25.1 C
Bhubaneswar
Thursday, May 9, 2024
Homeଅପରାଧମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଓ ଶ୍ୱଶୁର ଅଟକ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଓ ଶ୍ୱଶୁର ଅଟକ

ଖୋର୍ଦ୍ଧା : ଆଦର୍ଶ ଥାନା ଅନ୍ତର୍ଗତ ପଲ୍ଲା କୋଣାର୍କନଗର ଅଞ୍ଚଳରେ ଜଣେ ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ସନ୍ତୋଷ ବେହେରାଙ୍କ ପତ୍ନୀ ତିଳୋତମା ବେହେରା(୨୯) । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ଅଭିଯୋଗକୁ ଭିତ୍ତିକରି ସ୍ୱାମୀ ସନ୍ତୋଷ ଓ ଶ୍ୱଶୁର ଶରତ ବେହେରାଙ୍କୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ମୁତାବକ ଚନ୍ଦକା ଥାନା କୁଜିମହୁଲ ଗ୍ରାମର ସୁନାକର ବେହେରାଙ୍କ ବଡ଼ଝିଅ ତିଳୋତମାଙ୍କର ପଲ୍ଲା କୋଣାର୍କନଗରର ଶରତ ବେହେରାଙ୍କ ପୁଅ ସନ୍ତୋଷଙ୍କ ସହିତ ୨୦୧୬ ମସିହା ଜୁଲାଇ ୧୧ରେ ବୈଦିକ ରିତୀରେ ବିବାହ ହୋଇଥିଲା ।

ବରପକ୍ଷ ଦାବି ମୁତାବକ ନଗଦ ୫୫ ହଜାର ଟଙ୍କା ଯୌତୁକ ସମେତ ୬ ଲକ୍ଷ ଟଙ୍କାର ଆସବାବପତ୍ର ଦିଆଯାଇଥିବା ତିଳୋତମାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ବିବାହର ୫ବର୍ଷ ଅତିକ୍ରମ କରିଥିଲେ ମଧ୍ୟ କୌଣସି ସନ୍ତାନସନ୍ତତି ନଥିବାରୁ ତିଳୋତମାଙ୍କ ଶାଶୂଘରେ ଅସନ୍ତୋଷ ଲାଗି ରହିଥିଲା । ଏପରିକି ଦୀର୍ଘ ୪ବର୍ଷ ହେବ ତିଳୋତମାଙ୍କୁ ସ୍ୱାମୀ ସନ୍ତୋଷ, ଶ୍ୱଶୁର ଶରତ, ଶାଶୂ ମଞ୍ଜୁଲତା ଓ ଦିଅର ପ୍ରକାଶ ବେହେରା ବାପଘରୁ ଅଧିକ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ । ଏଥିରେ ତିଳୋତମା ଅସମର୍ଥ ପ୍ରକାଶ କରିବାରୁ ତାକୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି ତାଙ୍କ ଭାଇ ସୋମନାଥ ବେହେରା ଅଭିଯୋଗ କରିଛନ୍ତି ।

ଗତ ଏପ୍ରିଲ ୨୨ରେ ଜୀବନ ପ୍ରତି ବିପଦ ଥିବା ତିଳୋତମା ଫୋନ୍‌ରେ ବାପଘର ପରିବାର ଲୋକଙ୍କୁ ଜଣାଇଥିଲେ । ଏହାଶୁଣି ଭାଇ ଆସିଥିଲେ ମଧ୍ୟ ଶ୍ୱଶୁରଘର ଲୋକେ ତାଙ୍କୁ ଭାଇ ସହ ଦେଖାକରାଇ ଦେଇନଥିଲେ । ଏପରିକି ୧୦ଦିନ ପୂର୍ବରୁ ପୁଣି ଜୀବନ ପ୍ରତି ବିପଦଥିବା ତିଳୋତମା ପରିବାର ଲୋକଙ୍କୁ କହିଥିଲେ । ମାତ୍ର କରୋନା କଟକଣା ଯୋଗୁଁ ପରିବାର ଲୋକ ଆସିପାରିନଥିଲେ । ତେବେ ଗତକାଲି ରାତି ସାଢେ ୧୦ଟାରେ ତୁରନ୍ତ ଆସି ନେଇଯିବାକୁ ତିଳୋତମା ଭାଇଙ୍କୁ ଫୋନ୍‌କରି ଜଣାଇଥିଲେ । ମାତ୍ର ତିଳୋତମାଙ୍କ ମାଆ ତାଙ୍କୁ ଆଶ୍ୱାସନା ଦେଇ ବୁଝାଇଥିଲେ । କିନ୍ତୁ ରାତି ସାଢ଼େ ୨ଟାରେ ତିଳୋତମା ଗାଧୁଆ ଘରେ ପଡ଼ିଯାଇଛି, ଆମେ ତାକୁ ମେଡିକାଲ ନେଇଯାଉଛୁ ବୋଲି ଶାଶୂ ଫୋନ୍‌କରି ଭାଇ ସୋମନାଥଙ୍କୁ କହିଥିଲେ ଏବଂ ଏହାର କିଛି ସମୟ ପରେ ସେ ମୃତ୍ୟୁ ହୋଇଥିବା କହିଥିଲେ ।

ଯାହା ତିଳୋତମାଙ୍କ ପରିବାର ଲୋକେ ବିଶ୍ୱାସ କରିପାରିନଥିଲେ । ପରେ ତିଳୋତମାଙ୍କୁ ତାଙ୍କ ସ୍ୱାମୀ, ଶାଶୂ, ଶ୍ୱଶୁର ଓ ଦିଅର ମିଶି ଅଧିକ ଯୌତୁକ ପାଇଁ ହତ୍ୟା କରିଛନ୍ତି ବୋଲି ସୋମନାଥ ଥାନାରେ ଅଭିଯୋଗ କରିଛନ୍ତି । ସାଇଣ୍ଟିଫିକ ଟିମ୍ ଜରିଆରେ ଘଟଣାର ତଦନ୍ତ କରାଇବା ସହିତ ପୁଲିସ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟହେବ ବୋଲି ଏସ୍‌ଡିପିଓ ସୁସିଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking