29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶନେପାଳରେ ୮ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ନେପାଳରେ ୮ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

କାଠମାଣ୍ଡୁ : କେରଳରୁ ନେପାଳକୁ ବୁଲି ଯାଇଥିବା ଏକ ପର୍ଯ୍ୟଟକ ଦଳ କାଠମାଣ୍ଡୁ ନିକଟସ୍ଥ ଏକ ହୋଟେଲରେ ଅବସ୍ଥାନ କରୁଥିଲାବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି । ଏହି ୮ ଜଣଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଥିବା ଜଣାପଡ଼ିଛି ।
ମିଳିଥିବା ରିପୋର୍ଟ ଅନୁଯାୟୀ, କେରଳର ଏକ ୧୫ ଜଣିଆ ପର୍ଯ୍ୟଟକ ଦଳ ନେପାଳର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ପୋଖରା ବୁଲିସାରି ଘରକୁ ଫେରୁଥିବା ସମୟରେ ବାଟରେ ମକୱାନପୁର ଜିଲ୍ଲାର ଦାମନଠାରେ ଏକ ହୋଟେଲରେ ସୋମବାର ରାତ୍ରିଯାପନ କରିଥିଲେ । ଗୋଟିଏ ରୁମ୍‌ରେ ଏହି ୮ ଜଣ ରହିଥିଲେ । ନେପାଳରେ ପ୍ରବଳ ଶୀତ ଯୋଗୁଁ ସେମାନେ ରୁମ୍ ହିଟର୍ ବ୍ୟବହାର କରିଥିଲେ । ନିବୁଜ କୋଠରୀରେ ରୁମ୍ ହିଟର୍‌ରୁ ନିର୍ଗତ କାର୍ବନ ମନୋକ୍ସାଇଡ୍ ପ୍ରଭାବରେ ସେମାନେ ଅଚେତ ହୋଇପଡ଼ିଥିଲେ । ତୁରନ୍ତ ସେମାନଙ୍କୁ ହେଲିକପ୍ଟରରେ କାଠମାଣ୍ଡୁସ୍ଥିତ ହାମ୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ବିଷାକ୍ତ ବାଷ୍ପ ପ୍ରଭାବରେ ଶ୍ୱାସରୁଦ୍ଧ ହୋଇ ସେମାନେ ପ୍ରାଣ ହରାଇଥିବା ପୁଲିସ ସନ୍ଦେହ କରୁଛି । ହୋଟେଲର ମ୍ୟାନେଜର କହିଛନ୍ତି, ଏହି ପର୍ଯ୍ୟଟକଦଳ ୪ଟି ରୁମ୍ ବୁକ୍ କରିଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣ ଗୋଟିଏ ରୁମରେ ଏବଂ ବାକି ଅନ୍ୟମାନେ ଅନ୍ୟ ରୁମ୍‌ରେ ରହିଥିଲେ ।
ରୁମର ସମସ୍ତ ଦ୍ୱାର ଓ ଝରକା ଭିତରପଟୁ ବନ୍ଦ ରହିଥିଲା । ମୃତକମାନେ ହେଲେ ପ୍ରବୀଣ କ୍ରିଷ୍ଣନ୍ ନାୟାର, ଶରନ୍ୟା ଶଶୀ, ଶ୍ରୀଭଦ୍ର ପ୍ରବୀଣ, ଅର୍ଚ୍ଚା ପ୍ରବୀଣ, ଅଭିନବ ଶରନ୍ୟା ନାୟାର, ରଣଜିତ କୁମାର ଅଦଥୋଲାଥ ପୁନାଥିଲ, ଇନ୍ଦୁଲକ୍ଷ୍ମୀ ପୀତାମ୍ବରନ୍ ରାଗଲଥା ଓ ବୈଷ୍ଣବ ରଣଜିତ । ମୃତକଙ୍କ ମଧ୍ୟରେ ୨ ଦମ୍ପତି ଓ ୪ ଶିଶୁ ରହିଛନ୍ତି । ଖବର ପାଇ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ହସ୍ପିଟାଲକୁ ଜଣେ ଡାକ୍ତରଙ୍କୁ ପଠାଯାଇଥିଲା । ଏହି ପର୍ଯ୍ୟଟକ ଦଳକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି । କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏହି ପର୍ଯ୍ୟଟକଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନେପାଳରୁ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ମୃତଦେହ କେରଳ ଅଣାଯିବା ପାଇଁ ବିହିତ ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ନେପାଳରେ ଥିବା ଆମ ଦୂତାବାସ ପକ୍ଷରୁ ପର୍ଯ୍ୟଟକ ଦଳ ସହ ଯୋଗାଯୋଗ କରାଯାଇଛି । ଦୂତାବାସର ଅଧିକାରୀମାନେ ହସ୍ପିଟାଲ୍‌ରେ ପହଞ୍ôଚ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆମେ ଗଭୀର ସମବେଦନା ଜଣାଉଛୁ ବୋଲି ଜୟଶଙ୍କର ଏକ ବିବୃତିରେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking