28.1 C
Bhubaneswar
Saturday, April 27, 2024
Homeଓଡିଶାଗୁଜୁରାଟକୁ ନେଇ ଚାଲିଛି ଶ୍ରେୟ ଲଢେଇ

ଗୁଜୁରାଟକୁ ନେଇ ଚାଲିଛି ଶ୍ରେୟ ଲଢେଇ

ଭୁବନେଶ୍ୱର: କରୋନା ସହାୟତାକୁ ନେଇ ଏବେ ଶ୍ରେୟର ରାଜନୀତି ଦେଖିବାକୁ ମିଳୁଛି । ଗୁଜୁରାଟର ସୁରଟରେ ଥିବା ଓଡିଆମାନେ ଏହି ଲକ ଡାଉନ ସମୟରେ ନାନା ନିର୍ଯାତନାର ଶିକାର ହେଉଥିବା ଖବର ଆସି ପହଂଚିଛି । ସୁରଟର ଓଡିଆମାନଙ୍କୁ ନେଇ ଏବେ ବିଜେପିରେ ରାଜନୀତି ଦେଖାଦେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଓଡିଶାବାସୀଙ୍କୁ ଆଶ୍ୱସ୍ତ କରିଥିଲେ ବି ସେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସେଠାରେ ଥିବା ଓଡିଆଙ୍କ କଥା ବୁଝିଛନ୍ତି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏନେଇ ତାଙ୍କୁ ଆଶ୍ୱସ୍ତ କରିଛନ୍ତି । ଏବେ ତାଙ୍କ ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ତାଙ୍କ ଗଣମାଧ୍ୟମ ମାଧ୍ୟମରେ ଘନ ଘନ ପ୍ରଚାର କରୁଛନ୍ତି ଯେ, ବୈଜୟନ୍ତଙ୍କ ତ୍ୱରିତ ହସ୍ତକ୍ଷେପ ଫଳରେ ସୁରଟରେ ଥିବା ଓଡିଆଙ୍କୁ ସହାୟତା ମିଳିଲା । ବିଜେପି ଭିତର ଏ ରାଜନୀତିର ଉଦ୍ଦେଶ୍ୟ କଣ ତାହା ଜାଣିବା ତ କଷ୍ଟକର, ତେବେ ଏହାପଛରେ ଯେ, କିଏ କେତେ ଓଡିଆଙ୍କ ଦୁଃଖ ବୁଝୁଛି, ତାହାର ବାର୍ତା ଦେବା ପାଇଁ ପ୍ରୟାସ କରାଯାଉଥିବା ରାଜନୀତିକ ବିଶେଷଜ୍ଞମାନେ ମତ ରଖିଛନ୍ତି । କରୋନା ବିପର୍ଯୟ ବେଳେ ରାଜନୀତି ଯେ, ଦୂରେଇ ଯାଇ ନାହିଁ ଏଥିରୁ ସ୍ପଷ୍ଟ ସୂଚନା ମିଳୁଥିବା କଥା ଅନେକ କହୁଛନ୍ତି । ବୈଜୟନ୍ତଙ୍କ ସହାୟତାର ଘନଘନ ପ୍ରଚାର ସମସ୍ତଙ୍କୁ ଚକିତ କରିଛି ।

ଗୁଜୁରାଟର ସୁରଟରେ ବହୁ ସଂଖ୍ୟାରେ ଓଡିଆ ରହିଛନ୍ତି । ସେମାନେ ବିଭିନ୍ନ କଳକାରଖାନାରେ କାମ କରି ପରିବାର ଚଲାଇଥାନ୍ତି । ହଠାତ ଲକ ଡାଉନ ଘୋଷଣା ହେବା ପରେ କଳକାରଖାନା ଓ ବ୍ୟବସାୟିକ ପ୍ରତିଷ୍ଠାନ ସବୁକିଛି ବନ୍ଦ ହୋଇଗଲା । ଫଳରେ ଏଥିରେ କାମ କରୁଥିବା ଅନେକ ଅସ୍ଥାୟୀ କର୍ମଚାରୀ ଓ ଶ୍ରମିକ ଜୀବିକା ହରାଇ ରାସ୍ତାକୁ ଚାଲିଆସିଲେ । ଅନ୍ୟପଟରେ ଆନ୍ତଃରାଜ୍ୟ ଯାତାୟାତ ଉପରେ ନିଷେଦ୍ଧାଦେଶ ଜାରି ହୋଇଥିବାରୁ ଜୀବିକା ହରାଇଥିବା ବ୍ୟକ୍ତିମାନେ ଆଉ ନିଜ ଅଂଚଳକୁ ଫେରିପାରିଲେ ନାହିଁ । କିଛିଦିନ ରହିବା ପରେ ଯେତେବେଳେ ସେମାନଙ୍କ ପାଖରେ ଥିବା ସାଧନ ସରିଗଲା, ସେମାନେ ନିଜ ଅଂଚଳକୁ ଫେରିବା ପାଇଁ ଭିଡିଓ ଜାରି କରି ଫୋନ କରି ଓଡିଶା ପ୍ରଶାସନକୁ ଓ ଗଣମାଧ୍ୟମକୁ ଜଣାଇଲେ । ଏହି ଘଟଣା ଦିନକୁ ଦିନ ବଢିବାରେ ଲାଗିଲା । ଓଡିଶା ସରକାର କଣ୍ଟ୍ରୋଲ ରୁମ ଖୋଲି କେଉଁ ରାଜ୍ୟରେ କେତେ ଓଡିଆ ଅଛନ୍ତି , ସେ ସଂପର୍କରେ ଅନୁଧ୍ୟାନ କଲେ ଓ ସହାୟତା କରିବା ପାଇଁ ଉଦ୍ୟମ କଲେ । ଗୁଜୁରାଟରେ ବିଜେପି ସରକାର ଥିବାରୁ ସେଠାରେ ଓଡିଆ ଲୋକଙ୍କର କିଛି ସମସ୍ୟା ହେବ ନାହିଁ, ଏହି ଧାରଣା ଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ ଏ କଥାକୁ ଅଧିକ ଆଶ୍ୱସ୍ତ କଲା । ସେ ସ୍ପଷ୍ଟ ଭାବରେ ଜଣାଇଥିଲେ ଯେ, ଗୁଜରାଟରେ ଥିବା ଓଡିଆଙ୍କର କୌଣସି ସମସ୍ୟା ହେବ ନାହିଁ । ସେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ କଥା ହୋଇଛନ୍ତି । ଓଡିଆ ଲୋକଙ୍କ ରହିବା ଖାଇବାରେ କିଛି ଅସୁବିଧା ହେବ ନାହିଁ । ସବୁକିଛି ଗୁଜୁରାଟ ସରକାର ବୁଝିବେ । ଏନେଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରତି ଦେଇଥିବା ସେ ଜଣାଇଥିଲେ । କିନ୍ତୁ ଏବେ ବୈଜୟନ୍ତଙ୍କ ସହାୟତାର ଟ୍ୱିଟ ଆସିଲା ପରେ କଥା ଭିନ୍ନ ଆକାର ଧାରଣ କରିଛି । ବୈଜୟନ୍ତ ତାଙ୍କ ଅଫିସିଆଲ ଟ୍ୱିଟରେ ଦର୍ଶାଇଲେ ଯେ, ତାଙ୍କ ହସ୍ତକ୍ଷେପ ଫଳରେ ସୁରାଟର ଓଡିଆଙ୍କୁ ସହାୟତା ମିଳିଲା । ସେ ସୁରଟର କିଛି ବିଜେପି କର୍ମକର୍ତାଙ୍କ ସହ ଆଲୋଚନା କରି ଏହି ସହାୟତା ଯୋଗାଇଥିବା ଅଫିସିଆଲ ଟ୍ୱିଟରେ ଉଲ୍ଲେଖ କଲେ । ଏପରିକି ତାଙ୍କ ଗଣମାଧ୍ୟମରେ ଶୁକ୍ରବାର ଘନ ଘନ ପ୍ରଚାର କରାଗଲା ଯେ, ବୈଜୟନ୍ତଙ୍କ ତ୍ୱରିତ ପଦକ୍ଷେପ ଫଳରେ ଗୁଜୁରାଟରେ ଥିବା ଓଡିଆଙ୍କୁ ସହାୟତା ମିଳିଛି । ବୈଜୟନ୍ତଙ୍କ ହସ୍ତକ୍ଷେପ କରିବା ଦ୍ୱାରା ସୁରାଟରେ ଥିବା ବିଜେପି କର୍ମକର୍ତମାନେ ସହାୟତା ଯୋଗାଇଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ରମେଶ ସାମନ୍ତରାୟ ନାମକ ଜଣେ ବ୍ୟକ୍ତି ବୈଜୟନ୍ତଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଲୋକଙ୍କ ସମସ୍ୟା ସଂପର୍କରେ ସୂଚନା ଦେଇଥିଲେ । ଏହାପରେ ବୈଜୟନ୍ତ ପଣ୍ଡା ତ୍ୱରିତ ହସ୍ତକ୍ଷେପ କରି ସେଠାରେ ସହାୟତା ଦେବାର ବ୍ୟବସ୍ଥା କରିଥିଲେ । ସେଠାରେ କାରଖାନା ବନ୍ଦ ହେବାପରେ ଓଡିଆମାନେ ଖାଇବାକୁ ନପାଇ ବହୁ ହଇରାଣ ହେଉଛନ୍ତି । ବୈଜୟନ୍ତ ବାବୁଙ୍କ ସହଯାଗ ସହାୟତା ପାଇଁ ଓଡିଆମାନେ କିଛି ଖାଇବାକୁ ପାଇଛନ୍ତି । ଏଥିନେଇ ଶ୍ରୀ ସାମନ୍ତରାୟ ବୈଜୟନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବୈଜୟନ୍ତ ପ୍ରକୃତରେ ସେଠାରେ ଥିବା ଓଡିଆଙ୍କୁ ସହାୟତା ଦେଇଛନ୍ତି ଏହାକୁ ପ୍ରମାଣ କରିବା ପାଇଁ ଗଣମାଧ୍ୟମରେ ଶ୍ରୀ ସାମନ୍ତରାୟଙ୍କ ସହ ସେ ଟେଲିଫୋନରେ କଥା ହୋଇଥିବା ମଧ୍ୟ ପ୍ରସାରଣ କରାଯାଇଥିଲା ।

ଏହି ଖବର ଆସିଲା ପରେ ଏବେ ଏହାକୁ ନେଇ ରାଜନୀତି ଚଳଚଂଚଳ ହୋଇଛି । ସୁପ୍ତ ଥିବା ରାଜନୈତିକ ବାତାବରଣ ରେ ହଇଚଇ ସୃଷ୍ଟି ହୋଇଛି । ଧର୍ମେନ୍ଦ୍ର ସହାୟତା ପାଇଁ ପ୍ରତିଶୃତି ଦେଇ କଥା ରଖିନାହାନ୍ତି । ବୈଜୟନ୍ତ ହିଁ ପ୍ରକୃତରେ ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି ଏଭଳି ଏକ ବାର୍ତା ଓଡିଶାବାସୀଙ୍କୁ ଦେବା ଲାଗି ବୈଜୟନ୍ତ ତାଙ୍କ ଗଣମାଧ୍ୟମରେ ଉଦ୍ୟମ କରିଥିବା କଥା ଅନେକ ମତ ଦେଉଛନ୍ତି । ନଚେତ ବୈଜୟନ୍ତଙ୍କ ତ୍ୱରିତ ହସ୍ତକ୍ଷେପ କଥାକୁ ପ୍ରଚାର କରାଯାଉ ନଥାନ୍ତା ବୋଲି କେହି କେହି ମତ ରଖିଛନ୍ତି । ଧର୍ମେନ୍ଦ୍ରଙ୍କ ଟ୍ୱିଟ ଆଉ ବୈଜୟନ୍ତଙ୍କ ଏହି ପ୍ରଚାରରୁ ଶ୍ରେୟ ରାଜନୀତି ର ସୂଚନା ମିଳୁଥିବା କଥା କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking