38.1 C
Bhubaneswar
Friday, April 26, 2024
Homeଓଡିଶାପରିବା ଚାଷକୁ କରୋନା ମାଡ଼, ଲକ୍‌ଡାଉନ୍ ଛଡ଼ାଇନେଇଛି ବ୍ୟବସାୟ

ପରିବା ଚାଷକୁ କରୋନା ମାଡ଼, ଲକ୍‌ଡାଉନ୍ ଛଡ଼ାଇନେଇଛି ବ୍ୟବସାୟ

ଦେଓଗାଁ : ଗାଁ ଅଛି ରାସ୍ତା ନାହିଁ । ହେଲେ ଚାଷ କାମ ପାଇଁ ଗାଁର ନାଁ ବେଶ ପରିଚିତ । ତାଜା ପନିପରିବା କେଉଁଠି ମିଳେ ବୋଲି ପ୍ରଶ୍ନ କଲେ କୁହିମୁଣ୍ଡ ଗାଁକୁ ବୁଝାଇଥାଏ । ହେଲେ ଏହି ଲକ୍‌ଡାଉନ୍ ଯୋଗୁଁ ଭାଙ୍ଗିପଡ଼ିଛି ଚାଷୀଙ୍କ ଆର୍ôଥକ ସ୍ଥିତି ଓ ଉଜୁଡ଼ିଯାଇଛି ତାଙ୍କ ପନିପରିବା ଚାଷ ।
କରୋନା କଟକଣା ଓ ସରକାରଙ୍କ ଲକ୍‌ଡାଉନ୍ ଘୋଷଣା ପରେ ଦେଓଗାଁ ବ୍ଲକର ପରିବା ଚାଷୀଙ୍କ ଉପରେ କରୋନା ମାଡ଼ ହୋଇଛି । ରାସ୍ତାଘାଟ ବନ୍ଦ ଓ ବଲାଙ୍ଗିରର ଦୈନିକ ବଜାର ବନ୍ଦ ଯୋଗୁଁ ଗଛରେ ଫଳିଥିବା ପରିବା ଗଛରେ ହିଁ ରହିଯାଉଥିବା ଦେଖିବାକୁ ମିଳିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର କୁହିମୁଣ୍ଡା ଗାଁରେ । ଗାଁର ମୋଟ ପରିବାର ସଂଖ୍ୟା ୩୫ । କାହିଁ କେତେ କାଳରୁ ଚାଷ କରି ଆସୁଛନ୍ତି ଗ୍ରାମବାସୀ । ଚାଷ କରିବାରେ ସରକାରୀ ସହାୟତା କିଛି ନାହିଁ । ତଥାପି ପ୍ରତି ବର୍ଷ ଶହ ଶହ କ୍ୱିଣ୍ଟାଲ ପନିପରିବା କେବଳ ଦେଓଗାଁ ବ୍ଲକ କି ବଲାଙ୍ଗୀର ଜିଲ୍ଲାକୁ ନୁହେଁ ଜିଲ୍ଲା ବାହାରକୁ ମଧ୍ୟ ରପ୍ତାନୀ କରିଥାନ୍ତି । ଚଳିତ ବର୍ଷ ୩୫ ପରିବାରର ଚାଷୀ ମରିଚ, ବାଇଗଣ, କୋବି, ଗୁଆଁର, ଭେଣ୍ଡି, କଲରା, ଟମାଟୋ ସହ ମିଠା ମକା କରିଥିଲେ । କରୋନାର ପ୍ରଥମ ଲହରୀ ଚଳିତ ବର୍ଷର ଆରମ୍ଭରେ କିଛି ପରିମାଣରେ ସୁଧୁରିଥିବାରୁ ଅନ୍ୟ ବର୍ଷ ପରି ଚାଷୀ କାମ ଆରମ୍ଭ କରିଥିଲା । ଅନ୍ୟ ପନିପରିବା ଅପେକ୍ଷା ଟମାଟୋ, ବାଇଗଣ ଚାଷରେ କରୋନା ମାଡ଼ ସେତିକି ପରିମାଣ ପଡ଼ି ନ ଥିଲା । ହେଲେ ଗୁଆରସେମୀ, ମରିଚ, କୁନ୍ଦୁରି ଓ କଲରା ଚାଷର ଠିକ୍ ଉତ୍ପାଦନ ସମୟରେ କରୋନା କଟକଣା ଯୋଗୁଁ ବାଡ଼ିରେ ଥାଇ ନଷ୍ଟ ହୋଇଛି । ଚାଷୀ ହନୁ ସାହୁ ମିଠା ମକା ଉପରେ କହିଛନ୍ତି ଯେ, ବଲାଙ୍ଗିର ଦୈନିକ ବଜାର ଉପରେ ମିଠା ମକା ବିକ୍ରୟ ନିର୍ଭର କରିଥାଏ । ଦେଓଗାଁ ବ୍ଲକର ଗାଁ ଗହଳିରେ ମିଠା ମକାର ଚାହିଦା ବହୁତ କମ୍ । ମିଠା ମକା ଉତ୍ପାଦନ ପାଇଁ ସାଧା ମକାଠାରୁ ଅଧିକ ଖର୍ଚ୍ଚ ହୋଇଥାଏ । ସାଧା ମକା ମଞ୍ଜିର ମୂଲ୍ୟ କେଜି ପ୍ରତି ୨ଶହ ଟଙ୍କା ଥିବା ବେଳେ ମିଠା ମକା ମଞ୍ଜିର ମୂଲ୍ୟ ୩ ହଜାରରୁ ଅଧିକ । ସେହିପରି ଗୁଆରସେମୀ ଚାଷ ଜାନୁୟାରୀ ପ୍ରଥମ ସପ୍ତାହରେ ଆରମ୍ଭ କରାଯାଇଥିଲା । ଫେବୃୟାରୀ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଉତ୍ପାଦନ ହେଉଥିବାରୁ ଠିକ୍ ଏହି ସମୟରେ କରୋନା କଟକଣା ଆରମ୍ଭ ହୋଇଥିଲା । ଫଳରେ ଚାଷ ଉପରେ ମାଡ଼ ପଡ଼ିଛି ବୋଲି ସେ କହିଛନ୍ତି । ଏହି ଚାଷ କରିବା ପାଇଁ ପ୍ରତି ୨୦ ଡେସିମିଲିରେ ୩୦ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ଆୟ୍ୱିଳେ ପ୍ରାୟ ୧ଲକ୍ଷ ଟଙ୍କା । କରୋନା କଟକଣା ଯୋଗୁଁ ଲକ୍‌ଡାଉନ୍ ପରିସ୍ଥିତି ଉପୁଜିଛି । ତେଣୁ ବଜାରକୁ ଯାଇ ପାରୁ ନାହିଁ ପନିପରିବା । ଗଛରେ ଥାଇ ବୁଢ଼ା ହୋଇଯାଉଥିବାରୁ ସମ୍ପୂର୍ଣ୍ଣ କ୍ଷତିରେ ରହୁଥିବା କହିଛନ୍ତି କୁହିମୁଣ୍ଡା ଗାଁର ଚାଷୀମାନେ । ଅନ୍ୟ ପକ୍ଷରେ ଉପରଝର କୃଷି ପ୍ରାଥମିକ ସମବାୟ ସମିତିରେ ଅବ୍ୟବସ୍ଥା ଯୋଗୁଁ ରବି ଚାଷ ଉପରେ ସହାୟତା ପାଉନାହାନ୍ତି । ଗୁଆରସେମୀ ଚାଷ କରିବାକୁ ହେଲେ ପାଣି ପାଇଁ କିରୋସିନି ପମ୍ପର ସହାୟତା ନେବାକୁ ପଡ଼ୁଥିବାରୁ ଆହୁରି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ଯଦି କୁହିମୁଣ୍ଡାର ତଳିମୁଣ୍ଡ ନୂଆଁପାଲି ସୀମାରେ ଥିବା କେଉଁଟିଜୋରରେ ଏକ ଚେକ୍‌ଡ୍ୟାମ୍ ତିଆରି କଲେ କେବଳ ବଲାଙ୍ଗିର ଜିଲ୍ଲା ନୁହେଁ ବାହାର ଜିଲ୍ଲାକୁ ପନିପରିବା ପଠାଇ ଚାଷୀ ଅଧିକ ରୋଜଗାରକ୍ଷମ ହୋଇପାରନ୍ତେ ।
କୁହିମଳଣ୍ଡା ହେଉଛି ଏକ ଆତ୍ମନିର୍ଭରଶୀଳ ଗାଁ । ଏଠାରେ ମହିଳାପୁରୁଷ ସମସ୍ତେ ମିଶି ଭିନ୍ନ ଭିନ୍ନ ଢ଼ଙ୍ଗରେ କରିଥାନ୍ତ ଚାଷ । ସେଥିପାଇଁ ଗାଁର ପ୍ରତ୍ୟେକ ଘରେ ଗୋଟେ ଗୋଟେ କୂଅଁ ରହିବା ସହ ୩୫ ପରିବାର ପାଖରେ ୬୦ଟି କୂଅ ରହିଛି । ସେସବୁ ପୁଣି ବେସରକାରୀ । ନରେଗା ଯୋଜନାରେ ସରକାର ଦେଉଥିବା ଟଙ୍କାରେ କୂଅ ନ ଖୋଲି ଧାନ ଓ ପରିବା ବିକ୍ରି ପଇସାରେ କୂଅ ଖୋଲି ଚାଷ କରୁଛୁ ବୋଲି କୁହିମୁଣ୍ଡା ଗାଁର ଶମ୍ଭୁ ପ୍ରଧାନ ପ୍ରକାଶ କରିଛନ୍ତି ।
ଜୀବନ ଜୀବିକାକୁ ଆପଣାଇ ନେଇ ହାଣ୍ଡି ଶାଳ ଛାଡ଼ି ଚାଷ କାମରେ ନିୟୋଜିତ ହେଉଛନ୍ତି ମହିଳାମାନେ । ନିଜେ ଦୁଇ ପଇସା ରୋଜଗାର କରି ଆର୍ôଥକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଗଠନ କରିଛନ୍ତି ସ୍ୱୟଂ ସହାୟକ ଦଳ । ଜୀବନଜୀବିକା ଓ ମିଶନ ଶକ୍ତି ପକ୍ଷରୁ ଗାଁରେ ଥିବା ରଣଘଣ୍ଟା, କାଳୀ, କୁଶଳେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରାୟ ୩୫ ଏକର ଜମିରେ ବୁରୋକୋଲି, ବାଇଗଣ, ଲଙ୍କା, ଟମାଟୋ, କଲରା, ଫୁଲକୋବି ଚାଷ କରିବା ସହ ପୋଖରୀରେ ଖରାମାସରେ ଗେଣ୍ଡୁ ଫୁଲ ଓ ମାଛ ଚାଷ କରି ବେଶ ଲାଭବାନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking