29.1 C
Bhubaneswar
Saturday, April 27, 2024
Homeଓଡିଶାମଧ୍ୟାହ୍ନ ଭୋଜନ ପାଇଁ ଅଣ୍ଡା ବୋହିଲେ ଛାତ୍ର : ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ମଧ୍ୟାହ୍ନ ଭୋଜନ ପାଇଁ ଅଣ୍ଡା ବୋହିଲେ ଛାତ୍ର : ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । କେଉଁଠି ବିଦ୍ୟାଳୟକୁ ଶିକ୍ଷକ ଠିକ୍ ସମୟରେ ଆସୁନାହାନ୍ତି ତ ଆଉ କେଉଁଠି ସ୍କୁଲରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ଦାରିଙ୍ଗବାଡ଼ି ବ୍ଲକ୍‌ରେ ଶିକ୍ଷା ବ୍ୟବସ୍ଥା ଏଭଳି ଚାଲିଥିବା ବେଳେ ଗତକାଲି ସୋନପୁର ପଞ୍ଚାୟତର ସରକାରୀ ଦବେଡ଼ି ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରମାନେ ପାଠପଢ଼ା ସମୟରେ (ସକାଳ ସାଢ଼େ ୧୧ଟା) ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ବିଦ୍ୟାଳୟକୁ ଅଣ୍ଡା ବୋହୁଥିବା ଦେଖିବାକୁ ମିଳିଥିଲା ।
ସୂଚନା ଅନୁଯାୟୀ, ଦବେଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ବ୍ଲକ୍‌ର ଦୁର୍ଗମ ଅଞ୍ଚଳରେ ରହିଛି । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୬୮ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ବିଦ୍ୟାଳୟର ପାଠପଢା ତଦାରଖ କରିବାକୁ ଥିବା ଅଧିକାରୀମାନେ ନିୟମତ ବ୍ୟବଧାନରେ ଆସୁନଥିବା ଯୋଗୁଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସମୟରେ କାମ କରାଉଥିବା ବହୁ ଛାତ୍ରଙ୍କ ସମେତ ଷଷ୍ଠ ଶ୍ରେଣୀ ଛାତ୍ର ଶିବାନା ପାଟ୍ଟମାଝୀ ଓ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ନିୟୋଜିତ ମହିଳା କର୍ମଚାରୀମାନେ ଅଭିଯୋଗ ଆଣିଛନ୍ତି । ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ଛାତ୍ରମାନେ କାହା ନିଦ୍ଦେର୍ଶରେ ମଧ୍ୟାହ୍ନ ଭୋଜନ ପାଇଁ ଅଣ୍ଡା ଆଣିବାକୁ ଯାଇଥିଲେ ବୋଲି ପ୍ରଧାନଶିକ୍ଷକ ସରୋଜ କୁମାର ସିଂଙ୍କୁ ଆମ ପ୍ରତିନିଧି ପ୍ରଶ୍ନ କରିଥିଲେ । ସେ ସମୟରେ କ୍ଲାସ୍‌ରେ ପାଠ ପଢ଼ାଉଥିବାରୁ ଛାତ୍ରମାନେ ଅଣ୍ଡା ଆଣିବା ସମ୍ପର୍କରେ ସେ କିଛି ଜାଣିନଥିବା କହିଥିଲେ । ଛାତ୍ରମାନେ ବିଳମ୍ବରେ କ୍ଲାସ୍‌କୁ ଆସିବାରୁ ସେ କେବଳ ତାଗିଦ୍ କରିଥିବା କହିଥିଲେ ।
ଏଠାରେ ପ୍ରଶ୍ନ ଉଠୁଛି ଯେ ରାଜ୍ୟ ସରକାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରିଛନ୍ତି । କିନ୍ତୁ କିଛି ଶିକ୍ଷକ ଛାତ୍ରମାନଙ୍କୁ ବିଦ୍ୟାଳୟର ବିଭିନ୍ନ କାମରେ ନିୟୋଜିତ କରି ଶ୍ରମିକଙ୍କ ପରି ଖଟାଉଛନ୍ତି । ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପକ୍ଷରେ ଏ ବାବଦରେ ଗୋଷ୍ଠୀ ଶିକ୍ଷାଧିକାରୀ ବ୍ରହ୍ମାନନ୍ଦ ରାଉତଙ୍କୁ ପଚାରିବାରୁ ସେ ଏହି ଘଟଣାର ତଦନ୍ତ କରିବା ପାଇଁ ସିଆର୍‌ସିସି ରଜତ ସିଂକୁ ପଠାଇଛନ୍ତି ଏବଂ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସିଆର୍‌ସିସିଙ୍କ ଠାରୁ ରିପୋର୍ଟ ପାଇବା ପରେ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking