29.4 C
Bhubaneswar
Saturday, May 4, 2024
Homeଓଡିଶାଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ୨୦୨୪ ସଂସଦୀୟ ନିର୍ବାଚନ ଏବଂ ଓଡ଼ିଶାର ବିଧାନସଭା ନିର୍ବାଚନ ଏକାସଙ୍ଗରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅନୁଷ୍ଠିତ ହେଉଛି । ଏହା ଭାରତର ସମ୍ବିଧାନ ଓ ଗଣତନ୍ତ୍ରର ଭବିଷ୍ୟତ ନିର୍ଣ୍ଣୟ କରିବ । ଏହି ସଂସଦୀୟ ନିର୍ବାଚନରେ ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ ଏକଚ୍ଛତ୍ରବାଦୀ ବିଜେପି ଓ ଏହାର ସହଯୋଗୀ ଏନଡିଏକୁ ପରାଜିତ କରିବା ସହ ଦେଶରେ ଏକ ବାମ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ସରକାର ଗଠନ ପାଇଁ ସଂସଦ ଓ ବିଧାନସଭାରେ ସିପିଆଇର ପ୍ରତିନିଧିତ୍ୱ ବୃଦ୍ଧି କରିବା ଓ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ବିଜେଡି-ବିଜେପିର ଗୁପ୍ତ ମେଣ୍ଟ ସରକାରକୁ ପରାସ୍ତ କରି ଲୋକାଭିମୁଖୀ ସରକାର ଗଠନ ପାଇଁ ସିପିଆଇ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦୃପ୍ତ ଆହ୍ୱାନ ଦିଆଯାଇଛି ।

ଦୁର୍ନୀତି, ଭ୍ରଷ୍ଟାଚାର, ବିଲୋପ, ବିଦେଶରେ ଗଚ୍ଛିତ ଭାରତୀୟ କଳାଧନ ଫେରାଇ ଆଣି ପ୍ରତ୍ୟେକ ଭାରତୀୟଙ୍କ ଜମାଖାତାକୁ ୧୫ ଲକ୍ଷ ଲେଖାଏଁ ଟଙ୍କା ଦେବା, ବାର୍ଷିକ ୨ କୋଟି କର୍ମ ନିଯୁକ୍ତି, ନାରୀ ନିର୍ଯାତନା ବନ୍ଦ କରିବା, କୃଷକଙ୍କ ଆୟ ଦୁଇଗୁଣ କରିବା, ଦରବୃଦ୍ଧି ବନ୍ଦ କରିବା, ଭାରତକୁ ବିଶ୍ୱରେ ସର୍ବବୃହତ୍ ଶକ୍ତି, ସର୍ବ ବୃହତ୍ ଅର୍ଥନୀତି ଓ ବିଶ୍ୱଗୁରୁ କରାଇବା ସହ ସବ୍‌କା ସାଥ୍‌- ସବ୍‌କା ବିକାଶର ସ୍ଲୋଗାନ ଦେଇ ମୋଦି ନେତୃତ୍ୱାଧୀନ ବିଜେପି ଏନ୍‌ଡିଏ ସରକାର କ୍ଷମତାସୀନ ହେଲା । ମାତ୍ର କ୍ଷମତାସୀନ ହେବା ପରେ ଭ୍ରଷ୍ଟାଚାର ବିଲୋପ ପରିବର୍ତ୍ତେ ଦେଶର ଯେଉଁ ପ୍ରମୁଖ ଭ୍ରଷ୍ଟାଚାରୀଙ୍କ ବିରୋଧରେ ବିଜେପି ବାରମ୍ବାର ଅଭିଯୋଗ କରୁଥିଲା ସେ ସମସ୍ତ ଭ୍ରଷ୍ଟାଚାରୀଙ୍କୁ ବିଜେପିରେ ଯୋଗଦାନ କରାଇ ଭ୍ରଷ୍ଟାଚାରୀଙ୍କ ନିର୍ଭୟ ସ୍ଥାନରେ ପରିଣତ ହୋଇଛି ବିଜେପି । ବିଦେଶରୁ କଳାଧନ ଉଦ୍ଧାର ପରିବର୍ତ୍ତେ ବିଜେପିର ସହଯୋଗୀ ବିଜୟ ମାଲ୍ୟା, ମେହୁଲ ଚୋକ୍‌ସୀଠାରୁ ନିରବ ମୋଦି, ଲଳିତ ମୋଦିଙ୍କ ସମେତ ଅନେକ ଲୁଟେରା ଦେଶର ବିଭିନ୍ନ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ନେଇ ବିଦେଶକୁ ପଳାୟନରେ ମୋଦି ସରକାର ସହାୟତା ଦେଇ ବ୍ୟାଙ୍କଗୁଡ଼ିକୁ ଦେବାଳିଆ କରିଛନ୍ତି । ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ସତ୍ତ୍ୱେ ଏହାର ଦରବୃଦ୍ଧି, ଚୁଡ଼ା, ମୁଢ଼ି, ଖାଦ୍ୟ, ପାଠ୍ୟୋପକରଣ ସାମଗ୍ରୀ ଉପରେ ଟିକସ ବୃଦ୍ଧି କରି ଦେଶର ଜନଗଣଙ୍କୁ ଲୁଣ୍ଠନ କରିବା ସହ ଜନଗଣଙ୍କ ଜୀବନ ଧାରଣକୁ ଦୁର୍ବିଷହ କରାଇଛନ୍ତି ।

କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପରିବର୍ତ୍ତେ ଶିଳ୍ପପତିଙ୍କୁ ଲାଭ ଦେବା ପାଇଁ କୃଷକ ବିରୋଧୀ ୩ଟି କଳା କୃଷି ଆଇନ ପ୍ରଣୟନ କରିବା, ଦିଲ୍ଲୀ ସୀମାରେ କୃଷକ ସମାଜର ବର୍ଷାଧିକ କାଳ ଆନ୍ଦୋଳନ ପରେ ୩ଟି ଆଇନ ପ୍ରତ୍ୟାହାର କରିଥିଲେ ବି ସଂସଦରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଏ ପର୍ଯ୍ୟନ୍ତ ସର୍ବନିମ୍ନ ସହାୟକ ମୂଲ୍ୟ ନିଶ୍ଚିତ କରିବାକୁ ଆଇନ ପ୍ରଣୟନ ନ କରି ଲକ୍ଷ ଲକ୍ଷ କୃଷକଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଇଛନ୍ତି । ଶ୍ରମିକ ଶ୍ରେଣୀ ପାଇଁ ଥିବା ୪୪ଟି ଶ୍ରମ ଆଇନକୁ ଖାରଜ କରି କର୍ପୋରେଟ ସ୍ୱାର୍ଥରେ ୪ଟି ଶ୍ରମ କୋଡ୍ କରାଇ ଶ୍ରମିକ ଶ୍ରେଣୀକୁ କ୍ରୀତଦାସ କରାଇବାର ହୀନ ପ୍ରୟାସ କରାଯାଇଛି । ମହିଳା ନିର୍ଯାତନା ବନ୍ଦ କରିବା ପରିବର୍ତ୍ତେ ବିଜେପିର ମନ୍ତ୍ରୀ, ସାଂସଦ, ବିଧାୟକ, ଉନ୍ନାଓ, ହାଥରସ, ମଣିପୁର ପରେ ମହିଳା କ୍ରୀଡ଼ାବିତ୍‌ଙ୍କ ପ୍ରତି ବିଜେପିର ସଂଗଠିତ ନିର୍ଯାତନା ବିଶ୍ୱ ଦରବାରରେ ଭାରତକୁ ନିନ୍ଦିତ କରିଛି । ବର୍ଷକୁ ୨ କୋଟି ନୂତନ କର୍ମନିଯୁକ୍ତି ଦୂରେଥାଉ କେବଳ ବିମୁଦ୍ରାକରଣ ଫଳରେ ଦେଶର ଲକ୍ଷ ଲକ୍ଷ କୁଟୀରଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଅକାଳ ମୃତ୍ୟୁର ଶିକାର ହୋଇଥିବାବେଳେ ୧୦ କୋଟିରୁ ଊର୍ଦ୍ଧ୍ୱ ଶ୍ରମିକ ଜୀବିକା ହରାଇଲେ । ସେନାବାହିନୀରେ ଅଗ୍ନିବୀର ନାମରେ ୪ ବର୍ଷିଆ ନିଯୁକ୍ତିର ପ୍ରତାରଣା କରି ଲକ୍ଷାଧିକ ପଦବୀ ଫାଙ୍କ ରଖିବା ସହ ସେନାବାହିନୀକୁ ଦୁର୍ବଳ କରାଯାଇଛି ।

ରେଳବାଇ ସମେତ ଲକ୍ଷାଧିକ ଖାଲି ପଦବୀ ପାଇଁ ଇଣ୍ଟରଭ୍ୟୁ ପରେ ବି ନିଯୁକ୍ତି ନ ଦେବା, ଏନଏମ୍‌ପି ନାମରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସମ୍ପତ୍ତି ଘରୋଇକରଣ କରି ନିଯୁକ୍ତି ସୁଯୋଗ ବନ୍ଦ କରାଯାଇଛି । ଇଲେକ୍ଟୋରାଲ ବଣ୍ଡ୍ ଓ ପିଏମ୍ କେୟାର ଫଣ୍ଡ ନାମରେ ଭ୍ରଷ୍ଟାଚାରର ପାହାଡ଼ ଚୁଡ଼ାରେ ବସିଛି ମୋଦି ସରକାର । ଇଲେକ୍ଟୋରାଲ୍ ବଣ୍ଡ୍ ଆଇନ ବିରୋଧରେ ମକଦ୍ଦମାର ବିଚାର କରି ମାନ୍ୟବର ସୁପ୍ରିମ କୋର୍ଟ ଏହାକୁ ଅସାମ୍ବିଧାନିକ ଓ ବେଆଇନ ଘୋଷଣା ଏହି ଗୁପ୍ତ ଚାନ୍ଦା ସମ୍ପର୍କରେ ନିର୍ବାଚନ କମିଶନଙ୍କ ମାଧ୍ୟମରେ ଖୁଲାସା ପାଇଁ ନିର୍ଦ୍ଦେଶ ଦେବାପରେ ସରକାର ଏହି ତଥ୍ୟ ଲୁଚାଇବାର ଅପଚେଷ୍ଟା ସତ୍ତ୍ୱେ ଏହି ଘଟଣାରେ ବିଜେପି ୯ ହଜାର କୋଟି ଟଙ୍କାରୁ ଅଧିକ ଗୁପ୍ତ ଚାନ୍ଦା ନେଇ ବିଜେପି ସରକାର ବିଶ୍ୱରେ ଭ୍ରଷ୍ଟାଚାରର ଚରମସୀମାରେ ପହଞ୍ôଚଛି । ଏହି ଚାନ୍ଦା ମହାମାରୀ ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଇଥିବା ନିମ୍ନ ମାନର ଔଷଧ ଯୋଗାଣ କମ୍ପାନୀଙ୍କଠାରୁ , ଏପରିକି ଗୋମାଂସ ରପ୍ତାନିକାରୀ ଶିଳ୍ପପତି ଓ ପାକିସ୍ତାନୀଙ୍କଠାରୁ ଚାନ୍ଦା ନେବାକୁ ପଛାଇ ନାହିଁ ବିଜେପି ସରକାର । ଏହି ଗୁପ୍ତ ଚାନ୍ଦା ନେବା ପାଇଁ ବିଜେପି ଇଡି ଓ ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାକୁ ବିଜେପିର ଗୁଣ୍ଡାବାହିନୀ ଭାବରେ ବ୍ୟବହାର କରିଛି ।

ମୋଦି ସରକାରଙ୍କର ଜନବିରୋଧୀ ନୀତିର ପ୍ରତିବାଦ କରୁଥିବା ରାଜନେତା, ବିରୋଧୀ ମୁଖ୍ୟମନ୍ତ୍ରୀ, ସାମ୍ବାଦିକ, ବୁଦ୍ଧିଜୀବୀମାନଙ୍କୁ ଇଡି ଓ ସିବିଆଇ ମାଧ୍ୟମରେ ଗିରଫ କରି ଜେଲ୍ ପଠାଇ ଗଣତନ୍ତ୍ରର କଣ୍ଠରୋଧ କରିଛନ୍ତି । ବିଜେପି କଳାଟଙ୍କା ବଳରେ ୨୫ ସାଂସଦ ଓ ୪୦୦ରୁ ଅଧିକ ବିଧାୟକଙ୍କୁ ଇଡି ଓ ସିବିଆଇ ମାଧ୍ୟମରେ ଭୟଭୀତ କରାଇ ନିଜ ଦଳକୁ ନେଇ ବିରୋଧୀ ସରକାର ଭାଙ୍ଗି ବିଜେପି ସରକାର ଗଢ଼ିବା ଏପରିକି ସଂସଦରେ ୧୪୫ରୁ ଅଧିକ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରି ନିର୍ବାଚନ କମିଶନ ନିଯୁକ୍ତି ଆଇନ ସଂଶୋଧନ କରାଇ ସଂସଦୀୟ ଗଣତନ୍ତ୍ରକୁ ଧ୍ୱଂସ କରିବା ପାଇଁ ଷଡ଼ଯନ୍ତ୍ର କରିଛି ବିଜେପି ।

ସେହିପରି ଓଡ଼ିଶାରେ ୨୦୦୦ ମସିହାରୁ କ୍ଷମତାରେ ଥିବା ବିଜେଡି ସରକାର ଏଠାରେ ବିଜେପି ସହ ମିଶି ଖଣି, ପାଣି, ଚିଟ୍‌ଫଣ୍ଡ ଦୁର୍ନୀତି ଓ କନ୍ଧମାଳ ଦଙ୍ଗା କରି ରାଜ୍ୟକୁ ନିନ୍ଦିତ କରିଥିଲେ ବି ୨୦୦୯ ମସିହାରୁ ୨୦୧୪ ପର୍ଯ୍ୟନ୍ତ ବିଜେପି ହାତ ଛାଡ଼ିଲା ପରେ ପୁଣି ୨୦୧୪ରେ ମୋଦି ସରକାର କ୍ଷମତାରେ ବସିବାଠାରୁ ବିଜେପିର ସମସ୍ତ ରାଷ୍ଟ୍ର ବିରୋଧୀ- ଜନ ବିରୋଧୀ ଆଇନକୁ ବିଜେଡି ନିଃସର୍ତ୍ତ ସମର୍ଥନ ଦେଇଛି । ଖଣି ଦୁର୍ନୀତିରେ ଶାହା କମିଶନଙ୍କ ରିପୋର୍ଟ ଭିତ୍ତିରେ ରାଜ୍ୟର ୬୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଲୁଣ୍ଠନ ଏବଂ ଚିଟ୍‌ଫଣ୍ଡରେ ୭୦ଲକ୍ଷ ଲୋକଙ୍କ ପକେଟମାର କରି ହଜାର ହଜାର କୋଟି ଟଙ୍କା ଲୁଣ୍ଠନ କରିଥିବା ବିଜେଡି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଖତମ କରି ଅମଲାରାଜ ଓ ଭ୍ରଷ୍ଟାଚାର ବଢ଼ାଇଛି । ଏହି ପୃଷ୍ଠଭୂମିରେ କେନ୍ଦ୍ରର ଏକଚ୍ଛତ୍ରବାଦୀ ଭ୍ରଷ୍ଟାଚାରୀ ବିଜେପି ଓ ଏନଡିଏକୁ ପରାସ୍ତ କରିବା ସହ ଦେଶରେ ବାମ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ସରକାର ଗଠନ ପାଇଁ ଏବଂ ଓଡ଼ିଶାରେ ବିଜେଡି-ବିଜେପିର ଗୁପ୍ତ ମେଣ୍ଟ ସରକାରକୁ ପରାସ୍ତ କରିବା ପାଇଁ ସିପିଆଇ ଓ ବାମପନ୍ଥୀଙ୍କ ର ସଂସଦ ଓ ବିଧାନସଭାରେ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ଆମେ ବାସ୍ତବମୁଖୀ ଆସନ ଓ ପ୍ରାର୍ଥୀ ଅବତୀର୍ଣ୍ଣ କରାଇଛୁ । ସିପିଆଇ ପ୍ରାର୍ଥୀଙ୍କୁ ବିଜୟମଣ୍ଡିତ କରିବା ସହ ଅନ୍ୟାନ୍ୟ ଆସନରେ ବାମପନ୍ଥୀ ଓ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ଶକ୍ତିଙ୍କ ବିଜୟ ପାଇଁ ଆହ୍ୱାନ ଦେଇଛି ।

ଲୋକସଭା ନିର୍ବାଚନମଣ୍ଡଳୀ ତାଲିକା
୧- ଜଗତ୍‌ସିଂହପୁର … ରମେଶ ଚନ୍ଦ୍ର ସେଠୀ

ବିଧାନସଭା ନିର୍ବାଚନମଣ୍ଡଳୀ ଓ ପ୍ରାର୍ଥୀଙ୍କ ନାମ ତାଲିକା
୧- ଛତ୍ରପୁର … ଗୁରୁନାଥ ପ୍ରଧାନ
୨- ସୁନ୍ଦରଗଡ଼ … ରାଜେନ୍ଦ୍ର ନାୟକ
୩- ବାଲିକୁଦା-ଏରସମା … ଅଭିଜିତ ସାହୁ
୪- ବ୍ରଜରାଜନଗର … ରମେଶ ଚନ୍ଦ୍ର ତ୍ରିପାଠୀ
୫- ପାରାଦୀପ … ଜିନ୍ମୟୀ ସାହାଣୀ
୬- କବିସୂର୍ଯ୍ୟନଗର … ପ୍ରବୀଣ ଦାସ
୭- ନୀଳଗିରି … ଅଜୟ ପଟ୍ଟନାୟକ
୮- ଭୁବନେଶ୍ୱର (ଉତ୍ତର) … ଶଙ୍କର୍ଷଣ ବାରିକ
୯- ନିମାପଡ଼ା … ମନୋଜ ପରିଡ଼ା
୧୦- ଲକ୍ଷ୍ମୀପୁର … କୁମର ଜାନି
୧୧- କଣ୍ଟାବାଞ୍ଜି … ପାଣ୍ଡବ ଭୋଇ
ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ, ଜାତୀୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ରାମକୃଷ୍ଣ ପଣ୍ଡା, ପୂର୍ବତନ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଓ ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ ଉଦ୍‌ବୋଧନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking