ଦୀପାବଳି ସହ ରହିଥିବା କିମ୍ବଦନ୍ତୀ

ଭୁବନେଶ୍ୱର : କାର୍ତ୍ତିକ ଅମାବାସ୍ୟାରେ ଦୀପାବଳୀ ଉତ୍ସବ ପାଳନ କରାଯାଏ । ଏହି ପର୍ବ ପ୍ରାୟ ସମସ୍ତ୍ରେ ପାଳନ କରନ୍ତି । ଘରେ ଘରେ ସେଦିନ ଦୀପ ଜଳେ, ବାଣ ଫୁଟାଯାଏ । ଶ୍ରାଦ୍ଧ କରାଯାଏ । ପିଠାପଣା ହୁଏ । ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ । ଏହି ଦୀପାବଳୀ ଅମାବାସ୍ୟାକୁ ଲୋକାକ୍ତିରେ ପୟା ଅମାବାସ୍ୟା କହନ୍ତି ।
ରାମାୟଣ
ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହିଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି ।
‘ଉତ୍ସବ ତତ୍ତ୍ୱାଭିଧାନ’ ଅନୁଯାୟୀ ଏକଦା କାର୍ତ୍ତିକ(ତୁଳା)ମାସ- ଘନଅନ୍ଧକାର କୃଷ୍ଣପକ୍ଷରେ ଜଣେ ଭବିଷ୍ୟଦ୍ରଷ୍ଟା ଜ୍ୟୋତିଷ ପ୍ରଭୁ ଶ୍ରୀରାମଙ୍କୁ ବିପର୍ଯ୍ୟସ୍ଥ ଦୁର୍ଭାଗ୍ୟ କାଳସର୍ପ ରୂପେ ଅମାରାତିରେ ଦଂଶନକରିବା ପାଇଁ ଲୁଚିଛପି ଆସିବାର ଭବିଷ୍ୟବାଣୀ କରିଥିଲେ । ସତର୍କତାପୂର୍ବକ ଅଯୋଧ୍ୟା ରାଜନଗରୀର କୃଷ୍ଣପକ୍ଷ ସାରା ଉଜ୍ଜଳଆଲୋକ ପ୍ରଜ୍ଜଳନ କରାଯାଇଥିଲା ଏବଂ କାଳସର୍ପ ଦଂଶନର ଚକ୍ରାନ୍ତ ପଣ୍ଡହୋଇଥିଲା ।
ଦୈତ୍ୟ ରାଜା ବଳୀ
ଦୈତ୍ୟରାଜ ବଳି ମହାଦାନୀ ଥିଲେ । ସେ ଏପରି ଦାନ କଲେ ଯେ ସ୍ୱର୍ଗର ଦେବତାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା , କାରଣ ତାଙ୍କର ପୂଣ୍ୟ ଫଳରେ ସେ ସ୍ୱର୍ଗପୁରର ଅଧିକାରୀ ହେଇପାରନ୍ତି । ଏଣୁ ଦେବତାମାନଙ୍କ କଥା ରକ୍ଷାକରି ବିଷ୍ଣୁ ବାମନ ଅବତାର ଗ୍ରହଣ କରି ବଳିରାଜଙ୍କ ପାଖରେ ପହଞ୍ଚି ତାଙ୍କୁ ତିନିପାଦ ଭୂମି ମାଗିଥିଲେ । ଗୋଟିଏ ପାଦରେ ପୃଥିବୀ, ଗୋଟିଏ ପାଦରେ ସ୍ୱର୍ଗ ଏବଂ ତୃତୀୟ ପାଦରେ ବଳିଙ୍କୁ ପାତାଳକୁ ଚାପିଦେଲେ । ତେଣୁ ସେ ପାତାଳ ପୁରକୁ ଚାଲିଗଲେ । ତା’ ପରେ ବଳିଙ୍କ ପ୍ରାର୍ଥନା ଶୁଣି ପାତାଳରେ ବଳିକୁ ରାଜା କରିଦେଲେ । ବର୍ଷକରେ ଥରେ ମର୍ତ୍ତ୍ୟପୁରକୁ ଆସି ପ୍ରଜାମାନଙ୍କୁ ଦେଖିବାକୁ ବଳି ବର ମାଗନ୍ତେ ବିଷ୍ଣୁ ଏଥିରେ ସମ୍ମତି ଜଣାଇ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ଦିନ ବଳି ମର୍ତ୍ତ୍ୟକୁ ଆସିବାକୁ ତଥାସ୍ତୁ କହିଲେ । ତେଣୁ ସେଦିନକୁ ମର୍ତ୍ତ୍ୟବାସୀ ଆନନ୍ଦର ଦୀପ ଜାଳି ଆଲୋକିତ କରନ୍ତି ।
ଭଗବାନ ବିଷ୍ଣୁ ଭକ୍ତପ୍ରହ୍ଲାଦଙ୍କୁ ଇନ୍ଦ୍ରପଦ ଯାଚିବାରୁ ସେ ବିନୀତଭାବେ ପ୍ରତ୍ୟାଖାନ କରିବାରୁ, ତାଙ୍କର ନାତି ବଳୀରାଜାଙ୍କୁ ଏହିଦିନ ‘ଇନ୍ଦ୍ରପଦ’ ପ୍ରଦାନ କରିଥିଲେ । ତେଣୁ ଦାନବଗଣ ଦୀପଜଳାଇ, ବାଣ, ଆତସବାଜି ଫୁଟାଇ ଉତ୍ସବ ପାଳିଥିଲେ ।
ବିରୋଚନ ପୁତ୍ର ବଳି ଇନ୍ଦ୍ର ଓ ମରୁତଗଣଙ୍କୁ ପରାସ୍ତ କରି ତ୍ରିଭୁବନ ଜୟକରି ପ୍ରଜାପାଳନ କରୁଥିଲେ । ଦାନପାଇଁ ସେ ପ୍ରସିଦ୍ଧ ଥିଲେ ଏବଂ ଯେ ଯାହା ମାଗୁଥିଲେ, ତାହା ଦାନ କରୁଥିଲେ । ତାଙ୍କର ବିକ୍ରମ ଓ ଦାନର ପ୍ରଭାବରେ ସେ ଇନ୍ଦ୍ର ଓ ଦେବତାମାନଙ୍କୁ ନିଷ୍ପ୍ରଭ କରିବାକୁ ବସିଲେ । ଏଥିରେ ଇନ୍ଦ୍ର ଓ ଦେବଗଣ ଭୟଭୀତ ହେଲେ । ବଳି ଏକ ପ୍ରସିଦ୍ଧ ଯଜ୍ଞ କଲେ । ଏହି ଯଜ୍ଞ ଶେଷହେଲେ ଇନ୍ଦ୍ର ଓ ଦେବଗଣଙ୍କର ସମସ୍ତ ଶକ୍ତି ଓ ତେଜ ଚାଲିଯିବ । ଏହାର ଆଶୁ ନିରାକରଣ ପାଇଁ ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହେଲେ । ବିଷ୍ଣୁ ବାମନ ରୂପରେ ବଳିଙ୍କ ଠାରୁ ତିନିଲୋକ ପ୍ରାପ୍ତହେଲେ । ଦାନପ୍ରଦାନ ଛଳରେ ମାୟାବୀବିଷ୍ଣୁ ଗର୍ବୀବଳିଙ୍କୁ ତୃତୀୟପାଦରେ ପାତାଳ ଚାପି ଦେଲେ । କଥା ଦେଲେ ଯେ ବଳି ବର୍ଷରେ ଥରେ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ପୃଥ୍ୱୀଲୋକକୁ ଆସିପାରିବ । ତାଙ୍କ ଆଗମନରେ ଭୂଲୋକବାସୀ ଆନନ୍ଦ ଉଲ୍ଲାସରେ ପ୍ରଦୀପ ଜାଳି ତାଙ୍କୁ ସମ୍ବର୍ଦ୍ଧିତ କରିବେ । ସେହି ଆଲୋକ ସମ୍ବର୍ଦ୍ଧନା କାଳକ୍ରମେ ଦୀପାବଳି ଉତ୍ସବରେ ରୂପାନ୍ତରିତ ହେଲା ।
ଶ୍ରୀକୃଷ୍ଣ ଓ ନରକାସୁର
ଶ୍ରୀକୃଷ୍ଣ ଅତ୍ୟାଚାରୀ ନରକାସୁରକୁ କୃଷ୍ଣ ଚତୁର୍ଦଶୀ ଦିନ ବଧ କରିଥିଲେ ତେଣୁ ଖୁସିରେ ଆଲୋକର ଉତ୍ସବ ପାଳିତ ହେଇଥିଲା । ଏହି ଦିନକୁ ନରକ ଚତୁର୍ଦ୍ଦଶୀ କୁହଯାଏ । ଏ ଦିନ ସୂର୍ୟୋଦୟ କାଳରେ ସମସ୍ତ ଶରୀରରେ ସୁଗନ୍ଧ ତୈଳ ଲଗାଇ ଗାଧୋଈବାର ପ୍ରଥା ଅଛି ।
ଦ୍ୱାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାରକଲା ପରେ ଇନ୍ଦ୍ରମାତାଙ୍କୁ ନରକାଦ୍ୱାରା ଅପହୃତ ମଣିକୁଣ୍ଡଳକୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ୱର୍ଗକୁ ଯାଇଥିଲେ । ସତ୍ୟଭାମାଙ୍କ ଅନୁରୋଧରେ ପାରିଜାତ ବୃକ୍ଷର ଚାରାଟିଏ ଆଣିବାକୁ ଗଲାବେଳେ ଇନ୍ଦ୍ରଙ୍କ ସହିତ ସମସ୍ତଦେବତା ବାଧାଦେବାରୁ ଏକାକି ସବୁଦେବତାଙ୍କୁ ପରାସ୍ତ କରି ପାରିଜାତ ବୃକ୍ଷ ସହ ଅନେକ ଧନରତ୍ନ ନେଇ ଏହିଦିବସରେ ଦ୍ୱାରକା ଫେରିଥିଲେ । ତେଣୁ ଦ୍ୱାରକାବାସୀ ପ୍ରଭୁଙ୍କୁ ସ୍ୱାଗତ ଜଣାଇ ସମଗ୍ରନଗରୀକୁ ଦୀପମାଳାରେ ସଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ ।
ଋକ ବେଦ
ଋକ୍ ବେଦରୁ ସୂଚନା ମିଳେ ଯେ, ପୃଥିବୀ ଏକଦା ଘୋର ଅନ୍ଧକାର ଭିତରେ ବୁଡି ରହିଥିଲା । କାଳ କ୍ରମେ ସୂର୍ଯ୍ୟଙ୍କର କିରଣ ପାଇ ପୃଥିବୀ ଦିନେ ଆଲୋକିତ ହେଲା । ଏହାକୁ ମନେ ରଖିବା ପାଇଁ ଦୀପାବଳି ଉତ୍ସବ ପାଳନ କରାଯାଏ ।

LEAVE A REPLY

Please enter your comment!
Please enter your name here