28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଦିବ୍ୟାଙ୍ଗ ପରିବାର ପ୍ରତି ପ୍ରଶାସନର ଅଣଦେଖା 

ଦିବ୍ୟାଙ୍ଗ ପରିବାର ପ୍ରତି ପ୍ରଶାସନର ଅଣଦେଖା 

ନିଶ୍ଚିନ୍ତକୋଇଲି :  କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ୍ ଜିଗ୍ନୀପୁର ଗ୍ରାମପଞ୍ଚାୟତ ମହାଜନପୁର ଦଳିତ ସାହିରେ ପ୍ରଶାସନ ତରଫରୁ ଜଣେ ଦିବ୍ୟାଙ୍ଗଙ୍କ ପରିବାରକୁ ଅଣଦେଖା କରାଯାଉଥିବାର ଅଭିଯୋଗ ହୋଇଛି । ଏହି ପରିବାର ୬ପ୍ରାଣୀ ଅତ୍ୟନ୍ତ ଦୟନୀୟ ଭାବେ ଏକ ଭଙ୍ଗା କୁଡ଼ିଆରେ ବାସ କରୁଥିଲା ବେଳେ ଏମାନଙ୍କ ପାଇଁ ଆବାସ ଯୋଜନା ସାତସପନ ପାଲଟିଛି । ପ୍ରଶାସନର ଦିବ୍ୟାଙ୍ଗ ପରିବାର ପ୍ରତି ଏହା ଉପହାସ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ମହାଜନପୁର ଦଳିତ ସାହିର ହରେକୃଷ୍ଣ ମଳିକ (୪୦) ଜଣେ ଭୂମିହୀନ ଓ ଗରିବ ବ୍ୟକ୍ତି । ହରେକୃଷ୍ଣଙ୍କ ପତ୍ନୀ ସାରଥୀଙ୍କ ବ୍ୟତୀତ ବଡ଼ଝିଅ ସଂଘମିତ୍ରା (୧୫), ସାନଝିଅ ମୋନାଲିସା (୧୩), ସ୍ଥାନୀୟ ମହାଜନପୁର ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପୁତ୍ର ଗୌରୀଶଙ୍କର (୧୧) ଓ ୪ର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିବା ପୁତ୍ର ହରିଶଙ୍କର (୮) ହେଉଛନ୍ତି ତାଙ୍କ ତେଲଲୁଣର ସଂସାର । ହରେକୃଷ୍ଣ ଗାଡ଼ିଚାଳନା କରି ପରିବାରକୁ କୌଣସି ମତେ ଚଳାଇ ଆସୁଥିଲେ । ଗାଡ଼ିଚାଳକରୁ ହରେକୃଷ୍ଣ ଅସୁସ୍ଥ ହୋଇ ଦିବ୍ୟାଙ୍ଗ ପାଲଟି ଯାଇଥିଲେ । ତାଙ୍କର ପତ୍ନୀ ଜମିବାଡ଼ି ଓ ଘରର ଆସବାବପତ୍ର ବିକ୍ରୟ କରି ହରେକୃଷ୍ଣଙ୍କ ପିଛା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ସେ ଭଲ ହୋଇପାରିନଥିଲେ । ବରଂ ପଙ୍ଗୁ ପାଲଟି ଯାଇଥିଲେ । କୌଣସି କାମଧନ୍ଦା କରି ପାରିନଥିଲେ । ଘରୁ ପଦାକୁ ବାହାରିବା ତାଙ୍କ ପକ୍ଷେ କାଠିକର ପାଠ ହୋଇଥିଲା । ଆର୍ଥିକ ଅନାଟନ ହେତୁ ହରେକୃଷ୍ଣଙ୍କ ପରିବାର ମୁଣ୍ଡ ଗୁଞ୍ଜିବା ନିମନ୍ତେ ଏକ ପକ୍କା ଗୃହ ନିର୍ମାଣ କରିପାରିନଥିଲେ । ଏହି ପରିବାର ଏକ କୁଡ଼ିଆ ଘରେ ଅତ୍ୟନ୍ତ ଦୟନୀୟ ଭାବେ ବାସ କରୁଛନ୍ତି । ଏପରି ସ୍ଥଳେ ଗତ ସାମୁଦ୍ରିକ ବାତ୍ୟା ଫାନିରେ ତାଙ୍କର କୁଡ଼ିଆ ଘରଟି ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଥିଲା । ନିଶ୍ଚିନ୍ତକୋଇଲି ତହସିଲଠାରୁ ମାତ୍ର ଅଧକିଲୋମିଟର ଦୂରରେ ଥିବା ଏହି ପରିବାରକୁ କୌଣସି ଘରଭଙ୍ଗା ସହାୟତା ପ୍ରଦାନ କରାଯାଇନଥିଲା । ଏପରିକି ଏହି ପଞ୍ଚାୟତର ବହୁ ଥିଲାବାଲା ଘରଭଙ୍ଗା ସହାୟତା ରାଶି ହାତେଇଥିବାର ନଜିର ରହିଥିଲା ବେଳେ ଏହି ପରିବାର ଘରଭଙ୍ଗା ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଘର ଉପରେ ଚିରା , ଫଟା ଜରି କେତେ ଖଣ୍ଡ ଟଙ୍ଗାଯାଇଛି ।  ଟିକିଏ ବର୍ଷା ହେଲେ ଘରେ ପାଣିର ଲହଡ଼ି ଖେଳୁଛି । ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ନିକଟରେ ଏକାଧିକବାର ଗୁହାରି କରିଥିଲେ ମଧ୍ୟ ଏଥିପ୍ରତି କେହିହେଲେ କର୍ଣ୍ଣପାତ କରିନଥିବାର ଅଭିଯୋଗ ହୋଇଛି । କେବଳ ରାସନ କାର୍ଡରେ ଚାଉଳ ଓ ଗହମ କିଛି ତାଙ୍କୁ ମିଳୁଛି । ଯାହାକି ସମୁଦ୍ରକୁ ଶଙ୍ଖେ । ହରେକୃଷ୍ଣଙ୍କ ପତ୍ନୀ ଗାଁ’ରେ ପାଇଟି କରି ରୋଜଗାର କରୁଥିବା ସ୍ପଳ୍ପ ଅର୍ଥରେ ୬ପ୍ରାଣୀଙ୍କୁ ବହୁ କଷ୍ଟରେ ବଞ୍ଚାଇ ରଖିଛନ୍ତି । ଆର୍ଥିକ ଅନାଟନ ହେତୁ ଏହି ୪ ଭାଇ ଭଉଣୀଙ୍କ ପାଠ ପଢାରେ ଡ଼ୋରିବନ୍ଧା ହେବାର ଆଶଙ୍କା ପ୍ରକାଶ ପାଇଛି । ପ୍ରଶାସନ ତରଫରୁ ତୁରନ୍ତ ଏହି ଅସହାୟ ଦିବ୍ୟାଙ୍ଗ ପରିବାରକୁ ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବା  ନିମନ୍ତେ ସାମାଜିକ କର୍ମୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking