30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସଂସଦ ଭବନରେ ସ୍ଥାନିତ ହେବ ସେଙ୍ଗୋଲ

ସଂସଦ ଭବନରେ ସ୍ଥାନିତ ହେବ ସେଙ୍ଗୋଲ

ନୂଆଦିଲ୍ଲୀ: ଆସନ୍ତା ୨୮ରେ ନୂତନ ସଂସଦ ଭବନ ଉଦ୍‌ଘାଟିତ ହେବାକୁ ଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଦିନ ସଂସଦ ଭବନ ପରିସରରେ ଐତିହାସିକ ସେଙ୍ଗୋଲ (ରାଜଦଣ୍ଡ)କୁ ସ୍ଥାନିତ କରିବାର କାର୍ଯ୍ୟକ୍ରମ ରହିଛି । ସ୍ୱର୍ଣ୍ଣିମ ରଙ୍ଗର ଏହି ରାଜଦଣ୍ଡକୁ ବାଚସ୍ପତିଙ୍କ ଆସନ ନିକଟରେ ରଖାଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହେବା ସମୟରେ ତତ୍କାଳୀନ ବ୍ରିଟିଶ ଭାଇସ୍‌ରୟ ଲର୍ଡ ମାଉଣ୍ଟବ୍ୟାଟେନଙ୍କ ତରଫରୁ ଏହି ରାଜଦଣ୍ଡକୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ହସ୍ତାନ୍ତର କରାଯାଇଥିଲା ।

ତାମିଲ ଶବ୍ଦ ‘ସେମ୍ମାଇ’ରୁ ସେଙ୍ଗୋଲ ଶବ୍ଦର ଉତ୍ପତ୍ତି ଘଟିଛି । ତାମିଲ ଭାଷାରେ ଏହାର ଅର୍ଥ ହେଉଛି ନ୍ୟାୟସଙ୍ଗତ ଅଥବା ନୀତିନିଷ୍ଠ । ୧୯୪୭ ଅଗଷ୍ଟ ୧୫ରେ କ୍ଷମତା ହସ୍ତାନ୍ତର ସମୟରେ ମାଉଣ୍ଟବ୍ୟାଟେନ ସେଠାରେ ଉପସ୍ଥିତ ନେହେରୁଙ୍କୁ ପ୍ରଶ୍ନ କରିଥିଲେ ‘କ୍ଷମତା ହସ୍ତାନ୍ତର ପ୍ରକ୍ରିୟାର ନମୁନା ସ୍ୱରୂପ ଆପଣ କ’ଣ ଗ୍ରହଣ କରିବାକୁ ଚାହିଁବେ’ । ଏହି ସମୟରେ ନେହେରୁ ପରାମର୍ଶ ପାଇଁ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ସି.ରାଜଗୋପାଳଚାରୀ (ରାଜାଜୀ)ଙ୍କ ଆଡକୁ ଅନାଇଥିଲେ । ରାଜାଜୀ କହିଥିଲେ ଯେ ତାମିଲ ପରମ୍ପରା ଅନୁଯାୟୀ ଯେତେବେଳେ ନୂଆ ରାଜା ସିଂହାସନ ଆରୋହଣ କରନ୍ତି, ସେତେବେଳେ ରାଜପୁରୋହିତଙ୍କ ତରଫରୁ ନୂଆ ରାଜାଙ୍କୁ ଏହି ସେଙ୍ଗୋଲ ପ୍ରଦାନ କରାଯାଇଥାଏ ।

ତେଣୁ ଆମେ ବ୍ରିଟିଶ ସରକାରଙ୍କଠାରୁ ସେଙ୍ଗୋଲ ଗ୍ରହଣ କରିବା ଯୁକ୍ତିସଙ୍ଗତ ହେବ ବୋଲି ରାଜାଜୀ ନେହେରୁଙ୍କୁ ବୁଝାଇଥିଲେ । ନେହେରୁ ଏହି ପ୍ରସ୍ତାବରେ ତତ୍‌କ୍ଷଣାତ ରାଜି ହେବାସହିତ ସେଙ୍ଗୋଲ ଯୋଗାଡ କରିବାକୁ ରାଜାଜୀଙ୍କୁ ଅନୁରୋଧ କରିଥିଲେ । ରାଜାଜୀ ତାମିଲନାଡୁ (ପୂର୍ବନାମ ମାଡ୍ରାସ)ସ୍ଥିତ ଏକ ମଠର ମହନ୍ତଙ୍କୁ ଏହି ଦାୟିତ୍ୱ ଦେଇଥିଲେ । ତଦନୁଯାୟୀ ମାଡ୍ରାସର ଜଣେ ସୁନା କାରିଗର ଭୁମିଡି ବାଙ୍ଗାରୁ ଚେଟ୍ଟି ଏହି ସେଙ୍ଗୋଲ ନିର୍ମାଣ କରିଥିଲେ । ପାଞ୍ଚଫୁଟ ଲମ୍ବ ବିଶିଷ୍ଟ ଏହି ସେଙ୍ଗୋଲ ଉପରିଭାଗରେ ଶିବଙ୍କ ବାହନ ନନ୍ଦୀ (ବୃଷଭ)କୁ ସ୍ଥାନିତ କରାଯାଇଥିଲା । ରିପୋର୍ଟ ମୁତାବକ ଉକ୍ତ ମଠର ବରିଷ୍ଠ ମହନ୍ତ ଏହି ସେଙ୍ଗୋଲକୁ ପ୍ରଥମେ ମାଉଣ୍ଟବ୍ୟାଟେନଙ୍କୁ ଦେବାପରେ ପୁଣି ନେଇଯାଇଥିଲେ । ତାହାକୁ ଗଙ୍ଗାଜଳରେ ବୁଡାଇ ପବିତ୍ର କରାଯିବାପରେ ନେହେରୁଙ୍କୁ ହସ୍ତାନ୍ତର କରାଯାଇଥିଲା । ୧୯୪୭ ଅଗଷ୍ଟ ୧୪ ରାତି ୧୧ଟା ୪୫ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେହିଦିନଠାରୁ ଉକ୍ତ ସେଙ୍ଗୋଲକୁ ଆହ୍ଲାବାଦ (ପ୍ରୟାଗରାଜ)ର ଏକ ମ୍ୟୁଜିୟମରେ ସାଇତି ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking