ନୂଆଦିଲ୍ଲୀ :ପୃଥିବୀ ଉପରେ ମହାକାଶରୁ ବିପଦ ଆସିଲେ କଣ ହେବ? ସାଢ଼େ ଛଅ କୋଟି ବର୍ଷ ତଳେ ମହାକାଶରୁ ଆସିଥିବା ଏକ ଆଷ୍ଟ୍ରଏଡ୍ ଡାଇନୋସର ବଂଶ ଲୋପ କରି ଦେଇଥିଲା। ଭବିଷ୍ୟତରେ ମନୁଷ୍ୟଜଗତ ପ୍ରତି ଏପରି ବିପଦ ଏଡ଼ାଇ ହେବ କି? ବଡ଼ ଆଷ୍ଟ୍ରଏଡ୍ ବିପଦ ଆସିଲେ ପୃଥିବୀର ସୁରକ୍ଷା କେମିତି ହେବ? ଗବେଷଣା ଜାରି ରହିଛି। ଆଜି ରାତିରେ ରହିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପ୍ରଥମ ମହାପରୀକ୍ଷଣ। ଏହି ମିଶନର ନାଁ ରହିଛି DART ବା ଡବଲ ଆଷ୍ଟରଏଡ୍ ରି-ଡାଇରେକ୍ସନ୍ ଟେଷ୍ଟ । DARTର ଟାର୍ଗେଟରେ ରହିଛି, ୧୬୦ ମିଟର ଚଉଡାର ଡିମୋରଫୋସ୍ ଆଷ୍ଟ୍ରଏଡ୍। ଡିମୋରଫୋସ୍ ଆଉ ଏକ ବଡ଼ ଆଷ୍ଟ୍ରଏଡ୍ ଡିଡାଇମସ ଚାରିପାଖରେ ଘୂରିବୁଲୁଛି।
ଭାରତୀୟ ସମୟ ରାତି ପାଖାପାଖି ୩ଟା ବେଳେ ମହା ପରୀକ୍ଷା। ଭାରତ ମହାସାଗରର ୧୧ କିଲୋମିଟର ଉପରେ, ଏକ ସ୍ପେସ୍କ୍ରାଫ୍ଟ ସେକେଣ୍ଡକୁ ସାତ କିଲୋମିଟର ବେଗରେ ଯାଇ, ଡିମୋରଫୋସ୍ ସହ ମୁହାଁମୁହିଁ ଧକ୍କା ହେବ। ସେ ସମୟର ଦୃଶ୍ୟ କଏଦ କରିବାକୁ ଡାର୍ଟରେ ରହିଛି ସ୍ୱତନ୍ତ୍ର କ୍ୟାମେରା, ଲାଇଟ୍ ଇଟାଇଲିଆନ କ୍ୟୁବ୍ସାଟ୍। ଏହି ପରୀକ୍ଷଣ କରି, ଡିମୋରଫୋସ୍ର ଗତି ଓ ଦିଗ ବଦଳାଇବାକୁ ଚାହୁଁଛି ନାସା। ଡିଡାଇମାସ ଚାରି ପାଖରେ ଗୋଟିଏ ଘେରା ବୁଲିବାକୁ ୧୨ ଘଣ୍ଟା ସମୟ ନେଉଛି ଡିମୋରଫୋସ୍। ସ୍ପେସ୍ କ୍ରାଫ୍ଟ ସହ ଧକ୍କା ପରେ ଦିଗରେ ସାମାନ୍ୟ ପରିବର୍ତ୍ତନ ହେବା ସହ ଗତି କିଛି ମିନିଟ୍ ପାଇଁ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।
ଆଷ୍ଟ୍ରଏଡ୍ ସହ ସ୍ପେସ୍କ୍ରାଫ୍ଟ ଧକ୍କା ହେବା ପୂର୍ବରୁ ଓ ପରର ଦୃଶ୍ୟ ପାଇଁ ବୈଜ୍ଞାନିକ ଅପେକ୍ଷା କରି ରହିଛନ୍ତି। ଅନୁଧ୍ୟାନ ପାଇଁ କେନିଆରେ ଏକ ସ୍ୱତନ୍ତ୍ର ଟେଲିସ୍କୋପ୍ ଲଗାଯାଇଛି। ଏହି ପରୀକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ପୃଥିବୀ ପାଇଁ କିପରି ସୁରକ୍ଷା ବଳୟ ସୃଷ୍ଟି କରିବା। ଏହାସହ ସେହି ଆଷ୍ଟ୍ରଏଡ୍ ସମ୍ପର୍କରେ ଜାଣିବା ପାଇଁ ସୁଯୋଗ ମିଳିବ।
ମହାକାଶ ବିଜ୍ଞାନୀ ନିରନ୍ତର ମହାକାଶରେ ୩୦ ହଜାର ଗ୍ରହାଣୁ ଓ ଧୂମକେତୁ ଉପରେ ନଜର ରଖିଛନ୍ତି, ଯାହା ପୃଥିବୀ କକ୍ଷପଥ ନିକଟ ଦେଇ ଗତି କରୁଛି । କୌଣସି ଗୋଟିଏ ଗ୍ରହାଣୁ ୭ ମାଇଲ ଚଉଡାରୁ ଅଧିକ ନୁହଁ, ଯାହା ଦିନେ ଡାଇନୋସର ବଂଶକୁ ନିପାତ କରିଥିଲା। ୨୦୧୩ରେ ୨୦ ମିଟର ଚଉଡାର ଏକ ଆଷ୍ଟ୍ରେଏଡ୍ ରୁଷ ଉପରେ ମାଡ ହୋଇଥିଲା। ସୃଷ୍ଟି କରିଥିଲା ବଡ଼ କମ୍ପନ, ଆହତ ହୋଇଥିଲେ ୧୬୦୦ରୁ ଅଧିକ। ଭବିଷ୍ୟତରେ ବଡ଼ ମହାଜାଗତିକ ପଦାର୍ଥରୁ ପୃଥିବୀକୁ ବଂଚାଇବା, ଆଜି ନାସା ପାଇଁ ଏକ ଆର୍ମାଗେଡନ ମୁହୂର୍ତ୍ତ। ମଣିଷର ଭାଗ୍ୟ ଡାଇନୋସରର ଭାଗ୍ୟ ନହେଉ, ଏହା ହେଉଛି ଏହି ପରୀକ୍ଷାର ଲକ୍ଷ୍ୟ। ଗୋଟିଏ ଆଷ୍ଟ୍ରଏଡ୍ ସହ ଧକ୍କା କରି ସ୍ପେସ୍ କ୍ରାଫ୍ଟ ନଷ୍ଟ କରିବା ପାଇଁ ଥିବା ମିଶନରେ ନାସା ଖର୍ଚ୍ଚ କରିଛି, ୨ ହଜାର ୭ଶହ କୋଟି ଟଙ୍କା।