33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମଣିପୁରରେ ଜାତିଗତ ହିଂସା ଅବ୍ୟାହତ; ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ

ମଣିପୁରରେ ଜାତିଗତ ହିଂସା ଅବ୍ୟାହତ; ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ

ଇମ୍ଫାଲ: ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଆଜକୁ ମାସାଧିକ କାଳ ଧରି ଚାଲିଥିବା ଜାତିଗତ ହିଂସା ଥମିବାର ନାଁ ନେଉନାହିଁ । ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟରେ ଚାଲିଥିବା ଏହି ହିଂସାରେ ଏପର୍ଯ୍ୟନ୍ତ ୮୩ ଜଣ ପ୍ରାଣ ହରାଇ ସାରିଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ହିଂସା ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଥିଲେ ସୁଦ୍ଧା ଏହା ଶହେ ପ୍ରତିଶତ ସଫଳ ହୋଇପାରିନାହିଁ । ରାଜଧାନୀ ଇମ୍ଫାଲର ଏକାଧିକ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ଇଣ୍ଟରନେଟ ବ୍ୟବସ୍ଥାକୁ ବାତିଲ କରାଯାଇଛି । ହିଂସା ପରିପ୍ରେକ୍ଷୀରେ ମଣିପୁରରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ଚାଉଳ, ଡାଲିଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ ଓ ପେଟ୍ରୋଲ ମୂଲ୍ୟ ବର୍ତ୍ତମାନ ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି । ପୂର୍ବରୁ ୫୦କିଲୋ ଓଜନର ସୁପରଫାଇନ ଚାଉଳ ବସ୍ତା ୯୦୦ ଟଙ୍କାରେ ମିଳୁଥିବାବେଳେ ବର୍ତ୍ତମାନ ଏହା ୧୮୦୦ ଟଙ୍କାରେ ବିକ୍ରି ହେଉଛି । ଆଳୁ ଓ ପିଆଜ ମୂଲ୍ୟ କିଲୋ ପିଛା ୨୦ରୁ ୩୦ ଟଙ୍କା ଅଧିକ ମୂଲ୍ୟରେ ଉପଲବ୍ଧ ହେଉଛି ।

ରାଜ୍ୟ ବାହାରୁ ଆସୁଥିବା ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି କୁହାଯାଇଛି । ଇମ୍ଫାଲର କେତେକ ସ୍ଥାନରେ ରନ୍ଧନ ଗ୍ୟାସ ସିଲିଣ୍ଡର ୧୮୦୦ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ପେଟ୍ରୋଲ ଲିଟର ୧୭୦ରୁ ୧୮୦ ଟଙ୍କା ଛୁଇଁଲାଣି । ୩୦ଟି ଅଣ୍ଡା ଥିବା କ୍ୟାରେଟ୍ ପୂର୍ବରୁ ୧୮୦ ଟଙ୍କାରେ ମିଳୁଥିବାବେଳେ ବର୍ତ୍ତମାନ ଏହା ୩୦୦ ଟଙ୍କାରେ ପହଞ୍ଚିଛି । ରାଜ୍ୟ ବାହାରୁ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍‌ଗୁଡିକୁ ନିରାପତ୍ତାରକ୍ଷୀମାନେ ଏସକର୍ଟ କରୁଥିବା ସତ୍ତ୍ୱେ ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା କୁହାଯାଇଛି । ଆଳୁ କିଲୋ ୧୦୦ ଏବଂ ପିଆଜ କିଲୋ ୮୫ ଟଙ୍କାରେ ପହଞ୍ଚିଥିବା ଜଣାପଡିଛି । ବିକ୍ଷୋଭକାରୀ ଗୋଷ୍ଠୀ ରାସ୍ତା ଅବରୋଧ କରୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକ୍‌ଗୁଡିକ ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଦ୍ୟପଦାର୍ଥ ମୂଲ୍ୟ ବୃଦ୍ଧି ପାଉଥିବାରୁ ହୋଟେଲ ଓ ରେସ୍ତୋରାଁରେ ଗ୍ରାହକମାନେ ବର୍ଦ୍ଧିତ ମୂଲ୍ୟକୁ ନେଇ ବ୍ୟତିବ୍ୟସ୍ତ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି ।

ତେବେ ମାଛ ଓ ମାଂସ ଦର ବୃଦ୍ଧି ପାଇନଥିବା ଜଣାପଡିଛି । ଅପରପକ୍ଷରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକେ ପଡୋଣୀ ରାଜ୍ୟରୁ ଶସ୍ତାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣୁଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସରକାର ଗୋଟିଏ ପଟେ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ବ୍ୟବସାୟୀ ଚଢା ଦରରେ ସାମଗ୍ରୀ ବିକ୍ରି କରିବେ, ସେମାନଙ୍କୁ ଦଣ୍ଡିତ କରାଯିବ । ତେବେ ସରକାରଙ୍କ ଏଭଳି ଚେତାବନୀକୁ ବ୍ୟବସାୟୀ ଗୋଷ୍ଠୀ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ସୂଚନାଯୋଗ୍ୟ ଚଳିତମାସ ପ୍ରାରମ୍ଭରେ ମଣିପୁରରେ ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟରେ ପ୍ରଥମେ ଜାତିଗତ ହିଂସାର ସୂତ୍ରପାତ ଘଟିଥିଲା । ମୈତେଇ ସଂପ୍ରଦାୟ ଆଦିବାସୀ ମାନ୍ୟତା ଦାବି କରୁଥିବାରୁ ଏହାର ପ୍ରତିବାଦରେ କୁକି ସଂପ୍ରଦାୟ ପକ୍ଷରୁ ମେ’ ୩ରେ ଇମ୍ଫାଲରେ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏହି ଶୋଭାଯାତ୍ରାକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏଥିରେ ୭୦ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଥିଲେ ।

ମଣିପୁର ଜନସଂଖ୍ୟାର ୬୪ ପ୍ରତିଶତ ମୈତେଇ ସଂପ୍ରଦାୟର ହୋଇଥିଲେ ସୁଦ୍ଧା ଅଣ-ଆଦିବାସୀଭାବେ ସେମାନଙ୍କୁ ରାଜ୍ୟରେ କେବଳ ୧୦ ପ୍ରତିଶତ ଜମି କିଣିବାର ସୁଯୋଗ ମିଳୁଛି । ତେଣୁ ସେମାନେ ଆଦିବାସୀ ମାନ୍ୟତା ପାଇବାକୁ ଦାବି କରିଆସୁଛନ୍ତି । ଅପରପକ୍ଷରେ ମୈତେଇ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ ନକରିବାକୁ କୁକି ସଂପ୍ରଦାୟ ଜିଦ ଧରିଛନ୍ତି । ମଣିପୁରରେ କ୍ଷମତାସୀନ ବିଜେପି ସରକାର କୁକି ସଂପ୍ରଦାୟକୁ ଟାର୍ଗେଟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଇତିମଧ୍ୟରେ ଦୁଇ ସଂପ୍ରଦାୟର ପ୍ରତିନିଧିମଣ୍ଡଳକୁ ଭେଟି ଶାନ୍ତି ଓ ସମାଧାନର ରାସ୍ତା ବାହାର କରିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking