38.1 C
Bhubaneswar
Friday, April 26, 2024
Homeଓଡିଶାରବିଋତୁରେ ୫୦ଭାଗ ଜମିକୁ ମିଳିବ କେନାଲ ପାଣି : ଫାନି କ୍ଷତି ଭରଣା ଆଶା କମ୍‌,...

ରବିଋତୁରେ ୫୦ଭାଗ ଜମିକୁ ମିଳିବ କେନାଲ ପାଣି : ଫାନି କ୍ଷତି ଭରଣା ଆଶା କମ୍‌, ଚିନ୍ତାରେ ଚାଷୀ

କେନ୍ଦ୍ରାପଡା : ଚଳିତବର୍ଷ ଖରିଫ ଚାଷ ଫାନି ଓ ବୁଲ୍‌ବୁଲ୍‌ରେ ପ୍ରଭାବିତ ହେବା ଯୋଗୁଁ ଜିଲ୍ଲାର ହଜାର ହଜାର ହେକ୍ଟର ଧାନ ଫସଲ ନଷ୍ଟ ହେବା ଫଳରେ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି । ତେବେ ପରବର୍ତ୍ତୀ ରବି ଫସଲରେ ଏହି କ୍ଷତିର ଭରଣା କରିବାକୁ ଆଶା କରିଥିବା ଚାଷୀ ଏବେ କେନାଲରେ କମ୍ ପାଣି ମିଳିବା କାରଣକୁ ନେଇ ଚିନ୍ତାରେ ପଡିଯାଇଥିବା ସୂଚନା ମିଳିଛି । ୨୦୧୫-୧୬, ୨୦୧୬-୧୭ ଓ ୨୦୧୭-୧୮ ତିନିବର୍ଷ କାଳ କେନାଲ ମରାମତି ନାମରେ ଜଳସେଚନ ବିଭାଗ ପକ୍ଷରୁ ମୁଗପାଣିକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ, ଗତ ୨୦୧୮-୧୯ରେ କୃଷିଋତୁରେ ମାତ୍ର ୩୦ ଶତାଂଶ ଜମିିକୁ ଆଶିଂକ ଭାବରେ ପାଣି ମିଳିଥିଲା । ଚଳିତ ବର୍ଷ ଅଧିକ ଜମିକୁ ପାଣିଦେବେ ବୋଲି କହୁଥିବାବେଳେ ଏହି ପାଣି ସମୁଦାୟ ଜଳସେଚିତ ଜମିର ମାତ୍ର ୫୦ ଭାଗକୁ ମିଳିବ ବୋଲି କେନ୍ଦ୍ରାପଡା ଜଳସେଚନ ଡିଭିଜନ ପକ୍ଷରୁ ସୂଚନା ମିଳିଛି । ଏହି ପାଣି ଚଳିତ ଜାନୁଆରୀ ୧୬ ରୁ ୩୧ ପର୍ଯ୍ୟନ୍ତ କେନାଲରେ ପାଣି ମିଳୁଥିବାରୁ ଏହାକୁ ନେଇ ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ସହିତ ଏହା ରବିଚାଷକୁ ପ୍ରଭାବିତ କରିବ ବୋଲି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ।
କେନ୍ଦ୍ରାପଡା ଜିଲ୍ଲାରେ ମୋଟ ୧ଲକ୍ଷ, ୫୨ ହଜାର ହେକ୍ଟର ଚାଷଜମି ମଧ୍ୟରୁ ରବିଋତୁରେ ୧ଲକ୍ଷ,୨୫ ହଜାର ହେକ୍ଟର ଜମିରେ ରବିଫସଲ ଭାବେ ମୁଗ, ବିରି, ତୈଳବୀଜ ଓ ପନିପରିବା ଚାଷ ହେବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା କୃଷି ବିଭାଗରୁ ସୂଚନା ମିଳିଛି । କେବଳ ରବିଋତୁରେ ୭୦ହଜାର ହେକ୍ଟର ଜମିରେ ମୁଗ ଓ ବିରି ଚାଷ କରାଯିବାର ଯୋଜନା ରଖାଯାଇଥିବା ବେଳେ, ତିନିବର୍ଷଧରି କେନାଲରେ ଆଦୌ ପାଣି ନଆସିବା ଯୋଗୁ କୃଷି ବିଭାଗର ଏହି ଲକ୍ଷ୍ୟ ବିଫଳ ହୋଇଥିଲା । ଅନ୍ୟପକ୍ଷରେ ଗତବର୍ଷ ମାତ୍ର ୧୩ ହଜାର ହେକ୍ଟର ଜମିକୁ ପାଣି ଆସିବାରୁ ଏହି ଋତୁରେ ଚାଷବାସ ପ୍ରଭାବିତ ହୋଇଥିଲା । ଗୋଟିଏ ପଟରେ ଚାଷୀର ଆୟ ଦୁଇଗୁଣ କରିବା ଉପରେ ସରକାର ଗୁରୁତ୍ୱ ଦେଉଥିବା କଥା କହୁଥିବାବେଳେ, କେବଳ ଖରିଫ ଫସଲ ଭାବରେ ଏକମାତ୍ର ଧାନ ଚାଷରୁ ଚାଷୀର ଆୟ ଦ୍ୱିଗୁଣିତ ହେବା ଆଦୌ ସମ୍ଭବ ନୁହେଁ ବୋଲି ଜନୈକ କୃଷି ବିଶେଷଜ୍ଞ ପ୍ରକାଶ କରିଛନ୍ତି । ରବିଚାଷ ପାଇଁ ପର୍ଯ୍ୟାପ୍ତ ଜଳ ଯୋଗାଣ କରାନଗଲେ ଚଳିତବର୍ଷ ଅଧିକାଂଶ ଜମି ପଡିଆ ପଡିବା ସହିତ ଉତ୍ପାଦନ ବାଧାପ୍ରାପ୍ତ ହେବ ବୋଲି ସେ ଆକଳନ କରିଛନ୍ତି ।
କେନ୍ଦ୍ରାପଡା ଜଳ ସେଚନ ଡିଭିଜନର ନିର୍ବାହୀଯନ୍ତ୍ରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ୨୦୧୮-୧୯ ରବିଋତୁରେ କେନ୍ଦ୍ରାପଡା କେନାଲ ଦ୍ୱାରା ଜଳସେଚିତ ଜମି ୧୪ହଜାର, ୪୩୦ ହେକ୍ଟର ମଧ୍ୟରୁ ମାତ୍ର ୪ହଜାର,୩୨୯ ହେକ୍ଟର ଜମିକୁ ଜଳସେଚିତ କରାଯାଇଥିଲା । ସେହିପରି ଗୋବରୀ କେନାଲ ଦ୍ୱାରା ଜଳସେଚିତ କରାଯାଉଥିବା ୭ହଜାର ୬୧୬ ହେକ୍ଟର ଜମିରୁ ମାତ୍ର ୨ହଜାର, ୨୮୪ ହେକ୍ଟରକୁ ଜଳସେଚନ ଯୋଗାଇ ଦିଆଯ।।ଇଥିଲା । ଅନୁରୂପ ଭାବରେ ପଟ୍ଟାମୁଣ୍ଡାଇ କେନାଲ ଦ୍ୱାରା ମୋଟ ଜଳସେଚିତ ଜମି ୧୯ ହଜାର, ୨୪୯ ମଧ୍ୟରୁ ମାତ୍ର ୫ହଜାର ୭୭୪ ହୋକ୍ଟର ଜମିକୁ ଓ ଗୋବରୀ ସଂପ୍ରସାରଣ କେନାଲ ଅନ୍ତର୍ଗତ ୩ହଜାର,୭୪୦ ହେକ୍ଟର ଜମିରୁ ୧ହଜାର, ୧୨୨ ହେକ୍ଟର ଜମିକୁ ଜଳଯୋଗାଣ କରାଯାଇଥିଲା । ତେବେ ଚଳିତ ୨୦୧୯-୨୦ କୃଷି ବର୍ଷରେ ସମୁଦାୟ କେନାଲ ଜଳସେଚିତ ଜମି ୪୫ହଜାର, ୩୭ ହେକ୍ଟର ମଧ୍ୟରୁ ମାତ୍ର ୨୩ହଜାର ୨୮୮ ହେକ୍ଟର ଜମିକୁ ଜଳସେଚିତ କରାଯିବ ବୋଲି ସୂଚନା ଦେଇଛନ୍ତି । ଏହା ସମୁଦାୟ କେନାଲ ଜଳ ସେଚନର ପ୍ରାୟ ୫୦ ଭାଗ ବୋଲି ସେ ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ ଜିଲ୍ଲାର ଜଳସେଚନ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିିବା ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଅଭିଯୋଗ କାରାଯାଇଛି । ଅଧିକାଂଶ ବିଲକୁ ପାଣି ମାଡୁନାହିଁ । ଅନ୍ୟପକ୍ଷରେ ଚାଷୀଠାରୁ ପ୍ରତିବର୍ଷ ଜଳକର ଆଦାୟ ହେଉଥିବାବେଳେ ଜଳସେଚିତ ଜମିର ପରିମାଣ କମିଚାଲିଛି । ରବିଋତୁରେ ମାତ୍ର ୫୦ଭାଗ ଜମିକୁ ପାଣି ମିଳିବାର ନିଷ୍ପତି ନିଆଯାଇଥିବାରୁ କେନ୍ଦ୍ରପଡା ପରି କୃଷି ପ୍ରଧାନ ଜିଲ୍ଲାରେ ଚାଷ ସଂକଟ ଦେଖାଦେଇଛି । ସେହିପରି କେନ୍ଦ୍ରାପଡା କେନାଲ, ମାର୍ଶାଘାଇ-ଜମ୍ବ ୁକେନାଲ ଏବଂ ପଟ୍ଟାମୁଣ୍ଡାଇ କେନାଲ ତଥା ବିଭିନ୍ନ ଶାଖା କେନାଲରୁ ଦଳ ଓ ଆବର୍ଜନା ଏପର୍ଯ୍ୟନ୍ତ ସଫା ହୋଇନଥିବା ବେଳେ ଚାଷୀ ବିଲରେ ପାଣି ପହଞ୍ଚିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking