30.1 C
Bhubaneswar
Saturday, April 27, 2024
Homeଓଡିଶାସ୍ୱାଭାବିକ ହେଉନି ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟ: ଦୁର୍ଦ୍ଦିନରେ ୧୦ ହଜାର କର୍ମଚାରୀ

ସ୍ୱାଭାବିକ ହେଉନି ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟ: ଦୁର୍ଦ୍ଦିନରେ ୧୦ ହଜାର କର୍ମଚାରୀ

ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଭୁବନେଶ୍ୱର ଅଞ୍ଚଳରେ ଥିବା ୫ଶହରୁ ଉର୍ଦ୍ଧ୍ୱ ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ୍ ବନ୍ଦ ରହିଛି । ଫଳରେ ଏହା ଉପରେ ନିର୍ଭର କରୁଥିବା ୧୦ହଜାରରୁ ଅଧିକ କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାର ଲୋକ ଘୋର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ତେଣୁ ଶତକଡ଼ା ୫୦ ଭାଗ କର୍ମଚାରୀରେ ପୁଣି ଥରେ ହୋଟେଲ୍ ଶିଳ୍ପ ଏବଂ ପ୍ରତିଷ୍ଠାନଗୁଡ଼ିକୁ ଖୋଲିବାକୁ ଦାବି କରାଯାଇଛି । ଏନେଇ ଭୁବନେଶ୍ୱରରେ କିଛି ହୋଟେଲ ମାଲିକ ଓ କର୍ମଚାରୀ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ଦାବି କରିଛନ୍ତି ।

ସେମାନଙ୍କ କହିବା ଅନୁଯାୟୀ ୧୦ହଜାର କର୍ମଚାରୀଙ୍କ ମଧ୍ୟରୁ ପାଖାପାଖି ୬ହଜାର କର୍ମଚାରୀ ଖାଦ୍ୟ ଏବଂ ପାନୀୟ ବ୍ୟବସାୟ କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ । ଏମାନଙ୍କର ମାସିକ ଦରମା ୮ହଜାରରୁ ୧୧ ହଜାର ଭିତରେ । କରୋନା ମହାମାରୀ ଜନିତ ଲକ୍‌ଡାଉନ୍ ଫଳରେ ସରକାରଙ୍କର ରାଜସ୍ୱ କ୍ଷତି ସହ ପାଖାପାଖି ୧୦ହଜାର ପରିବାର ଘୋର ଦୁର୍ଦ୍ଦିନରେ ସମୟ କାଟୁଛନ୍ତି । ଲକ୍‌ଡ଼ାଉନ୍ ଏବଂ କର୍ମଚାରୀମାନଙ୍କ ଦୁର୍ଦ୍ଦିନ ଯୋଗୁଁ ହୋଟେଲ୍ ଶିଳ୍ପର ରାଜସ୍ୱ ୩୦ରୁ ୫୦ ଶତାଂଶ କମିଛି । ଦେଖିବାକୁ ଗଲେ ବର୍ତ୍ତମାନ ବ୍ୟକ୍ତିଗତ ଭାବରେ ଏହି କର୍ମଚାରୀମାନେ ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ଅଳ୍ପ ସଂଖ୍ୟକ କର୍ମଚାରୀରେ ହୋଟେଲଗୁଡ଼ିକୁ ଚଲାଇବା ପାଇଁ ଅଣନିଃଶ୍ୱାସୀ ହୋଇ କାମ କରିବାକୁ ପଡୁଛି । ବର୍ତ୍ତମାନ ପ୍ରାୟତଃ ହୋଟେଲ୍‌କୁ ୫୦ଶତାଂଶ ପର୍ଯ୍ୟନ୍ତ କେତେକ କ୍ଷେତ୍ରରେ ରିହାତି ଦେବାକୁ ପଡୁଛି । ଯାହାକି ଅନୁଷ୍ଠାନକୁ ବଞ୍ଚେଇ ରଖିବା ମଧ୍ୟ କଷ୍ଟକର । ଯେକୌଣସି ପରିସ୍ଥିତରେ ପୁଣିଥରେ ହୋଟେଲ୍‌ଗୁଡ଼ିକୁ ଚଳେଇବା ପାଇଁ ଆମେ ପ୍ରସ୍ତୁତ ଅଛୁ । ସରକାରଙ୍କ କୌଣସି ପ୍ରକାର ନିର୍ଦ୍ଦେଶାବଳୀକୁ କୋହଳ କରିବା ପାଇଁ ଆମେ ଚାହୁଁନାହୁଁ । ଇତିମଧ୍ୟରେ ଏହି ବ୍ୟବସାୟ ସହ ସମ୍ପୃକ୍ତ ସମସ୍ତ କର୍ମଚାରୀ, ଖାଦ୍ୟ ବିତରକ ଆଦି ସମସ୍ତେ ପ୍ରତିଶେଧକ ଟିକା ନେଇ ସାରିଲେଣି । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ଆମେ ବର୍ତ୍ତମାନ ସୃଷ୍ଟି କରିଛୁ । ଅଥଚ କରୋନା ପରବର୍ତ୍ତୀ ସମୟରେ ବହୁ ହୋଟେଲ୍ ବନ୍ଦ ହୋଇଯାଇଥିବାରୁ ଏହି କର୍ମଚାରୀମାନଙ୍କ ପରିବାର ପ୍ରତିପୋଷଣର ବିଷୟ ପ୍ରଶ୍ନବାଚୀ ଭିତରକୁ ଆସିଯାଇଛି । ଓଡ଼ିଶାର ପଡୋଶୀ ରାଜ୍ୟମାନେ ଖାଦ୍ୟ ଏବଂ ପାନୀୟ ବ୍ୟବସାୟକୁ କଟକଣା ପାଳନ କରି ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଭୁବନେଶ୍ୱରରେ ଶତକଡ଼ା ୫୦ ଭାଗ କର୍ମଚାରୀରେ ପୁଣି ଥରେ ହୋଟେଲ୍ ଶିଳ୍ପ ଏବଂ ପ୍ରତିଷ୍ଠାନଗୁଡ଼ିକୁ ଖୋଲିବା ପାଇଁ ହୋଟେଲ ମାଲିକ ଓ କର୍ମଚାରୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking