28.1 C
Bhubaneswar
Saturday, April 27, 2024
Homeଅପରାଧ୪ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ , ୬ ଗିରଫ ଗାଡି ଡ୍ରାଇଭର...

୪ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ , ୬ ଗିରଫ ଗାଡି ଡ୍ରାଇଭର ଥିଲେ ମାଷ୍ଟର ମାଇଣ୍ଡ

ବଲାଙ୍ଗୀର,- ଗତ ମାସ ୨୨ ତାରିଖରେ ସଦର ଥାନା ଅନ୍ତର୍ଗତ ଶିନଖମନ ନିକଟରେ  ଏକ କାରରୁ ୪ ଲକ୍ଷ ଟଙ୍କା ଲୁଟ ହୋଇଥିଲା । ତେବେ ବଲାଙ୍ଗୀର ପୁଲିସ ଇତି ମଧ୍ୟରେ ଏହି ଲୁଟ ଘଟଣାର ପର୍ଦ୍ଦାଫାସ କରିଛି । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୮୩ ହଜାର ଟଙ୍କା , ୯ ଟି ମୋବାଇଲ ଓ ଲୁଟରେ ବ୍ୟବହୃତ ହୋଇଥିବା ଏକ ମୋଟର ସାଇକଲକୁ ଜବତ କରିଛି ବୋଲି ସ୍ଥାନୀୟ ସଦର ପୁଲିସ ଷ୍ଟେସନ ଠାରେ ଅନୁଷ୍ଠିତ ହୋଇଥିବା ଏକ ସାଂବାଦିକ ସମ୍ମିଳନୀରେ ବଲାଙ୍ଗୀର ଅତିରିକ୍ତ ଏସପି ମନୋରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସହର ର ଆମପଡାର ରାଜୀବ ପାତ୍ର(୨୫) , ଗାନ୍ଧୀନଗର ପଡାର ଆଶୁତୋଷ ମନହିରା(୩୦) , ରବି ସାହୁ(୨୬) , ଜୁନାଡିହିର ଶିବ ଜାଲ(୨୮) , ପୁଇଁନ୍ତଲା ଥାନା ଭୁର୍ଷିପାଲିର ପିଛାଲୁ ଓରଫ ସୁବାଷ ବାଗ (୨୪)  ଓ ସଇଁନ୍ତଲା ଥାନା ଖାସବାହାଲର କ୍ରିଷ୍ଣା ଓରଫ ପ୍ରମୋଦ କୁମାର ସେଠ(୨୭) । କାର ଡ୍ରାଇଭର କ୍ରୀଷ୍ଣା ହିଁ ଘଟଣାର ମାଷ୍ଟର ମାଇଣ୍ଡ ଥିଲା ବୋଲି ପୁଲିସ କହିଛି ।

ପୁଲିସର ସୂଚନା ଅନୁଯାୟୀ , ବଙ୍ଗୋମୁଣ୍ଡା ଥାନା ବେଲପଡା ଗାଁର ମୂଳ ବାସିନ୍ଦା ହୋଇଥିବା ଲୋକନାଥ ମେହେର ବର୍ତ୍ତମାନ ବଲାଙ୍ଗୀର ସହର ପ୍ୟାଲେସ ଲାଇନରେ ରହୁଛନ୍ତି । ସେ ୨୨ ତାରିଖ ଦିନ ନିଜ କାରରେ ଡ୍ରାଇଭର କ୍ରୀଷ୍ଣା ସହିତ ଶିନଖମନକୁ ଯାଇ ସେଠାରେ ଥିବା ସମବାୟ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ବଲାଙ୍ଗୀର ଅଭିମୁଖେ ଆସୁଥିଲେ । ତେବେ ଶିନଖମନ ବ୍ରିଜ ନିକଟରେ ପଛରୁ ଏକ ମୋଟର ସାଇକଲରେ ଦୁଇଜଣ ଅଜଣା ଯୁବକ ଆସି କାର ଉପରକୁ ଢେଲା ମାଡ କରିଥିଲେ ଏବଂ ଲୋକନାଥଙ୍କ ବେକକୁ ମୋଡି ଦେଇ ସେ ଧରିଥିବା ଟଙ୍କା ବ୍ୟାଗ ଲୁଟ କରିନେଇ ଫେରାର ମାରିଥିଲେ । ବ୍ୟାଗରେ ଚାରି ଲକ୍ଷ ଟଙ୍କା ରହିଥିଲା । ଲୁଟ ସମୟରେ ଆହୁରି ୩ ରୁ ୪ ଜଣ ଯୁବକ ଲୁଟେରାମାନଙ୍କୁ ସହଯୋଗ କରିଥିଲେ ବୋଲି ଲୋକନାଥ ପୁଲସି ନିକଟରେ ଲିଖି୍‌ତ ଭାବେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ତଦନ୍ତ ସମୟରେ ପୁଲିସ ଡ୍ରାଇଭର କ୍ରୀଷ୍ଣାର ଅତୀତ ରେକର୍ଡ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ସଦର ଥାନା କେସ ନଂ୨୩୬/୨୯.୧୨.୧୭ରେ ତା ନାରେ ଏକ ମାମଲା ଥିବା ପୁଲିସ ଜାଣିବାକୁ ପାଇଥିଲା ଏବଂ ଫେରାର ଥିଲା । ତଦନ୍ତ ସମୟରେ ଆହୁରି ଜଣାପଡିଥିଲା ଯେ , କ୍ରୀଷ୍ଣା ହିଁ ଫୋନଯୋଗେ ଜରାସିଂହାର ବ୍ୟାଙ୍କରୁ ଟଙ୍କା ଉଠାଣ ହୋଇଥିବା ନେଇ ରବିକୁ ଫୋନ ଯୋଗେ ଅବଗତ କରାଇଥିଲା ଓ ଲୁଟ ର ଯୋଜନା ପ୍ରସ୍ତୁତ କରିଥିଲା । ଯୋଜନା ମୁତାବକ ରବି ଓ ଆଶୁତୋଷ ଅନ୍ୟମାନଙ୍କୁ ନେଇ ଏକ ଟିମ ଗଠନ କରିଥିଲେ ଓ ଟଙ୍କା ଲୁଟ କରିଥିଲେ । କାରକୁ ସେମାନେ ରତନପୁର ରୁ ପିଛା କରିଥିଲେ ଓ ଶିନଖମନ ଠାରେ ଲୁଟ କରିଥିଲେ । ଘଟଣାରେ ସମ୍ପୃକ୍ତ ଥିବା ଆଉ କେତେକ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ଓ ବାକି ଟଙ୍କା ମଧ୍ୟ ଉଦ୍ଧାର କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା । ତେବେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking