30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଜିମ୍ବାୱେ ବିଶ୍ୱର ସବୁଠୁ ଶୋଚନୀୟ ରାଷ୍ଟ୍ର

ଜିମ୍ବାୱେ ବିଶ୍ୱର ସବୁଠୁ ଶୋଚନୀୟ ରାଷ୍ଟ୍ର

ଲଣ୍ଡନ: ଆଫ୍ରିକାର ଜିମ୍ବାୱେ ବିଶ୍ୱର ସବୁଠାରୁ ଶୋଚନୀୟ ରାଷ୍ଟ୍ରଭାବେ ମାନ୍ୟତାଲାଭ କରିଛି । ପ୍ରଖ୍ୟାତ ଅର୍ଥନୀତିଜ୍ଞ ଷ୍ଟିଭ୍ ହାନ୍‌କେଙ୍କ ଦ୍ୱାରା ପ୍ରସ୍ତୁତ ‘ଆନୁଆଲ ମିଜେରି ଇଣ୍ଡେକ୍ସ’ ରିପୋର୍ଟ ଅନୁଯାୟୀ ଜିମ୍ବାୱେର ଆର୍ôଥକ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡିଛି । ଫଳରେ ଜିମ୍ବାୱେର ମୁଦ୍ରାସ୍ଫୀତି ୨୪୩.୮ ପ୍ରତିଶତରେ ପହଞ୍ଚିଛି । ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇପଡିଥିବାବେଳେ ସାଧାରଣ ଲୋକଙ୍କ ଚଳଣି ରସାତଳଗାମୀ ହେବାରେ ଲାଗିଛି । ଦାରିଦ୍ର‌୍ୟ, ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରାୟ ଭୁଶୁଡି ପଡିଲାଣି ।

ଆମେରିକୀୟ ସମ୍ବାଦପତ୍ର ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୋଟ ୧୫୭ଟି ରାଷ୍ଟ୍ରକୁ ଏହି ସର୍ଭେରେ ସାମିଲ କରାଯାଇଛି । ଦେଶର ଏଭଳି ସ୍ଥିତି ପାଇଁ ସେଠାରେ କ୍ଷମତାସୀନ ଜାନୁ-ପିଏଫ୍ ରାଜନୈତିକ ଦଳକୁ ମୁଖ୍ୟତଃ ଦାୟୀ କରାଯାଇଛି । ତାଲିକାର ଶ୍ରେଷ୍ଠ ୧୫ ତାଲିକାରେ ଭେନେଜୁଏଲା, ସିରିୟା, ଲେବାନନ, ସୁଦାନ, ଆର୍ଜେଣ୍ଟିନା, ୟେମେନ, ୟୁକ୍ରେନ, କ୍ୟୁବା, ତୁର୍କୀ, ଶ୍ରୀଲଙ୍କା, ହାଇତି, ଆଙ୍ଗୋଲା, ଟୋଙ୍ଗା ଓ ଘାନା ଭଳି ରାଷ୍ଟ୍ର ସ୍ଥାନ ପାଇଛନ୍ତି । ଏହି ତାଲିକାର ସବୁଠାରୁ ତଳେ ସ୍ୱିଜରଲାଣ୍ଡ ରହିଛି । ସେଠାକାର ଲୋକେ ସବୁଠାରୁ ଖୁସିରେ ରହିଥିବା ଜଣାପଡିଛି ।

ସ୍ୱିଜରଲାଣ୍ଡ ପଛକୁ ଏହି ପ୍ରସଙ୍ଗରେ କୁଏତ୍‌, ଆୟରଲାଣ୍ଡ, ଜାପାନ, ମାଲେସିଆ, ତାଇୱାନ, ନାଇଜର, ଥାଇଲାଣ୍ଡ, ଟୋଗୋ ଓ ମାଲଟା ଭଳି ରାଷ୍ଟ୍ର ରହିଛନ୍ତି । ଏହି ସବୁ ରାଷ୍ଟ୍ରରେ ଲୋକଙ୍କ ଜୀବନଧାରଣର ମାନ ଅପେକ୍ଷାକୃତ ଉନ୍ନତ ରହିଥିବା ରିପୋର୍ଟରେ ଦର୍ଶାଯାଇଛି । ଅପରପକ୍ଷରେ ଭାରତ ଏହି ତାଲିକାରେ ୧୦୩ ସ୍ଥାନ ଅଧିକାର କରିଛି । ଭାରତରେ ବେକାରୀ ସମସ୍ୟା ଉତ୍କଟ ହୋଇଥିବାରୁ ଲୋକେ ଏତେମାତ୍ରାରେ ଖୁସିରେ ରହିପାରୁନଥିବା କୁହାଯାଇଛି । ବିଶ୍ୱର ସବୁଠାରୁ ଧନଶାଳୀ ରାଷ୍ଟ୍ର ଆମେରିକା ୧୩୪ତମ ସ୍ଥାନ ଅଧିକାର କରିଛି। ସେଠାରେ ମଧ୍ୟ ବେକାରୀ ମୁଖ୍ୟ ସମସ୍ୟାଭାବେ ଉଭା ହୋଇଛି । ୱାର୍ଲ୍ଡ ହ୍ୟାପିନେସ୍ ରିପୋର୍ଟ ଅନୁଯାୟୀ ଫିନଲାଣ୍ଡ ବିଶ୍ୱର ସବୁଠାରୁ ସୁଖୀ ରାଷ୍ଟ୍ରର ମାନ୍ୟତା ପାଉଥିଲେ ସୁଦ୍ଧା ଏହି ତାଲିକାରେ ୧୦୯ତମ ସ୍ଥାନ ମିଳିଥିବା ପ୍ରକାଶ । ଷ୍ଟିଭ୍ ହାନ୍‌କେ ବର୍ତ୍ତମାନ ଜନ ହପ୍‌କିନ୍‌ସ ବିଶ୍ୱବିଦ୍ୟାଳୟରେ ଆପ୍ଲାଏଡ୍ ଇକୋନୋମିକ୍‌ସରେ ପ୍ରଫେସରଭାବେ କାର୍ଯ୍ୟରତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking