25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶତାଲିବାନକୁ ଲସ୍କର, ଜୈସ୍‌ର ସମର୍ଥନ

ତାଲିବାନକୁ ଲସ୍କର, ଜୈସ୍‌ର ସମର୍ଥନ

ଇସଲାମାବାଦ:  ଆଫଗାନିସ୍ତାନ ଅକ୍ତିଆର କରିଥିବା ତାଲିବାନ ଆତଙ୍କବାଦୀ ସଂଗଠନକୁ ପାକିସ୍ତାନ କୌଣସି ପରିସ୍ଥିତିରେ ସମର୍ଥନ କରୁନାହିଁ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କିଛିଦିନ ପୂର୍ବେ ବୟାନ ଦେଇଥିଲେ । ତେବେ ତାଲିବାନକୁ ସମର୍ଥନ ଜଣାଇ ପାକିସ୍ତାନରେ ଘଟୁଥିବା ଘଟଣାଗୁଡିକ ବର୍ତ୍ତମାନ ଇମ୍ରାନଙ୍କ ଭାବମୂର୍ତ୍ତିରେ ଆଞ୍ଚ୍ ଆଣୁଥିବା କୁହାଯାଇଛି । ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଓ ଜୈସ୍‌-ଇ-ମହମ୍ମଦର ସଦସ୍ୟମାନେ ରବିବାର ପିଓକେରେ ତାଲିବାନକୁ ସମର୍ଥନ ଜଣାଇ ବିରାଟ ଶୋଭାଯାତ୍ରା ବାହାର କରିଥିବା ଜଣାପଡିଛି । ସାମାଜିକ ଗଣମାଧ୍ୟରେ ଭାଇରାଲ ହୋଇଥିବା ଏଭଳି ଏକାଧିକ ଭିଡିଓରେ ଲସ୍କର ଓ ଜୈସ୍ ସମର୍ଥକମାନେ ତାଲିବାନ ସପକ୍ଷରେ ସ୍ଲୋଗାନ ଦେବାସହିତ ସେମାନଙ୍କର ବିଜୟକୁ ସ୍ୱୀକୃତି ପ୍ରଦାନ ପୂର୍ବକ ଆକାଶକୁ ଫାଙ୍କା ଗୁଳିଚାଳନା କରିଥିବା ଲକ୍ଷ୍ୟ କରାଯାଇଛି ।

ପରବର୍ତ୍ତୀ ସମୟରେ ଏ ଦୁଇଟି ସଂଗଠନର ନେତାମାନେ ଉପସ୍ଥିତ ସଦସ୍ୟଙ୍କୁ ସମ୍ବୋଧିତ କରିଛନ୍ତି । ତାଲିବାନ ନେତା ମୁଲ୍ଲା ବାରାଦର ଓ ଆଇଏସ୍ ଆତଙ୍କବାଦୀ ସଂଗଠନର ମୁଖ୍ୟ ଫୈଜ୍ ହମିଦ ଏକାଠି ନମାଜପାଠ କରୁଥିବାର ଫଟୋ କେତେକ ପାକ୍ ସମ୍ବାଦପତ୍ରରେ ପ୍ରକାଶିତ ହେବାପରେ ଇମ୍ରାନ ସରକାର ବିବ୍ରତ ହୋଇପଡିଛନ୍ତି । ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନୀ ଆତଙ୍କୀ କାବୁଲ ଅକ୍ତିଆର ଘଟଣାରେ ଇମ୍ରାନ ଖାନ୍ ଓ ତାଙ୍କ ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନ ଦାସତ୍ୱରୁ ମୁକ୍ତ ହେଲା ବୋଲି ଇମ୍ରାନ ଦେଇଥିବା ବୟାନକୁ ଆନ୍ତର୍ଜାତିକ ସମୁଦାୟ ଭଲ ଦୃଷ୍ଟିରେ ଗ୍ରହଣ କରିନାହାନ୍ତି । ତାଲିବାନମାନେ ଖରାପ ଲୋକ ନୁହନ୍ତି ଏବଂ ଇସଲାମ ଧର୍ମ ଅନୁଯାୟୀ ସେମାନେ ଦେଶ ଶାସନ କରିବେ ବୋଲି ମଧ୍ୟ ଇମ୍ରାନଙ୍କ ମନ୍ତ୍ରିମଣ୍ଡଳର ଜଣେ ମନ୍ତ୍ରୀ କହିଥିଲେ ।

ତେବେ ବିଗତ ଏକ ସପ୍ତାହ ମଧ୍ୟରେ ତାଲିବାନ ଆତଙ୍କବାଦୀ ଯେଭଳି ଅସଲ ରୂପ ଦେଖାଉଛନ୍ତି, ସେଥିରେ ପାକିସ୍ତାନ ଏକପ୍ରକାର ଅଡୁଆ ସ୍ଥିତିରେ ପଡିଯାଇଛି ।  ପାକିସ୍ତାନର ଏକ ମଦ୍ରାସାରେ ତାଲିବାନ ପତାକା ଉଡୁଥିବାର ଦୃଶ୍ୟକୁ ନେଇ ପାକିସ୍ତାନ ବେଶ ସମାଲୋଚିତ ହେଉଛି । ପୁନଶ୍ଚ ପାକିସ୍ତାନର ଏକ ବିଦ୍ୟାଳୟର ଛାତ୍ରମାନେ ତାଲିବାନକୁ ପ୍ରଶଂସା କରୁଥିବା ଭିଡିଓ ମଧ୍ୟ ବିବାଦୀୟ ହୋଇପଡିଛି । ପାକିସ୍ତାନ ଭିତିରିଆଭାବେ ତାଲିବାନକୁ ସମର୍ଥନ ଜଣାଇ ଆଫଗାନିସ୍ତାନରେ ସରକାର ଗଠନ କରିବାରେ ସହାୟକ ହୋଇଛି ବୋଲି ଆମେରିକାର ଜଣେ ରିପବ୍ଲିକାନ ସାଂସଦ ଅଭିଯୋଗ ଆଣିଛନ୍ତି । ଏଥିରେ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କୂଟନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking