ମଧ୍ୟାହ୍ନଭୋଜନ ପରେ ବିଦ୍ୟାର୍ଥୀଙ୍କୁ ଘରକୁ ପଠାଇ ସ୍କୁଲରେ ତାଲା : ଛାତ୍ରଛାତ୍ରୀଙ୍କ ଅଣ୍ଡାକୁ ଘରକୁ ନେଉଛନ୍ତି ଶିକ୍ଷକ!

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ଲକଟୀ ନୂତନ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଇଥିଲେ ସୁଦ୍ଧା ମଧ୍ୟାହ୍ନଭୋଜନ ପରେ ବିଦ୍ୟାଳୟରେ କୌଣସି ଛାତ୍ର୍ରଛାତ୍ରୀଙ୍କ ଦେଖାନଥିଲା । ଅପରାହ୍ନ ୩ଟା ସମୟରେ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସ୍କୁଲରେ ତାଲା ପକାଇଦେଇ ରୋଷେଇ ଘରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ଅଣ୍ଡା ବାହାର କରି ଘରକୁ ନେବାପାଇଁ ହାତରେ ଧରିଥିବା ଦେଖିବାକୁ ମିଳିଥିଲା । ୩ଟା ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ନାହାନ୍ତି ବୋଲି ପ୍ରଧାନଶିକ୍ଷକ ମଦନ ମୋହନ ମୁଦୁଲିଙ୍କୁ ପଚାରିବାରୁ ଆଜି ବିଦ୍ୟାଳୟରେ ୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆସିଥିଲେ । ବିଦ୍ୟାଳୟ କୋଠାରେ ରଙ୍ଗ ଦିଆଯାଉଛି, ଛାତ୍ରଛାତ୍ରୀମାନେ ତାହାକୁ ଧୁଆ ପୋଛା କରିଥିଲେ ବୋଲି ସେ ନିଜେ ସ୍ୱୀକାର କରି କିଛି ସମୟ ପୂର୍ବରୁ ସେ ସେମାନଙ୍କୁ ଘରକୁ ପଠାଇଦେଇଥିବା କଥା କହିଥିଲେ । ଏଥି ସହିତ ବିଦ୍ୟାଳୟରେ ନିଯୁକ୍ତ ହୋଇଥିବା ଅନ୍ୟ ଜଣେ ଶିକ୍ଷକ ପବିତ୍ର କାର୍ଜି କାହିଁକି ଅନୁପସ୍ଥିତ ଅଛନ୍ତି ବୋଲି ପଚାରିବାରୁ ପ୍ରଧାନଶିକ୍ଷକ ଜଣକ ଆଜି କିରିକୁଟୀ କ୍ଲଷ୍ଟର ସିଆରସିସି ଅନିରୁଦ୍ଧ ବାଗ ଆମ ସ୍କୁଲ ପରିଦର୍ଶନରେ ଆସିଥିଲେ, ସେହି ଶିକ୍ଷକ ଜଣକ ସିଆରସିସି ଯିବା ସମୟରେ ମଧ୍ୟ ଚାଲିଯାଇଥିବା କହିଥିେ । ଅନ୍ୟ ପକ୍ଷରେ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟକୁ ଆସିଥିବା ଅଣ୍ଡାକୁ ଆପଣ କାହିଁକି ନେଉଛନ୍ତି ବୋଲି ପଚାରିବାରୁ ସେ ପାଟି ଖୋଲିନଥିଲେ ।
ତେବେ ଏହା କେବଳ ଆଜିକାର ଘଟଣା ନୁହଁ, ୨ ଜଣ ଶିକ୍ଷକଙ୍କ ମଧ୍ୟରୁ ଦୁହେଁ ପାଳିକରି ବିଦ୍ୟାଳୟକୁ ଆସୁଥିବା ସହିତ ଶିକ୍ଷକମାନେ ଅନେକ ସମୟରେ ବିଳମ୍ବରେ ଆସି ୨ଟା ରୁ ୩ଟା ମଧ୍ୟରେ ବିଦ୍ୟାଳୟ ବନ୍ଦ କରି ଚାଲିଯାଉଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ୫୯ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏହି ଲକଟୀ ନୂତନ ପ୍ରାଥମିକ ବିଦ୍ୟାଳୟରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ସିଆରସିସି ଜଣକ ବିଦ୍ୟାଳୟର ଶିକ୍ଷକ ସହିତ ସଲାସୁତୁରା କରି ରିପୋର୍ଟ ପ୍ରସ୍ତୁତ କରିଦେଉଛନ୍ତି । ଯାହା ଫଳରେ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁନାହିଁ । ତେଣୁ ଏହି ବିଦ୍ୟାଳୟର ଶିକ୍ଷକମାନେ ପାଳି କରିଆସୁଥିବା ସହିତ ବିଭିନ୍ନ ସମୟରେ ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ବନ୍ଦ କରୁଥିବା ନଜରକୁ ଆସୁଛି ।