26.1 C
Bhubaneswar
Wednesday, May 8, 2024
Homeଓଡିଶା୧୩ରୁ ରାଜ୍ୟରେ ଡାଲି ଓ ତୈଳବୀଜ ସଂଗ୍ରହ ଆରମ୍ଭ ହେବ

୧୩ରୁ ରାଜ୍ୟରେ ଡାଲି ଓ ତୈଳବୀଜ ସଂଗ୍ରହ ଆରମ୍ଭ ହେବ

ଭୁବନେଶ୍ୱର : ରବିଋତୁ ୨୦୨୦-୨୧ ପାଇଁ ପଞ୍ଜୀକୃତ ଚାଷୀମାନଙ୍କଠାରୁ ମୂଲ୍ୟ ସହାୟକ ଯୋଜନାରେ ଡାଲି  ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ମାର୍କଫେଡ଼ ଦ୍ୱାରା ମେ’୧୩ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି । କୋଭିଡ୍ ସ୍ଥିତିରେ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମୂଲ୍ୟ ସହାୟକ ଯୋଜନାର ଲାଭ ସିଧାସଳଖ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତ ସରକାରଙ୍କ ଦ୍ୱାରା ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ ନିମନ୍ତେ ମୂଲ୍ୟ ସହାୟକ ଯୋଜନାରେ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଇଛି । ଏଫ୍‌ଏକ୍ୟୁ ମାନର ମୁଗର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା ୭୧୯୬ ଟଙ୍କା, ବିରି କ୍ୱିଣ୍ଟାଲ ପିଛା ୬୦୦୦ ଟଙ୍କା, ସୂର୍ଯ୍ୟମୁଖୀ ମଞ୍ଜି କ୍ୱିଣ୍ଟାଲ ଦର ୫୮୮୫ ଟଙ୍କା ଓ ଚିନାବାଦାମର କ୍ୱିଣ୍ଟାଲ ପିଛା ୫୨୭୫ ଟଙ୍କା ଦର ସ୍ଥିର କରାଯାଇଛି । ନାଫେଡ଼ ପକ୍ଷରୁ ରାଜ୍ୟରେ ସମବାୟ ବିଭାଗ ଅଧୀନସ୍ଥ ମାର୍କଫେ ଡ୍ ସଂସ୍ଥା ଦ୍ୱାରା ବିଭିନ୍ନ ପ୍ୟାକ୍ସ, ଲ ୍ୟାମ୍ପସ୍ ଓ ନିୟନ୍ତ୍ରିତ ବଜାର କମିଟି ଜରିଆରେ ନାମ ପଞ୍ଜୀକରଣ କରିଥିବା ଚାଷୀମାନଙ୍କଠାରୁ ଏହା ସଂଗ୍ରହ କରାଯିବ । ଚଳିତ ରବି ଋତୁ ୨୦୨୦-୨୧ରେ ରାଜ୍ୟରେ ସର୍ବାଧିକ ୧୩୨୫୦ ମେଟ୍ରିକ୍ ଟନ୍ ମୁଗ, ୭୦୦ ମେଟ୍ରିକ୍ ଟନ୍ ବିରି, ୭୭୭୫ ମେଟ୍ରିକ୍ ଟନ୍ ଚିନାବାଦାମ ଓ ୬୭୫ ମେଟ୍ରିକ ଟନ୍ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ୨୦୨୧ମେ’ ୧୩ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।  ଆଜି ଏହି ମର୍ମରେ ସମବାୟ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି ।

ଡାଲି ଓ ତୈଳବୀଜ ସଂଗ୍ରହ ନିମନ୍ତେ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ସଂଗ୍ରହ କେନ୍ଦ୍ର ନିର୍ଦ୍ଧାରଣ କରିବା ସହିତ ପ୍ରକୃତ ଚାଷୀମାନଙ୍କର ନାମ ପଞ୍ଜୀକରଣ ଏବଂ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀ ଚିହ୍ନଟ ନିମନ୍ତେ ଆଧାର କାର୍ଡ କିମ୍ବା ଅନ୍ୟ ନିର୍ଦ୍ଧାରିତ ପରିଚୟପତ୍ର ଜରୁରୀ ଅଟେ । ଡାଲି ଓ ତୈଳବୀଜ ଉତ୍ପାଦନ ହାରକୁ ଦୃଷ୍ଟିରେ ରଖି ଏକର ପିଛା ୨ କ୍ୱିଣ୍ଟାଲ ମୁଗ ଓ ବିରି ସଂଗ୍ରହ ନିମନ୍ତେ ଧାର୍ଯ୍ୟ କରାଯାଇଥିବାବେଳେ ଚିନାବାଦାମ ଏକର ପିଛା ୬ କ୍ୱିଣ୍ଟାଲ ସଂଗ୍ରହ କରିବା ପାଇଁ ସ୍ଥିର କରାଯାଇଛି । ଚାଷୀମାନଙ୍କ ଅବଗତି ନିମନ୍ତେ ଡାଲି ଓ ତୈଳବୀଜ ସଂଗ୍ରହ କେନ୍ଦ୍ର ଓ ସଂଗ୍ରହ ସମୟ ବାବଦରେ ବ୍ୟାପକ ପ୍ରଚାର ପାଇଁ ଗୁରୁତ୍ୱ ଦିଆଯାଇଛି । ସଂଗ୍ରହ ବାବଦକୁ ଦେୟ ଅର୍ଥ ମାର୍କଫେଡ୍ ଦ୍ୱାରା ସିଧାସଳଖ ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଅନ୍‌ଲାଇନ୍ ମାଧ୍ୟମରେ ହସ୍ତାନ୍ତର କରାଯିବ ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଡିଆରସିଏସ୍‌, ଏଆର୍‌ସିଏସ୍‌, ସହକାରୀ କୃଷି ଅଧିକାରୀ, ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଏବଂ ମାର୍କଫେଡ୍‌ର ଏରିଆ ମ୍ୟାନେଜରମାନଙ୍କୁ ସଂଗ୍ରହ କାର୍ଯ୍ୟରେ ସୁପରିଚାଳନା ଓ ତଦାରଖ ଦାୟିତ୍ୱ ଦିଆଯାଇଛି । ଏଥି ସହିତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଦ୍ୱାରା ଡାଲି ଓ ତୈଳବୀଜର ସଂଗ୍ରହ କାର୍ଯ୍ୟର ନିୟମିତ ସମୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । କୋଭିଡ୍‌ର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଚାଷୀଙ୍କ ନାମ ପଞ୍ଜୀକରଣ ଓ ସଂଗ୍ରହ କେନ୍ଦ୍ରରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଅନୁପାଳନ ଓ ୫ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଏକାଠି ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking