28.1 C
Bhubaneswar
Saturday, April 27, 2024
Homeଓଡିଶା୨୦ଜଣଙ୍କୁ ଗୋଡ଼ାଇ କାମୁଡ଼ିଲା ପାଗଳା କୁକୁର : ଡାକ୍ତରଖାନାରେ ମିଳୁନି ଇଞ୍ଜେକସନ

୨୦ଜଣଙ୍କୁ ଗୋଡ଼ାଇ କାମୁଡ଼ିଲା ପାଗଳା କୁକୁର : ଡାକ୍ତରଖାନାରେ ମିଳୁନି ଇଞ୍ଜେକସନ

ସାଲେପୁର : ସାଲେପୁର ଅଞ୍ଚଳରେ ପାଗଳା କୁକୁର କାମୁଡ଼ାରେ ଗୋଟିଏ ଦିନରେ ୨୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି । ଅପରପକ୍ଷରେ ଏହି ଡାକ୍ତରଖାନାରେ କୁକୁର କାମୁଡ଼ା ଇଂଜେକସନ୍ ନମିଳିବାରୁ ରୋଗୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବୁଧବାର ରାତିରେ ଏକ ପାଗଳା କୁକୁର ବୋଦାମୁଣ୍ଡାଇ ଗ୍ରାମରେ ପଶି ବିଜୟ କୁମାର ନାୟକଙ୍କୁ କାମୁଡ଼ି ରକ୍ତାକ୍ତ କରିଥିବାବେଳେ ସେଠାରୁ ଯାଇ ବାରିଗୋଳ ଗ୍ରାମରେ ୫ରୁ ଊର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ିଥିଲା । ସେହିପରି ଗୁରୁବାର ପ୍ରାତଃ ଭ୍ରମଣ କରୁଥିବା ରୋଧପୁର ଗ୍ରାମର ହରେକୃଷ୍ଣ ଚାନ୍ଦ(୭୨), ମାନି ବେହେରା(୪୫)ଙ୍କୁ କାମୁଡ଼ି ରକ୍ତାକ୍ତ କରିଥିବାବେଳେ ଚନ୍ଦ୍ରାଦେଈପୁର ଗ୍ରାମର କୃଷ୍ଣପ୍ରିୟା ସାହୁ(୫୦) ଓ ଅର୍ପ୍ରିତା ଭୂୟାଁ(୭)ଙ୍କୁ କାମୁଡ଼ି ରକ୍ତାକ୍ତ କରିଛି । ସେହିପରି ଆଜି ସକାଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ପାୟଲ ମହାନ୍ତି(୧୪) ସ୍କୁଲକୁ ଯିବା ନିମନ୍ତେ ସାଲେପୁର ଟ୍ରାଫିକ୍ ପୋଷ୍ଟ ନିକଟରେ ଛିଡା ହୋଇଥିବା ସମୟରେ ତାଙ୍କୁ ମଧ୍ୟ କାମୁଡ଼ି ରକ୍ତାକ୍ତ କରିଛି । କୁସମ୍ବୀ ଗ୍ରାମର ରାମକୃଷ୍ଣ ସାହୁ(୪୫), ବୋଇଲର ସୁଧାକର ଦାସ(୩୩), ବଟେଶ୍ୱରର ଗୌରୀଶଙ୍କର ଦିକ୍ଷୀତ(୮), ସାଲେପୁର କୋର୍ଟର ଆଇନ୍‌ଜୀବୀ ରାମଚନ୍ଦ୍ର ସାହୁଙ୍କ ସମେତ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏହି ପାଗଳା କୁକୁର କାମୁଡ଼ି ରକ୍ତାକ୍ତ କରିଛି । ଦୁଇଦିନ ହେବ ତିନିଖଣ୍ଡ ମୌଜାରେ ଏହି ପାଗଳା କୁକୁର ଆତଙ୍କ ଖେଳାଇଛି । ଏହି ପାଗଳା କୁକୁର ଭୟରେ ଲୋକମାନେ ଘରୁ ପଦାକୁ ବାହାରିବାପାଇଁ ସୁରକ୍ଷିତ ମଣୁନାହାନ୍ତି । ଯେଉଁ ବ୍ୟକ୍ତି ଘରୁ ପଦାକୁ ବାହାରୁଛି, ତାଙ୍କୁ ଏହି ପାଗଳା କୁକୁରର ଭୟ ଘାରିଛି ।
ପ୍ରାଣୀ ଚିକିତ୍ସା ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଏହି ପାଗଳା କୁକୁରକୁ ଆୟତ୍ତ କରିବାକୁ ଏହି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ଅପର ପକ୍ଷରେ ଗୋଟିଏ ଦିନ ମଧ୍ୟରେ ଏହି ପାଗଳା କୁକୁର କାମୁଡ଼ାରେ ୨୦ରୁ ଊର୍ଦ୍ଧ୍ୱ ରୋଗୀ ଆହତ ହୋଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିବାବେଳେ ସେଠାରେ କୁକୁର କାମୁଡ଼ା ଇଞ୍ଜେକ୍‌ସନ୍ ନମିଳିବାରୁ ଏହି ରୋଗୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଫଳରେ ବାଧ୍ୟ ହୋଇ ଏହି ରୋଗୀମାନେ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ଯାଇଥିବା ଜଣାଯାଇଛି । ସରକାର ପ୍ରତ୍ୟେକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିରାମୟ ଯୋଜନାରେ ଲୋକମାନଙ୍କୁ ବିନାମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଥିବାବେଳେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାହାର ବ୍ୟତିକ୍ରମ ଘଟିଛି । ଦୀର୍ଘ ୬ମାସ ଧରି ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡ଼ା ଇଂଜେକ୍‌ସନ୍ ମିଳୁନଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାଁନ୍ତି । ଫଳରେ ବହୁ ଦୂରଦୂରାନ୍ତରରୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କୁକୁର କାମୁଡ଼ା ଇଞ୍ଜେକ୍‌ସନ୍ ପାଇଁ ଆସୁଥିବା ରୋଗୀମାନେ ଡାକ୍ତରଖାନାରୁ ଇଂଜେକ୍‌ସନ୍ ନପାଇ ବାଧ୍ୟ ହୋଇ ବାହାରୁ ବିଭିନ୍ନ ମେଡିସିନ୍ ଷ୍ଟୋରରୁ କ୍ରୟ କରି ଦେଉଥିବା ଦେଖାଯାଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କୁକୁର କାମୁଡ଼ା ଇଞ୍ଜେକ୍‌ସନ୍ ଯୋଗାଇଦେବାପାଇଁ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking