29.4 C
Bhubaneswar
Saturday, May 4, 2024
Homeଅପରାଧବାପା-ମାଆକୁ ହତ୍ୟା ପାଇଁ ସୁପାରୀ ଦେଲା ପୁଅ

ବାପା-ମାଆକୁ ହତ୍ୟା ପାଇଁ ସୁପାରୀ ଦେଲା ପୁଅ

ବେଙ୍ଗାଲୁରୁ: ସମ୍ପତ୍ତି ବିବାଦ ସାଜିଲା ସମ୍ପର୍କରେ ଫାଟ । ଜନ୍ମଦାତା ବାପାକୁ ହତ୍ୟା ପାଇଁ ସୁପାରୀ ଦେଇଥିଲା ପୁଅ । କର୍ଣ୍ଣାଟକ ରାଜ୍ୟର ଗଡଗ ଅଞ୍ଚଳରେ ସୁପାରୀ ଦେଇ ୪ ଜଣଙ୍କୁ ହତ୍ୟା ମାମଲାରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତ ଏପ୍ରିଲ ୧୯ ତାରିଖରେ ଗଡଗ ସହରର ଦଶରାଗଲି ଅଞ୍ଚଳରେ ସହରର ପୌରପରିଷଦର ଉପାଧ୍ୟକ୍ଷ ସୁନନ୍ଦା ବକାଲେଙ୍କ ଘରେ କିଛି ଦୁର୍ବୃତ୍ତ ପଶି ୪ ଜଣଙ୍କୁ ହତ୍ୟା କରିଥିଲେ । ସୌଭାଗ୍ୟବଶତଃ ସୁନନ୍ଦା ଓ ତାଙ୍କ ସ୍ୱାମୀ ପ୍ରକାଶ ବକାଲେ ଆକ୍ରମଣରୁ ବର୍ତ୍ତି ଯାଇଥିଲେ । ତେବେ ଏହି ହତ୍ୟାକାଣ୍ଡର ଖିଅକୁ ଖୋଜୁଖୋଜୁ ପୋଲିସ ଅପରାଧୀଙ୍କୁ ମାତ୍ର ୭୨ ଘଣ୍ଟା ମଧ୍ୟରେ ଗିରଫ କରିଥିଲା ।

ନର୍ଥ ଜୋନ ଆଇଜି ବିକାଶ କୁମାର ଏ ସମ୍ପର୍କରେ କହିଛନ୍ତି ଯେ, ଘଟଣା ଘଟିବାର ୩ ଦିନ ମଧ୍ୟରେ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ସାମିଲ ଥିବା ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁନନ୍ଦାଙ୍କ ପୁଅ ବିନାୟକ ବକାଲେ ବୋଲି ଜଣାପଡିଛି । ସେ ସାବତ ମାଆ ଓ ନିଜ ବାପା ପ୍ରକାଶଙ୍କୁ ରାସ୍ତାରୁ ହଟାଇବା ପାଇଁ ଫୈରୋଜ କାଜି, ଜିଶାନ କାଜି, ସାହିଲ କାଜି, ସୋହେଲ କାଜି, ସୁଲତାନ ଶେଖ, ମହେଶ ସୋଲଙ୍କେ ଓ ୱାହିଦ ବେପାରୀଙ୍କୁ ସୁପାରୀ ଦେଇଥିଲା । ବିନାୟକ ହତ୍ୟାକାରୀମାନଙ୍କୁ ୬୫ ଲକ୍ଷର ସୁପାରୀ ଦେଇଥିଲା । ପ୍ରଥମେ ବିନାୟକ ସେମାନଙ୍କୁ ୨ ଲକ୍ଷ ଟଙ୍କା ଆଗୁଆ ଆଡଭାନସରେ ମଧ୍ୟ ଦେଇଥିଲା ।

ଆଇଜି ବିକାଶ କୁମାର ସୂଚନା ଦେଇଛନ୍ତି ଯେ ନିକଟରେ ପିତା ପ୍ରକାଶ ଓ ପୁଅ ବିନାୟକ ମଧ୍ୟରେ ବ୍ୟବସାୟକୁ ନେଇ ବିବାଦ ଦେଖାଦେଇଥିଲା । ଏପରିକି କିଛି ମାସ ପୂର୍ବରୁ ବିନାୟକ ନିଜ ବାପାଙ୍କୁ ନଜଣାଇ କିଛି ସମ୍ପତ୍ତି ବିକ୍ରି କରିଦେଇଥିଲା । ପରେ ଏ ସମ୍ପର୍କରେ ପିତା ପ୍ରକାଶ ଜାଣିବା ପରେ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡା ହୋଇଥିଲା । ତେଣୁ ବାପା ପ୍ରକାଶ, ସାବତ ମାଆ ସୁନନ୍ଦା ଓ ଭାଇ କାର୍ତ୍ତିକକୁ ନିଜ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ବିନାୟକ । ପୁଅ କାର୍ତ୍ତିକର ନିର୍ବନ୍ଧ ପାଇଁ ପରିବାରର ସମ୍ପର୍କୀୟ ପର୍ଶୁରାମଙ୍କ ସହିତ ତାଙ୍କ ପତ୍ନୀ ଲକ୍ଷ୍ମୀ ଓ ଝିଅ ଆକାଂକ୍ଷା ଘରକୁ ଆସିଥିଲେ । ତେବେ ତଳ ଘରେ ରହିଥିବାରୁ ସେମାନଙ୍କୁ ଧାରୁଆ ମାରଣାସ୍ତ୍ରରେ ହତ୍ୟା କରାଯାଇଥିଲା । ପ୍ରକାଶ ଓ ସୁନନ୍ଦା ରୁମର କବାଟ ନ ଖୋଲି ପୋଲିସକୁ ସୂଚନା ଦେବାରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ପୋଲିସ ସିସିଟିଭିକୁ ଯାଞ୍ଚ କରି ତଦନ୍ତ କରିଥିଲା । ଏହି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଏହି ହାଇପ୍ରୋଫାଇଲ ମର୍ଡର କେସର ସମାଧାନ କରିଥିବାରୁ ପୋଲିସ ଟିମ୍ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking