32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶନୂତନ ସଂସଦ ଭବନର ଉଦ୍‌ଘାଟନ ଉତ୍ସବ; ବର୍ଜନ କରିବେ ୧୯ଟି ବିରୋଧୀ ଦଳ

ନୂତନ ସଂସଦ ଭବନର ଉଦ୍‌ଘାଟନ ଉତ୍ସବ; ବର୍ଜନ କରିବେ ୧୯ଟି ବିରୋଧୀ ଦଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ରେ ନୂତନ ସଂସଦ ଭବନକୁ ଉଦ୍‌ଘାଟନ କରିବେ ବୋଲି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ମୋଦୀଙ୍କ ଦ୍ୱାରା ଉଦ୍‌ଘାଟନ କାର୍ଯ୍ୟକୁ ଅଧିକାଂଶ ବିରୋଧୀ ଦଳ ପ୍ରତବାଦ କରୁଥିବାବେଳେ ରାଷ୍ଟ୍ରପତିଙ୍କ ଦ୍ୱାରା ସଂସଦ ଭବନର ଉଦ୍‌ଘାଟନ କରାଯାଉ ବୋଲି ସେମାନେ ଦାବି କହିଛନ୍ତି । ତେବେ କେନ୍ଦ୍ର ସରକାର ଏହି ଦାବି ପ୍ରତି କର୍ଣ୍ଣପାତ କରୁନଥିବା ପରିପେକ୍ଷୀରେ ୧୯ଟି ବିରୋଧୀ ଦଳ ଉଦ୍‌ଘାଟନ ଉତ୍ସବକୁ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହି ଦଳଗୁୁଡିକ ହେଲା କଂଗ୍ରେସ, ଡିଏମକେ, ଆମ୍ ଆଦମୀ ପାର୍ଟି, ଶିବସେନା (ଉଦ୍ଧବ ଗୋଷ୍ଠୀ), ସମାଜବାଦୀ ପାର୍ଟି, ସିପିଆଇ, ଜେଏମ୍‌ଏମ୍‌, କେରଳା କଂଗ୍ରେସ, ରାଷ୍ଟ୍ରୀୟ ଲୋକ ଦଳ, ତୃଣମୂଳ କଂଗ୍ରେସ, ଜେଡିୟୁ, ଏନ୍‌ସିପି, ସିପିଏମ, ଆରଜେଡି, ନ୍ୟାସନାଲ କନ୍‌ଫରେନ୍ସ, ରିଭୋଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି, ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍‌, ବିଦୁଥଲାଇ ଚିରୁଥାଇଗଲ କାଟ୍‌ଚି ଓ ମାରୁମାଲାର୍ଚି ଦ୍ରାବିଡ ମୁନେତ୍ର କାଜାଗମ । ତେଲେଙ୍ଗାନାରେ କ୍ଷମତାସୀନ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ଗୁରୁବାର ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡିଛି ।

ଅପରପକ୍ଷରେ ଉଦ୍‌ଘାଟନୀ ଉତ୍ସବରେ ବିଜେପି ବ୍ୟତୀତ ବିଜେଡି, ଶିରୋମଣି ଅକାଳୀ ଦଳ, ୱାଇଏସ୍‌ଆର କଂଗ୍ରେସ, ତେଲୁଗୁ ଦେଶମ ଓ ଶିବସେନା (ସିନ୍ଦେ ଗୋଷ୍ଠୀ) ସାମିଲ ହେବେ ବୋଲି ସଙ୍କେତ ଦେଇସାରିଛନ୍ତି । ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି ଯେ ସଂସଦ ଭବନକୁ ନିଜେ ଉଦ୍‌ଘାଟନ କରିବାକୁ ଯାଇ ମୋଦୀ ରାଷ୍ଟ୍ରପତି, ସମ୍ବିଧାନ ଓ ଗଣତନ୍ତ୍ରକୁ ଅପମାନିତ କରୁଛନ୍ତି । ଦେଶରେ ପ୍ରଥମ ଥର ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପଦରେ ଅଭିଷିକ୍ତ କରାଇଥିବାର ଶ୍ରେୟ ନେଉଥିବା ବିଜେପି କିପରି ରାଷ୍ଟ୍ରପତିଙ୍କୁ ଅଣଦେଖା କରିପାରୁଛି, ତାହା ଲଜ୍ଜାଜନକ ବୋଲି ମଧ୍ୟ ସେମାନେ ମତବ୍ୟକ୍ତ କରିଛନ୍ତି । ବିରୋଧୀ ଦଳଙ୍କ ଏତାଦୃଶ ନିଷ୍ପତ୍ତିରେ କୌଣସି ମନ୍ତବ୍ୟ ଦେବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମନା କରିଦେଇଛନ୍ତି । ‘ଆମେ ସବୁ ଦଳକୁ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବାକୁ ଆମନ୍ତ୍ରଣ କରିଛୁ, ତେବେ ଚୂଡାନ୍ତ ନିଷ୍ପତ୍ତି ସେମାନଙ୍କର’ ବୋଲି ଶାହ କହିଛନ୍ତି । ବିରୋଧୀ ଦଳଙ୍କ ଏଭଳି ଆଭିମୁଖ୍ୟକୁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରି ତୀବ୍ର ସମାଲୋଚନା କରିଛନ୍ତି ।

୧୯୭୫ ଅକ୍ଟୋବର ୨୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପାର୍ଲାମେଣ୍ଟ ଆନେକ୍ସ ବିଲ୍ଡିଂକୁ ଉଦ୍‌ଘାଟନ କରିଥିବାବେଳେ ୧୯୮୭ ଅଗଷ୍ଟ ୧୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପାର୍ଲାମେଣ୍ଟ ଲାଇବ୍ରେରୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନ ଉଦ୍‌ଘାଟନ କରିବାେରେ ଅସୁବିଧା କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ୨୦୨୦ରେ ନୂତନ ସଂସଦ ଭବନ ଉପରେ ସ୍ଥାପିତ କରାଯାଇଥିବା ଅଶୋକ ସ୍ତମ୍ଭକୁ ନେଇ ବିରୋଧୀ ଦଳ ଆପତ୍ତି ଉଠାଇଥିଲେ । ଅଶୋକ ସ୍ତମ୍ଭରେ ଥିବା ସିଂହ ପ୍ରତିମୂର୍ତ୍ତିଗୁଡିକ ଆକ୍ରମଣାତ୍ମକ ମୁଦ୍ରାରେ ନିର୍ମିତ ହୋଇଥିବା ଅଭିଯୋଗ ହୋଇଥିଲା । ୧୯୨୭ରେ ତତ୍କାଳୀନ ବ୍ରିଟିଶ ସରକାର ସଂସଦ ଭବନ ନିର୍ମାଣ କରିଥିଲେ । ତେବେ ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏକାଠି ବସିବା ସମୟରେ ସ୍ଥାନାଭାବ ଘଟୁଥିବାରୁ ମୋଦୀ ସରକାର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅନୁଯାୟୀ ନୂତନ ସଂସଦ ଭବନ ନିର୍ମାଣ କରିଛନ୍ତି । ନୂତନ ଭବନରେ ୧୨୦୦ ସାଂସଦ ବସିବାର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking