30.1 C
Bhubaneswar
Wednesday, May 1, 2024
Homeଓଡିଶାଚୂଡ଼ାନ୍ତ ପ୍ରାର୍ଥୀ ଘୋଷଣାରେ ବିଳମ୍ବ; ଟେନ୍‌ସନରେ ଟିକେଟ୍ ଆଶାୟୀ

ଚୂଡ଼ାନ୍ତ ପ୍ରାର୍ଥୀ ଘୋଷଣାରେ ବିଳମ୍ବ; ଟେନ୍‌ସନରେ ଟିକେଟ୍ ଆଶାୟୀ

ଭୁବନେଶ୍ୱର: ଦିନ ପରେ ଦିନ ଗଡ଼ୁଛି । ଭୋଟ୍ ତାରିଖ ପାଖେଇ ପାଖେଇ ଆସୁଛି । ନିର୍ବାଚନୀ ମୈଦାନ ଉଷ୍ଣ ସତ୍ତ୍ୱେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଉନାହିଁ । କେବଳ ଶାସକ ଦଳରେ ଏହି ସମସ୍ୟା ନାହିଁ, ପ୍ରତିଦ୍ୱନ୍ଦ୍ୱୀ ବିଜେପି ଓ କଂଗ୍ରେସରେ ବି ଅନୁରୂପ ସ୍ଥିତି । ଫଳରେ ଟିକେଟ୍ ପାଇବା ପାଇଁ ଚାତକ ପରି ଚାହିଁଥିବା ଆଶାୟୀ ନେତାମାନେ ଏବେ ଟେନ୍‌ସନରେ । ନା’ କିଛି ପ୍ରତିକ୍ରିୟା ପ୍ରକାଶ କରିପାରୁଛନ୍ତି, ନା’ ସ୍ଥିର ହୋଇ ଘରେ ବସିପାରୁଛନ୍ତି ।

 ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ପାଇଁ ଆଉ ମାତ୍ର ପାଞ୍ଚ ଦିନ ବାକି । ଅର୍ଥାତ ୧୮ ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ସେହିଦିନ ଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ ୨୪ ଥିବାବେଳେ ମେ’ ୧୩ରେ ଭୋଟ୍ ଗ୍ରହଣ ହେବ । ଉକ୍ତ ପର୍ଯ୍ୟାୟରେ ରାଜ୍ୟର ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଓଡ଼ିଶାରେ ମଇ ୩ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇ ମଇ ୨୦ରେ ଭୋଟ୍ ଗ୍ରହଣ କରାଯିବ । ଏହିଭଳି ତୃତୀୟ ପର୍ଯ୍ୟାୟରେ ମତଦାନ ମଇ ୨୫ ଓ ଚତୂର୍ଥ ପର୍ଯ୍ୟାୟରେ ମତଦାନ ଜୁନ୍ ୧ରେ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହେବ । ଅର୍ଥାତ ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଜୁନ୍ ୪ ମଙ୍ଗଳବାର ଭୋଟ୍ ଗଣତି ହେବ ।

 ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶରେ ଅହେତୁକ ବିଳମ୍ବ ହୋଇଛି । ପ୍ରାର୍ଥୀ ପତ୍ର ଦାଖଲକୁ ଆଉ ସମୟ ନଥିବାରୁ ସବୁ ଦଳରେ କସରତ୍ ଜୋର୍‌ସୋର୍‌ରେ ଚାଲିଛି । ବିଜେଡି ଓ ବିଜେପି ଠାରୁ କଂଗ୍ରେସ ପଛରେ ପଡ଼ିଯାଇଥିବା ଦେଖାଯାଉଛି । ତେବେ ବିଜୁ ଜନତା ଦଳ ପ୍ରଥମ ପର୍ଯ୍ୟାୟରେ ୭୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୭ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ତୃତୀୟ ପର୍ଯ୍ୟାୟରେ ଆଉ ୯ ପ୍ରାର୍ଥୀ ଓ ଚତୁର୍ଥ ପର୍ଯ୍ୟାୟରେ ଆଉ ୯ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ଏହାକୁ ମିଶାଇ ମୋଟ୍ ୧୧୭ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଏବେ ୩୦ ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି । ଏଥିପାଇଁ ଶାସକ ଦଳର ଶୀର୍ଷ ନେତା ଯେତେ ଅଙ୍କ କସିଲେ ବି ତାହା ଛିଣ୍ଡୁନାହିଁ । ତେବେ ସର୍ବମୋଟ୍ ୨୧ ଲୋକସଭାରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି । କିଛି ସ୍ଥାନରେ ବିବାଦ ସତ୍ତ୍ୱେ ପ୍ରଚାର ଆରମ୍ଭ ହୋଇଯାଇଛି ।

 ବିଜେପି ସେମିତି ପ୍ରଥମ ପର୍ଯ୍ୟାୟରେ ୧୪୭ ବିଧାନସଭା ଆସନ ମଧ୍ୟରୁ ୧୧୨ ଜଣଙ୍କ ନାମ ଘୋଷଣା କରିଛି । ବାକି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ । ଏନେଇ ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ତୁମ୍ବିତୋଫାନ କରି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୩୫ ଆସନରେ ପ୍ରାର୍ଥୀ ଦେବାକୁ ବାକି ରହିଛି । ଆସନ୍ତା ୨୦ ସୁଦ୍ଧା ଏସବୁ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ସେହିପରି କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାରେ ଆସି ପ୍ରଚାର କରିବା ନେଇ ମଧ୍ୟ ତିନି ଦିନ ଭିତରେ ନିଷ୍ପତ୍ତି ନିଆଯିବ । ଚୂଡ଼ାନ୍ତ ପ୍ରାର୍ଥୀ ଚୟନରେ ଯେତେ ବିଳମ୍ବ ହେଲେ ବି ୨୦୨୪ ନିର୍ବାଚନରେ ବିଜେପିି ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ କରିବ । ଲୋକେ ମନ ସ୍ଥିର କରିସାରିଛନ୍ତି । ତେଣୁ ବାକିଥିବା ବିଧାନସଭା ଆସନରେ ପ୍ରାର୍ଥୀ ଚୟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ୨୧ ଲୋକସଭା ଆସନରେ ଦଳ ପ୍ରାର୍ଥୀ ହେଇସାରିଛି ।

 ଅନ୍ୟପକ୍ଷରେ ସବୁଠାରୁ ବଡ଼ ସମସ୍ୟାରେ ପଡ଼ିଛି କଂଗ୍ରେସ । ଦଳର ଛାମୁଆଁ ନେତା ଟିକେଟ୍ ନନେଇ ଅନ୍ୟ ଦଳକୁ ଡେଉଁଥିବାବେଳେ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇପାରୁନାହିଁ । କଂଗ୍ରେସ ୮ ଲୋକସଭା ଓ ୪୯ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଯେଉଁଥିରେ ଅଛନ୍ତି ବହୁ ହେଭିୱେଟ୍ । କଂଗ୍ରେସ ପ୍ରଥମ ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୨୩ ଜଣ ଓ ପଞ୍ଚମ ପର୍ଯ୍ୟାୟର ନିର୍ବାଚନ ପାଇଁ ୨୯ ଜଣ ଅଛନ୍ତି । ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ଦଳ ଘୋଷଣାର ବହୁପରେ କଂଗ୍ରେସ ଏହି ତାଲିକା ସାର୍ବଜନୀନ କରିଛି । ଏଠାରେ ବି ବହୁ ଆଶାୟୀ ଟିକେଟ ନେବାକୁ ଚାହିଁଛନ୍ତି । ମାତ୍ର ସେମାନଙ୍କୁ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଯେଉଁ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି, ସେଠାରେ ଏହି ଦୂଇ ଦଳର ପ୍ରାର୍ଥୀ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ହେଲେ ବାକି ଆସନରେ ପ୍ରାର୍ଥୀ ଘୋଷଣାର ନାଁ ଗନ୍ଧ ନାହିଁ । ଫଳରେ ଯୁଦ୍ଧ ପୂର୍ବରୁ ଦଳ ହାତ ଟେକି ଦେଲା ଭଳି ଲାଗୁଛି ।

ନାମାଙ୍କନ ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ତାରିଖ ପାଖେଇ ଆସୁଥିବାରୁ ଶେଷ ମୂହୁର୍ତ୍ତରେ କାହାର ମୁଣ୍ଡ ଛେଦନ ହେବ ଓ କାହା ମୁଣ୍ଡରେ ସୁନା କଳସ ଢଳାଯିବ ତାହା ମଧ୍ୟ ଚର୍ଚ୍ଚାର ବିଷୟ । ତେଣୁ ଘୋଷିତ ଓ ଆଶାୟୀ ପ୍ରାର୍ଥୀଙ୍କ ମନରେ ଛନକା ପସିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking