35.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶ୨୨୦୬ କୋଟିର ଅଖା ଦୁର୍ନୀତି ନବୀନଙ୍କ ସ୍ୱଚ୍ଛତା କାଠଗଡ଼ାରେ – କଂଗ୍ରେସ

୨୨୦୬ କୋଟିର ଅଖା ଦୁର୍ନୀତି ନବୀନଙ୍କ ସ୍ୱଚ୍ଛତା କାଠଗଡ଼ାରେ – କଂଗ୍ରେସ

ଭୁବନେଶ୍ୱର – କଥା କଥାରେ ୫ଟି ଓ ସ୍ୱଚ୍ଛଶାସନର ଡିଣ୍ଡିମ ପିଟୁଥିବା ନବୀନ ସରକାର ଗତ ୧୦ ବର୍ଷରେ ଧାନବସ୍ତା ବାବଦରେ ୨୨୦୬ କୋଟି ଟଙ୍କା ହରିଲୁଟ କରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ଏବଂ ଅମୀୟ ପାଣ୍ଡବ ଏଥିନେଇ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡା କରିଛନ୍ତି । ଶ୍ରୀ ଗୁରୁ ସୂଚନା ଅଧିକାର ଆଇନ ବଳରେ ପ୍ରଦତ ସରକାରୀ ତଥ୍ୟ ଆଧାରରେ ସରକାରଙ୍କୁ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ । ସରକାର ତହବିଲ ଏ ବାବଦରେ ଅନୁନ୍ୟ ୨୨ ଶହ ୬ କୋଟି ୯୨ ଲକ୍ଷ ୨୫ ହଜାର ୩୯୬ଟଙ୍କା ଗତ ୧୦ ବର୍ଷରେ ଖର୍ଚ୍ଚ କରିଥିବା ବେଳେ ରାଜ୍ୟର ଜଣେ ହେଲେ ଚାଷୀ ଟଙ୍କାଟିଏ କାହିଁକି ପାଇନାହାନ୍ତି ଏବଂ ଏ ଅର୍ଥରାଶି କୁଆଡ଼େ ଗଲାବୋଲି ପ୍ରଶ୍ନ ପଚାରିଥିଲେ । ମୁଖପାତ୍ର ନୁହେଁ ମୁଖ୍ୟମନ୍ତ୍ରୀ ନିଜ ମୁହଁରେ ଏହାର ଉତର ରଖିବାକୁ ସେ ଦାବି କରିଥିଲେ । ଚାଷୀ ବସ୍ତା ବାଦରେ ଟଙ୍କା ପାଇନଥିବା ବେଳେ ବର୍ଷକୁ ବର୍ଷ ବସ୍ତାପାଇଁ ଟେଣ୍ଡର ଆହ୍ୱାନ କରାଯିବା ପଛରେ କାରଣଟି କ’ଣ ଏବଂ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ଅବଗତି ଅଛନ୍ତି କି ନାହିଁ ତାହା ଜାଣିବାକୁ ଚାହିଁଥିଲେ । ମଣ୍ଡି ହେଣ୍ଡଲିଂ ବାବଦରେ ଏସବୁ ଅର୍ଥ କାହା ପକେଟକୁ ଯାଇଛି ଏବଂ ଏହି ଦୁର୍ନୀତି ପାଇଁ କିଏ ଦାୟୀ ସେଥିରେ ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟବାସୀଙ୍କ ସାମନାରେ ଉତର ରଖନ୍ତୁ । ଅନ୍ୟଥା ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଅନ୍ୟଥା ବିଭାଗୀୟ ମନ୍ତ୍ରୀ, ସଚିବ, ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ, ମିଲମାଲିକ ଏବଂ ସି.ଏସ୍‌.ଓ. ପ୍ରଭୃତିଙ୍କ ଅସାଧୁ ମେଂଟ ଓ ମିଳିତ ର‌୍ୟାକେଟ ତ୍ତ୍ୱଓଡ଼ିଶାର ଚାଷୀମାନଙ୍କୁ ଏମିତି ବର୍ଷବର୍ଷ ଧରି ଲୁଟୁଥିବାରୁ ଏହା ବିରୋଧରେ କଂଗ୍ରେସ ପକ୍ଷରୁ ଗୃହରେ ଏବଂ ଗୃହବାହାରେ ଦୃଢ଼ ଜବାବ ଦିଆଯିବ ବୋଲି ସେ କହିଛନ୍ତି । ରିଜର୍ଭ ବ୍ୟାଙ୍କର ଗାଇଡ଼ ଲାଇନ ଅନୁସାରେ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କଲାବେଳେ ଅଗ୍ରୀମ ଅର୍ଥ ପ୍ରଦାନ ପାଇଁ ସୁପାରିଶ ଥିଲେ ମଧ୍ୟ ଓଡ଼ିଶାରେ କାହିଁକି ଏ ବ୍ୟବସ୍ତା କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ୨୧ ବର୍ଷ ଶାସନରେ ଥିବା ମୁଖ୍ୟମନ୍ତ୍ରୀ ଉତର ଦେବାର ଆବଶ୍ୟକ ବୋଲି କହିବା ସହ ଏଭଳି ଅନେକ ଦୁର୍ନୀତି ପ୍ରସଙ୍ଗରେ ୯ ବର୍ଷ କାଳ ଏକାଠି ଓଡ଼ିଆବାସୀଙ୍କୁ ମିଳିମିଶି ଲୁଟିଥିବା କାରଣରୁ ବିଜେପି ଦଳ ନୀରବ ରହିଛି ଏବଂ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ମିଛିମିଛିକା ବିରୋଧର ନାଟକ କରୁଛି ବୋଲି ଶ୍ରୀ ଗୁରୁ ଅଭିଯୋଗ କରିଛନ୍ତି । ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ କଂଗ୍ରେସ ଚାଷୀମାନଙ୍କୁ ସାଥିରେ ଧରି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking