30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସୀମାରେ ଚୀନ୍‌ର ବ୍ୟାପକ ଯୁଦ୍ଧ ପ୍ରସ୍ତୁତି : ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଲୋକଙ୍କୁ ନିର୍ଦ୍ଦେଶ

ସୀମାରେ ଚୀନ୍‌ର ବ୍ୟାପକ ଯୁଦ୍ଧ ପ୍ରସ୍ତୁତି : ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଲୋକଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖାରେ କ୍ର୍ରମାଗତଭାବେ ଉତ୍ତେଜନା ସୃଷ୍ଟି କରିଆସୁଥିବା ଚୀନ୍ ତାହାର ଯୁଦ୍ଧଖୋର ମନୋବୃତ୍ତିରୁ ପଛକୁ ହଟୁନାହିଁ । ଗତବର୍ଷ ଜୁନ୍‌ରୁ ଏହି ସୀମା ବିବାଦ ଲାଗିରହିଥିବାବେଳେ ଏହାର ସମାଧାନ ପାଇଁ ଉଭୟପକ୍ଷ ଏକାଧିକ ସାମରିକସ୍ତରୀୟ ବୈଠକରେ ମିଳିତ ହୋଇସାରିଲେଣି । ତଥାପି ପରିସ୍ଥିତିରେ ସେଭଳି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହେଉନାହିଁ । ବିସ୍ତାରବାଦୀ ନୀତି ଆପଣେଇଥିବା ଚୀନ୍ ଗୋଟିଏପଟେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଥିବାବେଳେ ଅନ୍ୟପଟରେ ସୀମା ଅପରପାଶ୍ୱର୍ରେ ବ୍ୟାପକ ଯୁଦ୍ଧପ୍ରସ୍ତୁତି ଚଳାଇଛି । ସମ୍ବେଦନଶୀଳ ସ୍ଥାନରେ ଏକାଧିକ ବଙ୍କର ନିର୍ମାଣ ସହ ସୀମାରେ ଅଧିକରୁ ଅଧିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ କରିଚାଲିଛି । ନିକଟରେ ଚୀନ୍ ସରକାରଙ୍କ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ସଂପୃକ୍ତ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଚୀନ୍ ବାଣିଜ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମାକୁ ନେଇ ବର୍ତ୍ତମାନ କୂଟନୈତିକସ୍ତରରେ ଜୋରସୋର ଚର୍ଚ୍ଚା ଆରମ୍ଭ ହୋଇଛି । ଅବଶ୍ୟ ଜରୁରୀ ପରିସ୍ଥିତିର ମୁକାବିଲା କରିବାକୁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି ବୋଲି ଚୀନ୍ ସ୍ପଷ୍ଟୀକରଣ ଦେଇଥିଲେ ସୁଦ୍ଧା ଏହାର ଆଭିମୁଖ୍ୟକୁ ନେଇ ସାମରିକ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଭାରତ ବିରୋଧରେ ରଣହୁଙ୍କାର ଦେଉଥିବା ଚୀନ୍ ଆଗାମୀ ଦିନରେ ଯୁଦ୍ଧ ଆଶଙ୍କାକୁ ବାସ୍ତବ ରୂପ ଦେବାକୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ବୋଲି ସେମାନେ ଅନୁମାନ କରୁଛନ୍ତି । ସାଧାରଣତଃ ପ୍ରାକ୍ ଯୁଦ୍ଧ ପ୍ରସ୍ତୁତି ସମୟରେ ଲୋକଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯାଇଥାଏ । ଅବଶ୍ୟ ଭାରତ ସମେତ ତାଇୱାନ ପ୍ରସଙ୍ଗ ନେଇ ଚୀନ୍ ସରକାର ଏବେ ଅଧିକ ତତ୍ପର ହୋଇପଡିଛନ୍ତି ।

ଏ ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ ଯୁଦ୍ଧ ଆଶଙ୍କା ଘନୀଭୂତ ହୋଇଥିବାବେଳେ ଚୀନ୍ ସରକାର ଭିନ୍ନ ସ୍ପଷ୍ଟୀକରଣ ଦେଇଛନ୍ତି । ବର୍ତ୍ତମାନ ଚୀନ୍ ପୁଣି କୋଭିଡ୍ ଚକ୍ରବ୍ୟୁହରେ ପଡିଛି । ତେଣୁ କୋଭିଡ୍ ଯୋଗୁଁ କାଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେବ, ସେଥିପାଇଁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ଚୀନ୍‌ର ଗ୍ଲୋବାଲ ଟାଇମ୍‌ସ ପକ୍ଷରୁ କୁହାଯାଇଛି । ତେବେ ସାମାଜିକ ଗଣମାଧ୍ୟମ ଉପଭୋକ୍ତାମାନେ ଏହି ସଫେଇକୁ ସହଜରେ ଗ୍ରହଣ କରୁନାହାନ୍ତି । ୨୦୨୦ରୁ ଚୀନ୍‌ରେ କୋଭିଡ୍‌ର ଆବିର୍ଭାବ ଘଟିସାରିଥିବାବେଳେ ବର୍ତ୍ତମାନ ଏଭଳି ନିର୍ଦ୍ଦେଶନାମାର କାରଣକୁ ସେମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଚୀନ୍ ଏହି ପ୍ରସଙ୍ଗରେ ନିଜର ନାଗରିକଙ୍କୁ ମଧ୍ୟ ଭୟଭୀତ ନହେବାକୁ କହିଛି । କୌଣସି ଗୁଜବ (ସମ୍ଭାବ୍ୟ ଯୁଦ୍ଧ)ରେ ବିଶ୍ୱାସ ନକରିବାକୁ ଚୀନ୍ ସମ୍ବାଦପତ୍ର ‘ଦି ଇକୋନୋମିକ୍ ଡେଲି’ରେ ସମ୍ବାଦ ପ୍ରକାଶିତ ହୋଇଛି । ଲୋକେ ଯେପରି ସହଜରେ ଏବଂ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇବେ, ସେଥିପାଇଁ ଯେଗାଣ ବିଭାଗକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଚୀନ୍‌ରେ ବର୍ତ୍ତମାନ ଲକ୍‌ଡାଉନ ଫେରିଥିବାବେଳେ ସଂକ୍ରମିତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି । ଅନ୍ୟ ଏକ ସୂତ୍ରରୁ କୁହାଯାଇଛି ଯେ ଚୀନ୍‌ରେ ବନ୍ୟା ପରିସ୍ଥିତି ଜଟିଳ ଆକାର ଧାରଣ କରୁଥିବାରୁ ଲୋକଙ୍କୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମହଜୁଦ ନିର୍ଦ୍ଦେଶ ଦିଆଯାଇଛି । ଚୀନ୍‌ର ଏଭଳି ନିର୍ଦ୍ଦେଶନାମାକୁ ଭାରତୀୟ ପ୍ରତିରକ୍ଷା ବିଭାଗ ଗୁରୁତ୍ୱର ସହ ଗ୍ରହଣ କରିଥିବାବେଳେ ଯେକୌଣସି ଜରୁରୀ ପରିସ୍ଥିତିର ଉଚିତ ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ବୋଲି ତିନିବାହିନୀର ମୁଖ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking