30.1 C
Bhubaneswar
Monday, May 20, 2024
Homeଓଡିଶାବିଜେପି ଶୀର୍ଷ ନେତାଙ୍କୁ ପାଣ୍ଡିଆନଙ୍କ ତୀର

ବିଜେପି ଶୀର୍ଷ ନେତାଙ୍କୁ ପାଣ୍ଡିଆନଙ୍କ ତୀର

ଭୁବନେଶ୍ୱର : ନିର୍ବାଚନ ପାଇଁ ପ୍ରଚାର ଯେତିକି ଜମି ଆସୁଛି ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେତିକି ବଢ଼ିଚାଲିଥିବା ଦେଖାଯାଉଛି । ବିଜେଡି ରାଜ୍ୟର ବିଜେପି ନେତାମାନଙ୍କୁ ଟାର୍ଗେଟ କରି ଆସୁଥିବାବେଳେ ଏବେ କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଗସ୍ତ ଓ ଆକ୍ରମଣ ପରେ ବଦଳାଇଛି ସମାଲୋଚନାର ରଣକୌଶଳ । ଏବେ ସିଧା କେନ୍ଦ୍ରୀୟ ନେତାଙ୍କୁ ନିଶାନା ବନାଇବାକୁ ପଛଘୁଞ୍ଚା ଦେଇ ନାହିଁ ବିଜେଡି । ନା’ ନ ନେଇ କେନ୍ଦ୍ରୀୟ ନେତାଙ୍କ ଚାଲ୍‌କୁ ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ କରିଛି ବିଜେଡି ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ନିର୍ବାଚନ ରଣାଙ୍ଗନରେ ପ୍ରଚାରର ମୁଖ୍ୟ ମଙ୍ଗ ଧରିଥିବା ଦଳୀୟ ନେତା ଭି.କେ ପାଣ୍ଡିଆନ ଏବେ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ତୋଫାନୀ ଗସ୍ତ କରୁଛନ୍ତି । ଏହାରି ଭିତରେ ସେ ବାରମ୍ବାର ବିଭିନ୍ନ ଜନ ସେବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟତଃ ଟାର୍ଗେଟ କରି ଚାଲିଥିଲେ । ଏଥିରେ ସେ ମୋଡ଼ ବଦଳାଇଛନ୍ତି । କେବଳ ଧର୍ମେନ୍ଦ୍ର ନୁହେଁ କେନ୍ଦ୍ର ନେତାଙ୍କୁ ବି ଆଣିଛନ୍ତି ନିଶାନାରେ । ଏନେଇ ଆଜି ପାଣ୍ଡିଆନଙ୍କର ଏକ ଭିଡିଓ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏଥିରେ ପାଣ୍ଡିଆନ ବିଜେପିର କେନ୍ଦ୍ରୀୟ ନେତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଯେଉଁଥିରେ ପାଣ୍ଡିଆନ ଆଶଙ୍କା ପ୍ରକାଶ କରି କହୁଛନ୍ତି ବିଜେଡିକୁ ଭାଙ୍ଗିବା ପାଇଁ ବିଜେପିର ଲକ୍ଷ୍ୟ । ସେ ଏପରି କହିବା ପଛରେ କୁହାଯାଉଛି ଇତିମଧ୍ୟରେ ବିଜେପିର ପ୍ରମୁଖ କେନ୍ଦ୍ରୀୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଦଳର କେନ୍ଦ୍ରୀୟ ସଭାପତି ଜେପି ନଡ୍ଡା ଓ ଅନ୍ୟ କେନ୍ଦ୍ରୀୟ ନେତାମାନେ ଆସି ବିଜେଡିକୁ ଘନ ଘନ ଆକ୍ରମଣ କରି ଚାଲିଛନ୍ତି । ଯେଉଁ ପ୍ରଧାନମନ୍ତ୍ରୀ ପୂର୍ବରୁ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ଅଭିହିତ କରିଥିଲେ ସେ ଏବେ ଅସ୍ମିତା କଥା ଉଠାଇ ଓଡ଼ିଆ ଭାଷା ଜାଣି ନଥିବା କହିଥିଲେ । ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଜନସଭାରେ କଟାକ୍ଷ କରିଥିଲେ । ଅମିତ ଶାହ ବି ଆସି ବିଜେଡି ସରକାରକୁ ଉପାଡ଼ି ଫୋପାଡ଼ିଇବା କଥା କହିଥିଲେ । ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ପୁଣି ପ୍ରଧାମନ୍ତ୍ରୀ ଆସୁଛନ୍ତି । କେନ୍ଦ୍ର ମନ୍ତ୍ରୀମାନଙ୍କର ଓଡ଼ିଶାକୁ ଲମ୍ବା ଧାଡ଼ି ଲାଗିଛି ।

ଏ ସବୁ ଦେଖିଲା ପରେ ବିଜେଡି ତା’ର ରଣକୌଶଳ ବଦଳାଇଥିବା ପରିଲିକ୍ଷିତ ହେଉଛି । ଆଜି ଜାରି ହୋଇଥିବା ଭିଡିଓରେ ପାଣ୍ଡିଆନ ବିଜେଡିକୁ ଭାଙ୍ଗିବା ନେଇ ବିଜେପିର ଉଦ୍ୟମ କଥା ଉଠାଇଛନ୍ତି । ଏଥିରେ ପାଣ୍ଡିଆନ୍ କହୁଛନ୍ତି ୨୦୧୪ ନିର୍ବାଚନରେ ବିଜେପିର ବହୁ ନେତା ଓଡ଼ିଶା ଆସି ପ୍ରଚାର କରିଥିଲେ । ଓଡ଼ିଶାବାସୀ ଉଚିତ୍ ଯବାବ ଦେଲେ । ୨୦୧୯ରେ ବି ଆସିଥିଲେ । ୨୦୧୪ ନିର୍ବାଚନରେ ସେମାନଙ୍କର ନାରା ଥିଲା ୧୨୦ । ୨୦୧୯ କଥା କହିପାରିବିିନି । ଏଥରକ ସ୍ଥିର କରିଛନ୍ତି ୫୦ ରୁ ୬୦ ଆସନ ନେବୁ । ନିର୍ବାଚନ ପରେ ବିଜେଡିକୁ ଭାଙ୍ଗିବୁ । ଏଇଟା ହେଉଛି ସେମାନଙ୍କର ରଣନୀତି । ତାଙ୍କ ଦଳର ଆଭ୍ୟନ୍ତରୀଣ ନିଷ୍ପତି ହେଉଛି ଏଇଟା । ସରକାର ଗଢ଼ିବା ପାଇଁ ସେମାନେ ଲଢ଼ୁ ନାହାଁନ୍ତି । କେମିତି ଅଧିକା ସିଟ୍ ପାଇବୁ ସେଥିପାଇଁ ଉଦ୍ୟମ ଚଳାଇଛନ୍ତି । ଯେମିତି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ କଲେ ସେହିପରି କରିବା ଲକ୍ଷ୍ୟ ରଖିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି ।

ଏକଥା ଦର୍ଶାଇ ପାଣ୍ଡିଆନ ଜଣାଇ ଦେବାକୁ ଚାହିଁଛନ୍ତି ଯେ ବିଜେପି କେନ୍ଦ୍ରୀୟ ନେତାମାନଙ୍କର ଏ ହେଉଛି ଅଭିସନ୍ଧି । ବିଜେଡିକୁ ଭାଙ୍ଗିବା ପାଇଁ ହେଲେ ରାଜ୍ୟ ନେତୃତ୍ୱ କିଛି କରି ପାରିବେ ନାହିଁ । ସେମାନଙ୍କର କୌଣସି ସେପରି ଭୂମିକା ରହିବ ନାହିଁ । ଦଳକୁ ଭାଙ୍ଗିବାକୁ ହେଲେ କେନ୍ଦ୍ରୀୟ ନେତୃତ୍ୱଙ୍କର ସହଯୋଗ ଦରକାର । ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଯେପରି ସେଠାକାର ନିର୍ବାଚିତ ସରକାରକୁ ଭାଙ୍ଗି ବିଜେପି ନିଜର ସରକାର କରିଥିଲେ ସେଥିରେ କେନ୍ଦ୍ରୀୟ ନେତମାନେ ହିଁ ନିଷ୍ପତି ନେଇଥିଲେ । ଏ କଥା ଲୋକଙ୍କୁ ଜଣାଇ ବିଜେପି ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ ସେ ଉଦ୍ୟମ କରିଛନ୍ତି । କାରଣରେ ଓଡ଼ିଶାରେ ଲୋକେ ନବୀନ ପଟ୍ଟନାୟକଙ୍କୁ ଭଲ ପାଆନ୍ତି । ଏଣୁ ଯଦି ବିଜେପିକୁ ଅଧିକ ଆସନ ଦେବେ ତେବେ ବିଜେଡିକୁ ଭାଙ୍ଗି ନବୀନ ପଟ୍ଟନାୟକଙ୍କୁ ଶାସନରୁ ହଟାଇବାକୁ ଉଦ୍ୟମ ହେବ । ଆଗରୁ ଲୋକଙ୍କୁ ସତର୍କ କରାଇବାକୁ ସେ ଉଦ୍ୟମ କରିଛନ୍ତି । ଫଳରେ ବିଜେପି ଯେପରି ଅଧିକ ଆସନ ନପାଇବ ସେଥିପାଇଁ ଏହି ରଣନୀତି ପାଣ୍ଡିଆନ ଅପଣାଇଥିବା କଥା ରାଜନୀତିକ ମହଲରେ ଆଲୋଚନା ହେଉଛି । ଏଥିରେ ଆଉ ମୋଦୀ କିମ୍ବା ଅମିତ ଶାହଙ୍କ ନାଁ ନେଇ ସମାଲୋଚନା କରିବାକୁ ତାଙ୍କୁ ପଡ଼ି ନାହିଁ । କାରଣ ସେ ଜାଣିଛନ୍ତି ନାଁ ନେଲେ ଭବିଷ୍ୟତରେ ଅସୁବିଧା ଆସିପାରେ । ଅତି ଚତୁରତାର ସହ ରାଜନୈତିକ ଗୋଟି ଚାଳନା କରିଛନ୍ତି ପାଣ୍ଡିଆନ ବୋଲି ଅନେକ ମତ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking