28.1 C
Bhubaneswar
Saturday, April 27, 2024
Homeଓଡିଶାଡଙ୍ଗରିଆ ଅଞ୍ଚଳରେ କରୋନା ଟିକାକରଣ, ଏବେ ବି ଅନେକ ପାଇନାହାନ୍ତି ଟିକା

ଡଙ୍ଗରିଆ ଅଞ୍ଚଳରେ କରୋନା ଟିକାକରଣ, ଏବେ ବି ଅନେକ ପାଇନାହାନ୍ତି ଟିକା

ରାୟଗଡା : ରାୟଗଡା ଜିଲ୍ଲାକୁ ସରକାରଙ୍କ ପକ୍ଷରୁ ପର୍ଯ୍ୟାୟକ୍ରମେ କରୋନା ଟିକା ଆସୁଛି । ଆଉ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ମାନଙ୍କରେ ସ୍ଥାନୀୟ ପ୍ରଶାସନର ସହଯୋଗରେ ସ୍ୱାସ୍ଥ୍ୟ ବିଭାଗ ଟିକାକରଣ ବ୍ୟବସ୍ଥା କରିଛି । ତେବେ ନିୟମିତ ଟିକା ଆସୁନଥିବା ବେଳେ ଅନେକ ସମୟରେ ସମସ୍ୟା ଉପୁଜୁଛି । ବିଶେଷ କରି ନିୟମଗିରି ଅଞ୍ଚଳରେ ଟିକାକରଣକୁ ନେଇ ଜିଲ୍ଲା ପ୍ରଶାସନ ଦ୍ୱନ୍ଦରେ ପଡିଯାଇଛି । ଅନେକ ସ୍ଥାନରେ ଜନଜାତି ଡଙ୍ଗରିଆଙ୍କୁ ଟିକା ନେବା ପାଇଁ ସଚେତନ କରିବାରେ ପ୍ରଶାସନ ସଫଳ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର,ବିଷମକଟକ ଓ ମୁନିଗୁଡା ବ୍ଲକ ଅଧିନରେ ନିୟମଗିରି ଅଞ୍ଚଳ ରହିଥିବା ବେଳେ ପ୍ରାୟ ୭ଟି ପଞ୍ଚାୟତରେ ପାଖାପାଖି ୧୧୨ଟି ଗ୍ରାମରେ ଡଙ୍ଗରିଆ ଜନଜାତିଙ୍କ ଜନବସତି ରହିଛି । ପ୍ରଥମେ ପ୍ରଥମେ ସ୍ୱାବ ଦେବା ଓ ଗୃହ ସଂଗରୋଧ କେନ୍ଦ୍ରରେ ରହିବାକୁ ନେଇ ଲୋକେ ରାଜି ହୋଇନଥିବା ବେଳେ କୋରନା ଟିକାକୁ ନେଇ ଏବେ ଅନେକ ଜନଜାତି ଅମଙ୍ଗ ରହିଥିବା ଜଣାପଡିଛି । ବିଶେଷ କରି ମୁନିଗୁଡା ଓ ବିଷମକଟକ ବ୍ଲକ ଅଧିନରେ ଥିବା କିଛି ଗ୍ରାମରେ ପ୍ରଶାସନ ଜନଜାତିଙ୍କୁ ଟିକା ଦେବାରେ ସଫଳ ହୋଇଥିବା ବେଳେ କଲ୍ୟାଣସିଂହପୁର ବ୍ଲକରେ କିନ୍ତୁ ଲୋକଙ୍କୁ ଶତପ୍ରତିଶତ ବୁଝାଇବାରେ ପ୍ରଶାସନ ଫେଲ୍ ମାରିଥିବା ଜଣାପଡିଛି । ବିଷମକଟକ ଓ ମୁନିଗୁଡା ବ୍ଲକରେ ରହୁଥିବା ଡଙ୍ଗରିଆ ଜନଜାତିଙ୍କୁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା,ବ୍ଲକ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ମିଳିତ ଉଦ୍ୟମରେ ଟିକା ପ୍ରଦାନ କରାଯାଇଛି । କିନ୍ତୁ କଲ୍ୟାଣସିଂହପୁର ବ୍ଲକର ପାର୍ସାଲି ଓ ସୁନାଖଣ୍ଡି ପଞ୍ଚାୟତକୁ ପ୍ରଶାସନ ପହଞ୍ଚିପାରୁନଥିବା ଜଣାପଡିଛି । ଲୋକଙ୍କୁ ଯେତେ ସଚେତନ କରାଇଲେ ସୁଦ୍ଦା ଶହ ଶହ ଜନଜାତି ଟିକା ନେବାକୁ ରାଜି ହେଉନଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ଅଞ୍ଚଳରେ ପ୍ରାୟ ୩୩୦୦ ଡଙ୍ଗରିଆ ଜନଜାତି ବସବାସ କରୁଥିବା ବେଳେ ବିଷମକଟକ ବ୍ଲକର କୁର୍ଲୀ ପଞ୍ଚାୟତ ଓ ଅନ୍ୟାନ୍ୟ ଅଞ୍ଚଳରେ ୬୨୫୯ ଏବଂ ମୁନିଗୁଡା ବ୍ଲକରେ ପ୍ରାୟ ୧୬୫୩ ଜଣ ଡଙ୍ଗରିଆ ଜନଜାତି ବସବାସ କରୁଛନ୍ତି । ତେବେ ଏସବୁ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଦା ୧୮ରୁ ୪୪ ବର୍ଷ ବର୍ଗ ମଧ୍ୟରେ ୧୨୫୬ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୪୫ ବର୍ଷରୁ ଉର୍ଦ୍ଦ ବୟସର ଲୋକଙ୍କୁ ମାତ୍ର ୧୨୪୫ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ତେବେ ରାୟଗଡା ଜିଲ୍ଲାରେ ଦୁଇ ସଂପ୍ରଦାୟର ଜନଜାତି ଡଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସୌରା ସଂପ୍ରଦାୟ ବସବାସ କରୁଥିବା ବେଳେ କେବଳ ଡଙ୍ଗରିଆ କନ୍ଧଙ୍କୁ ଟିକା ନେବା ପାଇଁ ପ୍ରଶାସନ ଉଦ୍ୟମ ଜୋରଦାର କରିଛି । ତେବେ ନିୟମଗିରିର କିଛି ଅଞ୍ଚଳରେ ଲୋକେ ଟିକା ନେବା ପାଇଁ ରାଜି ହେଉନଥିବାରୁ ସାମାନ୍ୟ ସମସ୍ୟା ଦେଖାଯାଉଛି । ତେବେ ପର୍ଯ୍ୟାୟକ୍ରମେ ଡଙ୍ଗରିଆ ସଂପ୍ରଦାୟକୁ ଟିକାକରଣ କରାଯିବ ବୋଲି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ତର ଆର୍ତ୍ତବଂଧୁ ନାୟକ ପ୍ରକାଶ କରିଛନ୍ତି । ଏପଟେ ରାୟଗଡା ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଦା ୨ ଲକ୍ଷ ୩୧ ହଜାର ୯୨୦ ଡୋଜ୍ ଟିକା ଆସିଥିବା ବେଳେ ଏସବୁ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ କର୍ମଚାରୀ, ଆଗ ଧାଡିର କର୍ମଚାରୀ,୪୫ ବର୍ଷ ବର୍ଗରୁ ଉର୍ଦ୍ଦ ଓ ୧୮ ରୁ ୪୪ ବର୍ଷର ଲୋକ ମାନଙ୍କୁ ଟିକା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking