29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶନବ ଦାସ ହତ୍ୟା ମାମଲା; ଏଫ୍‌ବିଆଇ ସହାୟତା ପାଇଁ କେନ୍ଦ୍ରକୁ ଚିଠି କରିଥିଲା ଗୃହ ବିଭାଗ

ନବ ଦାସ ହତ୍ୟା ମାମଲା; ଏଫ୍‌ବିଆଇ ସହାୟତା ପାଇଁ କେନ୍ଦ୍ରକୁ ଚିଠି କରିଥିଲା ଗୃହ ବିଭାଗ

କଟକ: ବହୁଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍ (ଏଫ୍‌ବିଆଇ) ଦ୍ୱାରା ତଦନ୍ତ କରାଯିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଚିଠି ଦିଆଯାଇଥିଲା । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଗତ ଫେବୃୟାରୀ ୨୨ ତାରିଖରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟକୁ ଉକ୍ତ ଚିଠି କରାଯାଇଥିଲା ବୋଲି ରାଜ୍ୟ କ୍ରାଇମବ୍ରାଞ୍ଚ ଏକ ପ୍ରେସ୍ ଇସ୍ତାହାରରେ ଆଜି ସ୍ପଷ୍ଟ କରିଛି । ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସ ଓ ତାଙ୍କ ପରିବାର ଲୋକେ ଗୋପାଳ ମାନସିକ ଅସୁସ୍ଥ ଓ ସେଥିପାଇଁ ମେଡିସିନ୍ ଖାଉଛନ୍ତି ବୋଲି ଦାବି କରିଥିଲେ । ତେଣୁ ଗୋପାଳଙ୍କ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା ।

ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଗୋପାଳ ମାନସିକ ଭାବେ ସୁସ୍ଥ ଥିବା ଜାଣିବାକୁ ପାଇବା ସହ ଅଧିକ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ମାମଲାର ଗୁରୁତ୍ୱ, ସମ୍ବେଦନଶୀଳତା ଓ ବିରଳତା କାରଣରୁ ସବୁଠୁ ଭଲ ବିଶେଷଜ୍ଞ ଓ ଉନ୍ନତ ଜ୍ଞାନ କୌଶଳ ଦ୍ୱାରା ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ ନିଷ୍ପତ୍ତି ନେଇଥିଲା । ଏଥିପାଇଁ ନୂଆଦିଲ୍ଲୀର ସେଣ୍ଟ୍ରାଲ ଫୋରେନ୍‌ସିକ ସାଇନ୍ସ ଲାବୋରାଟୋରୀ,ଗୁଜୁରାଟର ରାଜ୍ୟଫୋରେନ୍‌ସିକ ଲାବୋରାଟୋରୀ, କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର ବିଶେଷଜ୍ଞଙ୍କ ଦ୍ୱାରା ଗୋପାଳଙ୍କ ମାନସିକ ଅବସ୍ଥା ଯାଞ୍ଚ କରାଯାଇଥିଲା । ହେଲେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବାଙ୍ଗାଲୋରସ୍ଥିତ ନିମ୍‌ହାନ୍ସର ବିଶେଷଜ୍ଞ ଦଳକୁ ଓଡ଼ିଶା ପଠାଇବା ନିମନ୍ତେ କ୍ରାଇମବ୍ରାଞ୍ଚ ଅନୁରୋଧ କରିଥିବା ବେଳେ ସେମାନେ ଏ ଦିଗରେ ଅକ୍ଷମତା ପ୍ରକାଶ କରିଥିଲେ ।

ତେବେ ଗୋପାଳଙ୍କ ମାନସିକ ସ୍ୱାସ୍ଥ୍ୟ ଠିକ୍ ଥିବା ସ୍ପଷ୍ଟ ପ୍ରମାଣ କରିବାକୁ ଏଫ୍‌ବିଆଇ ଦ୍ୱାରା ଯାଞ୍ଚ କରାଇବା ନିମନ୍ତେ କ୍ରାଇମବ୍ରାଞ୍ଚ ସ୍ଥିର କରିଥିଲା । ଏଫ୍‌ବିଆଇର ସବୁଠାରୁ ଭଲ ବିଶେଷଜ୍ଞ ଓ ଯନ୍ତ୍ରପାତି ରହିଥିବା କାରଣରୁ ସୁଫଳ ମିଳିବାର ଆଶା ଥିଲା । ହେଲେ ନିୟମାନୁସାରେ କୌଣସି ରାଜ୍ୟ ସରକାର ସିଧାସଳଖ ଏଫବିଆଇକୁ ସହାୟତା ମାଗି ପାରିବେ ନାହିଁ । କେବଳ କେନ୍ଦ୍ର ସରକାରଙ୍କ ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଏହି ଆବେଦନ କରାଯିବାର ନିୟମ ରହିଛି । ମୁମ୍ବାଇ ବୋମା ବିସ୍ଫୋରଣ ମାମଲା ଓ ଭଓଁରୀ ଦେବୀ ହତ୍ୟାକାଣ୍ଡ ମାମଲାରେ ସିବିଆଇ ଏଫ୍‌ବିଆଇର ସହାୟତା ନେଇଥିଲା । ଅନୁରୂପ ଭାବେ ଏହି ମାମଲାର ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚର ଅନୁରୋଧ କ୍ରମେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଥିଲା ବୋଲି କ୍ରାଇମବ୍ରାଞ୍ଚ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking