38.1 C
Bhubaneswar
Friday, April 26, 2024
Homeଓଡିଶାବାତ୍ୟା ‘ୟାସ୍‌’ ପାରାଦ୍ୱୀପ ଠାରୁ ୧୭୫ କି.ମି ଦୂରରେ ଦକ୍ଷିଣ ଓ ଦକ୍ଷିଣ ପୂର୍ବରେ ରହିଛି

ବାତ୍ୟା ‘ୟାସ୍‌’ ପାରାଦ୍ୱୀପ ଠାରୁ ୧୭୫ କି.ମି ଦୂରରେ ଦକ୍ଷିଣ ଓ ଦକ୍ଷିଣ ପୂର୍ବରେ ରହିଛି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ୟାସ’ ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ’ ଆହ୍ୱାନକୁ ସାକାର କରିବା ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଭାଗ ୱାରି ପ୍ରସ୍ତୁତି, ବିପଦ ସଂକୁଳିତ ଜନସାଧାରଣଙ୍କୁ ସୁରକ୍ଷିତ କୋଠା ଗୃହ ଓ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ଓ ଭାରତୀୟ ପାଣିପାଗ ସଂସ୍ଥାର ଆକଳନ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ

କରାଇଥିଲେ । ବାତ୍ୟା ‘ୟାସ୍‌’ ପାରାଦ୍ୱୀପ ଠାରୁ ୧୭୫ କି.ମି ଦୂରରେ ଦକ୍ଷିଣ ଓ ଦକ୍ଷିଣ ପୂର୍ବରେ ରହିଛି । ଏହା ଧୀରେ ଧୀରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଗତିକରୁଛି । ଭାରତୀୟ ପାଣିପାଗ ସଂସ୍ଥା ସୂଚନା ମୁତାବକ ୨୬ ତାରିଖ ପୂର୍ବାହ୍ନରେ ବାସୁଦେବପୁର, ବାହାନଗା ମଧ୍ୟରେ ସ୍ଥଳଭାଗ ଛୁଇଁବାର ଅନୁମାନ କରାଯାଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି । ଏହା କ୍ରମଶଃ ବାଲେଶ୍ୱର, ମୟୁରଭଞ୍ଜ ମଧ୍ୟ ଓଡ଼ିଶା ଅତିକ୍ରମ କରିବାର ଆକଳନ କରାଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୫୦-୧୬୫ କି.ମି. ରହିବ ବୋଲି ଆକଳନ କରାଯାଉଛି । ଏହିଭଳି

ପରିସ୍ଥିତି ପ୍ରତି ରାଜ୍ୟ ସରକାର ସଂପୂର୍ଣ୍ଣ ସଜାଗ ରହିଛନ୍ତି ଏବଂ ତଦାନୁଯାୟୀ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ୫ଜଣ ସଚିବ ଓ ୫ ଜଣ ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲାରେ ସ୍ଥାନାନ୍ତରଣ, ଉଦ୍ଧାର, ପ୍ରସ୍ତୁତି ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଏମାନେ ଜିଲ୍ଲାର ବିଭିନ୍ନ ସଂସ୍ଥା, ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଆଗୁଆ ପଦକ୍ଷେପ ଗ୍ରହଣ କରିବେ ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବେ । ଆଜି ସନ୍ଧ୍ୟା ପରଠାରୁ ପବନର ବେଗ ତୀବ୍ର ହେବ, ରାତି ସୁଦ୍ଧା ସମସ୍ତ ବିପଦସଂକୁଳ ଅଞ୍ଚଳରେ ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ଶେଷ କରିବାକୁ କୁହାଯାଇଛି । ଏଥିନିମନ୍ତେ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ପକ୍କା ଗୃହକୁ ମିଶାଇ ୬୮୯୧ଟି ଆଶ୍ରୟସ୍ଥଳ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି । ଅତି ଉଚ୍ଚ ଜୁଆର ଆସିବାର ସମ୍ଭାବନା ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତ୍‌?ସିଂହପୁର ଜିଲ୍ଲାର ତଳୁଆ ଅଞ୍ଚଳଗୁଡିକରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ୫୫୨୩ ଆଶ୍ରୟସ୍ଥଳୀକୁ ଏବେ ସୁଦ୍ଧା ପାଖାପାଖି ୨.୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ଓ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପୋଲିସ, ସ୍ଥାନୀୟ ପଞ୍ଚାୟତିରାଜ ପ୍ରତିନିଧି, ସ୍ୱେଚ୍ଛାସେବୀ, ଆପଦାମିତ୍ର, ସିଭିଲ ସୋସାଇଟର ସଦସ୍ୟ ଇତ୍ୟାଦିଙ୍କ ସହଯୋଗରେ କାର୍ଯ୍ୟ ଚାଲୁରହିଛି । ଆଶୟସ୍ଥଳୀଗୁଡିକରେ ମାସ୍କ ବଣ୍ଟନ, ଖାଦ୍ୟ, ପାନୀୟଜଳ, ସାବୁନ, ସାନିଟାଇଜର ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ଘରେ ପାନୀୟ ଜଳ ଗଚ୍ଛିତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବିଭିନ୍ନ ପଞ୍ଚାୟତ ଗୃହ, ଅଙ୍ଗନୱାଡି ଗୃହ ଖୋଲା ରଖିବାକୁ ମଧ୍ୟ କୁହାଯାଇଛି ଯାହା ଫଳରେ କୌଣସି ବ୍ୟକ୍ତିବିଶେଷ ଶେଷ ମୁହୂର୍ତ୍ତରେ ଆଶ୍ରୟ ନେଇପାରିବେ । କୋଭିଡ ମହାମାରୀର ଭୟାଭୟତାକୁ ଦୃଷ୍ଟିରେ ରଖି କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । କୋଭିଡ୍ ହସ୍ପିଟାଲ ଗୁଡିକରେ ପାନୀୟଜଳ, ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା କରାଯିବା ସହ ଔଷଧ,

ଅକ୍ସିଜେନ ଇତ୍ୟାଦି ମହଜୁଦ ରଖାଯାଇଛି । କୋଭିଡ ହସ୍ପିଟାଲରେ ଚିକିତ୍ସା ପ୍ରଦାନ କରୁଥିବା ଡାକ୍ତରୀ ଦଳଙ୍କର ରହିବା ବ୍ୟବସ୍ଥା ମଧ୍ୟ କରାଯାଇଛି । ପୂର୍ତ୍ତ ବିଭାଗ ଦ୍ୱାରା କୋଭିଡ ହସ୍ପିଟାଲଗୁଡିକରେ ଆବଶ୍ୟକ ଥିବା ଛୋଟ ଛୋଟ ମରାମତି କାର୍ଯ୍ୟ ମଧ୍ୟ କରାଯାଇଛି । ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ଜଳସଂପଦ ବିଭାଗ ତରଫରୁ କୁଶଳୀ ଯନ୍ତ୍ରୀମାନଙ୍କୁ ନେଇ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍‌ରେ ଜେସିବି, ଟ୍ରାକ୍ଟର, ଏକ୍ସାଭେଟର, ଜେନେରେଟର, ଇନ୍ଧନ, ପାୱାର ସ, ଗ୍ୟାସ କଟର ଇତ୍ୟାଦି ସାଜ ସରଞ୍ଜାମ ଏବଂ ଆବଶ୍ୟକୀୟ କୁଶଳୀ, ଅଣକୁଶଳୀ ଶ୍ରମିକ ପ୍ରସ୍ତୁତ କରି ରଖାଯାଇଛି । ତ୍ୱରିତ ପୁନରୁଦ୍ଧାର କାର୍ଯ୍ୟ ୩୦୦ ଆସ୍କା ଲାଇଟ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ପଠାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର

ସୂଚନା ଦେଇଛନ୍ତି । ଏମାନେ ଜିଲ୍ଲାପ୍ରଶାସନକୁ ରାସ୍ତାରେ ପଡିଥିବା ଗଛକାଟି ସଫା କରିବା ପାଇଁ, ବିଦ୍ୟୁତ ମରାମତି, ଟେଲିକମ୍ ପୁନରୁଦ୍ଧାର ଆଦି ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରିବେ । ଶକ୍ତିବିଭାଗ ତରଫରୁ ତ୍ୱରିତ ରେସପନ୍ସ ଦଳ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଛନ୍ତି । ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ତରଫରୁ ୭୧୦ ଜେନେରେଟର, ୮୧୩ ଟ୍ୟାଙ୍କର, ପିଭିସି ଟାଙ୍କି ୧୭୮୬ ଓ ଗାଡି ପ୍ରସ୍ତୁତ କରି ରଖାଯାଇଛି । ଶକ୍ତି ବିଭାଗ ପକ୍ଷରୁ ୧୧୨୫ ଟି ଟ୍ରାନ୍ସଫରମର, ୧୬୦ ଜେନେରେଟର, ୫୦୦ ଯାନ ପ୍ରସ୍ତୁତ କରି ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡାକ୍ତର ଓ

ପାରାମେଡିକାଲ କର୍ମଚାରୀମାନଙ୍କୁ ନେଇ ୩୦୮ ଟି ଚିକିତ୍ସା ଦଳ, ୬୩୫ ଟି ଚିକିତ୍ସା ସହାୟକ କେନ୍ଦ୍ର ଓ ୨୧୫ ଟି ଜେନେରେଟର ସହ ଔଷଧ, ଓଆରଏସ୍‌?, ଆନ୍ୟନ୍ୟ ଆନୁଷଙ୍ଗିକ ଇଂଜେକ୍ସନ, ମାସ୍କ, ସାବୁନ, ସାନିଟାଇଜର, ପିପିଇ କିଟ୍‌, ବ୍ଲିଂଚି ପାଉଡର ଆଦି ପ୍ରସ୍ତୁତ କରି ରଖାଯାଇଛି । ଏବେସୁଦ୍ଧା ୪୫୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ମଧ୍ୟରୁ ପ୍ରାୟ ୧୦୦୦ଙ୍କୁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଏଠାରେ ଉଲ୍ଳେଖଯୋଗ୍ୟ ଯେ, ବାତ୍ୟା ‘ୟାସ୍‌’ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବୃଷ୍ଟିପାତ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରପଡା, ଖୋର୍ଦ୍ଧା ଓ ମୟୁରଭଞ୍ଜ ଜିଲ୍ଲାର ୩୦ ଗୋଟି ବ୍ଲକରେ ୫୦ ମି.ମି. ରୁ ଅଧିକ ବୃଷ୍ଟିପାତ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲି, କୁଜଙ୍ଗ, ରାଜନଗର, କେନ୍ଦ୍ରାପଡା ଓ ଅସ୍ତରଙ୍ଗ ବ୍ଲକରେ ୧୦୦ ମି.ମି. ରୁ ଅଧିକ ବୃଷ୍ଟିପାତ ହୋଇଛି ।

ଏବେ ସୁଦ୍ଧା ୫୨ ଟି ଏନ୍‌?.ଡି.ଆ?ର୍.ଏଫ୍ ଟିମ୍ ଏବଂ ୬୦ ରୁ ଉର୍ଦ୍ଧ୍ୱ ଓଡ୍ରାଫ୍ ଟିମ୍ ଓ ୨୦୬ ଟି ଅଗ୍ନିଶମ ବାହିନୀ, ବନ ବିଭାଗ ପକ୍ଷରୁ ୮୬ଟି ଗଛ କଟାଳୀ ଟିମ୍ ଜିଲ୍ଲାଗୁଡିକ ପାଇଁ ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରୁ ୮ ଟିମ୍ ଜରୁରୀପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ବାତ୍ୟା ସମୟରେ ଯୁବବର୍ଗ ବାହାରେ ବୁଲିବା ଓ ସେଲ୍‌ଫି ନେଇ ଫଟୋ ଉଠାଇବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି । ଶେଷରେ ବାତ୍ୟାର ସଫଳ ମୁକାବିଲା ପାଇଁ ସରକାର ସଜାଗ ରହିଛନ୍ତି ଏବଂ ଜନସାଧାରଣଙ୍କ ସହଯୋଗ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking