିଶୁଟିର ବାପାଙ୍କୁ ପ୍ରଦାନ କରାଯାଇଥିଲା । ଏଥି ସହିତ ଚୌଦ୍ୱାର-କଟକର ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ୨ ବର୍ଷ ପୂର୍ବରୁ ଏହି ଶିଶୁଟି ପାଇଁ ଓଏସ୍‌ଟିଏସ୍ ଏବଂ ସିଏମ୍‌ଆର୍‌ଏଫ୍ ପାଇଁ ସମସ୍ତ କାଗଜପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଆଜି ଶିଶୁଟି ଦିଲ୍ଲୀ ଯାତ୍ରା କରିବା ଅବସରରେ କଟକ ରେଳଷ୍ଟେସନ୍‌ରେ ବିଧାୟକଙ୍କ ପ୍ରତିନିଧି ଇଂ. ସୁବ୍ରତ ଘଡ଼େଇ, ପୂର୍ବତନ କର୍ପୋରେଟର୍ ରଞ୍ଜନ କୁମାର ବିଶ୍ୱାଳ, ଜୟଦେବ ଜେନା, ସମାଜସେବୀ ସୁକଦେବ ପାତ୍ର, ଦିଲ୍ଲୀପ କୁମାର ସାହୁ, ଶୁଭେନ୍ଦୁ ସେନଗୁପ୍ତା, ଭିମସେନ ସାବତ, ଛାତ୍ର ନେତା ଚିନ୍ମୟ ଦାସ, ଭବାନୀଶଙ୍କର ଦାସ, ଆସିଫ ଅମିନ, ଅଭିଜିତ ଦାସ ଏବଂ ଅଭିଷେକ ବଳ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking