30.1 C
Bhubaneswar
Saturday, April 27, 2024
Homeଓଡିଶାଚିକିତ୍ସା ପାଇଁ ଡହଳବିକଳ ହେଉଛନ୍ତି ରୋଗୀ

ଚିକିତ୍ସା ପାଇଁ ଡହଳବିକଳ ହେଉଛନ୍ତି ରୋଗୀ

ଭୁବନେଶ୍ୱର : ରାଜ୍ୟରେ ଏବେ ଭୂତାଣୁ ଭୟଙ୍କରରୁ ଅତିଭୟଙ୍କର ହେବାରେ ଲାଗିଛି । ପ୍ରତିଦିନ ୨୦ ଉପରେ ମୃତ୍ୟୁ ରେକର୍ଡ କରାଯାଉଥିବାବେଳେ ମେଡିକାଲରେ ସମ୍ବେଦନଶୀଳ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ଏତେ ମାତ୍ରାରେ ରୋଗୀ କିପରି ଆବଶ୍ୟକୀୟ ଚିକିତ୍ସା ପାଇବେ ସେନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟରେ ଏବେ ରୋଗୀ ଚିକିତ୍ସା ପାଇଁ ଡହଳବିକଳ ହେଉଛନ୍ତି । କେତେବେଳେ ଭେଣ୍ଟିଲେଟରର ଅଭାବ ପଡ଼ୁଛି ତ ଆଉ କେତେବେଳେ ଅକ୍ସିଜେନର । ପୁଣି କେତେବେଳେ ରେମଡେସିଭିର୍ ଭଳି ଜରୁରୀ ଇଞ୍ଜେକ୍ସନ୍ ଜରୁରୀ ଆବଶ୍ୟକ ହେଉଛି ତ କେତେବେଳେ ଇସିଏମ୍‌ଓ ଭଳି ଅତ୍ୟାଧୁନିକ ମେସିନ୍ ଖୋଜାପଡ଼ୁଛି । ଏପରିସ୍ଥିତିରେ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଲକ୍ଷେ ପାର୍ କରିଛି । ସେମାନଙ୍କ ମଧ୍ୟରୁ ୭୦% ରୋଗୀ ହୋମ୍ ଆଇସୋଲେସନ୍‌ରେ ଚିକିତ୍ସିତ ହେଉଥିବାବେଳେ ୩୦% ରୋଗୀ ହସ୍ପିଟାଲ ଓ ବିଭିନ୍ନ କୋଭିଡ୍ କେୟାର ସେଣ୍ଟରରେ ରହି ଚିକିତ୍ସାଧୀନ ରହିଛନ୍ତି । ଚିକିତ୍ସା ସମୟରେ ଯେଉଁମାନଙ୍କ ଶ୍ୱାସ ପ୍ରଶ୍ୱାସ ଜନିତ ବା ଅନ୍ୟ ଜଟିଳ ଚିକିତ୍ସା ଆବଶ୍ୟକତା ନାହିଁ, ସେମାନେ ସାଧାରଣତଃ ବିଶେଷ ହଇରାଣ ହେଉନାହାନ୍ତି । ହେଲେ ଯାହାର ଆବଶ୍ୟକୀୟ ଚିକିତ୍ସା ଯେପରି ଭେଣ୍ଟିଲେଟର ସୁବିଧା ପାଉନାହାନ୍ତି, ସେମାନେ ଜୀବନ ବିକଳରେ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲ ଘୂରି ବୁଲୁଛନ୍ତି । ରାଜ୍ୟ ଘୋର୍ ଭେଣ୍ଟିଲେଟର ଅଭାବ ଏହାର ମୁଖ୍ୟ କାରଣ ପାଲଟିଛି ।
ସାଧାରଣତଃ ବିଶେଷଜ୍ଞଙ୍କ ମତରେ ଅଧିକାଂଶ ରୋଗୀ ଫୁସ୍‌ଫୁସ୍‌ଜନିତ ସଂକ୍ରମଣର ଶିକାର ହେଉଛନ୍ତି । ସେମାନଙ୍କ ପାଇଁ ଭେଣ୍ଟିଲେଟର ନିତାନ୍ତ ଆବଶ୍ୟକତା ରହିଛି । ଯଦି ରାଜ୍ୟରେ ହସ୍ପିଟାଲ ଓ ବିଭିନ୍ନ କୋଭିଡ୍ କେୟାର ସେଣ୍ଟରରେ ୩୦% ରୋଗୀଙ୍କ ମଧ୍ୟରୁ ୧୦% ରୋଗୀଙ୍କୁ ଭେଣ୍ଟିଲେଟର ଆବଶ୍ୟକତା ପଡ଼େ, ତାହେଲେ ୩ହଜାର ଭେଣ୍ଟିଲେଟର ଦରକାର । ଏହାଛଡ଼ା ହୋମ୍ ଆଇସୋଲେସନ୍ ରୋଗୀ ପାଇଁ ବି ଭେଣ୍ଟିଲେଟର ଆବଶ୍ୟକ ହେଉଛି । ଯାହାର ଉଦାହରଣ ପ୍ରତିଦିନ ଆକ୍ରାନ୍ତଙ୍କ ସମ୍ପର୍କୀୟ ଓ ବନ୍ଧୁ ପରିଜନଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମରେ ନଜରକୁ ଆସୁଛି । କିଏ ଭେଣ୍ଟିଲେଟର ପାଇଁ ତ କିଏ ଅକ୍ସିଜେନ୍ ପାଇଁ ଆକୁଳ ନିବେଦନ କରୁଥିବାର ନଜିର ରହିଛି । ଏପରି ସମୟରେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କ ନିଜସ୍ୱ ୧୧୦୨ ଭେଣ୍ଟିଲେଟର ବ୍ୟବହାର କରାଯାଇଛି । ଆଉ ଅଧିକ ଭେଣ୍ଟିଲେଟର ପାଇଁ ରାଜ୍ୟ ସରକାର ବ୍ୟବସ୍ଥା ଜାରି ରଖିଛନ୍ତି । ଏହାଛଡ଼ା କେନ୍ଦ୍ର ସରକାର ରାଜ୍ୟକୁ ମୋଟ୍ ୫୬୭ ଭେଣ୍ଟିଲେଟର ଦେଇଛନ୍ତି । ସେଥିରେ ୧୦ଟି ଖରାପ ରହିଛି । ଏହାଛଡ଼ା ସେଥିରୁ ପାର୍ଟସ୍ ଅଭାବରୁ ୫୫ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ହୋଇପାରିନାହିଁ । ମୋଟାମୋଟି କହିବାକୁ ଗଲେ କେନ୍ଦ୍ର ସରକାରଙ୍କ ବର୍ତ୍ତମାନ ୫୦୨ଟି ଭେଣ୍ଟିଲେଟର କାର୍ଯ୍ୟକ୍ଷମ ରହିଛି । ସେହିପରି ରାଜ୍ୟ ସରକାରଙ୍କ ୧୧୦୨ ଓ କେନ୍ଦ୍ର ସରକାରଙ୍କ ୫୦୨ ଭେଣ୍ଟିଲେଟରକୁ ମିଶାଇଲେ ରାଜ୍ୟରେ ଏବେସୁଦ୍ଧା ମୋଟ୍ ୧୬୦୪ ଭେଣ୍ଟିଲେଟର ରହିଛି । ହେଲେ ବର୍ତ୍ତମାନ ଅତିକମ୍‌ରେ ୩ ହଜାର ଆବଶ୍ୟକସ୍ଥଳେ ୧୬୦୪ ଭେଣ୍ଟିଲେଟର ରହିଛି । ରାଜ୍ୟ କିପରି ରୋଗୀଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking