32.1 C
Bhubaneswar
Friday, April 26, 2024
Homeଓଡିଶା୫ ଯାଏ ଦକ୍ଷିଣ ଉପକୂଳରେ ବର୍ଷା : ଥରାଉଛି କୋହଲା ପାଗ

୫ ଯାଏ ଦକ୍ଷିଣ ଉପକୂଳରେ ବର୍ଷା : ଥରାଉଛି କୋହଲା ପାଗ

ଭୁବନେଶ୍ୱର:  ରାଜ୍ୟକୁ ଗତ କିଛିଦିନ ହେବ ଉତ୍ତର ପଟୁ ଥଣ୍ଡା ପବନ ବହୁଛି । ଏବେ ତା’ସହ ପୂର୍ବ ପଟୁ ଥଣ୍ଡା ପବନ ବହିବା ଆରମ୍ଭ ହୋଇଛି । ଏହି ସ୍ଥିତିରେ ପୂରୁବା ତରଙ୍ଗାୟିତ ପ୍ରବାହ ତଥା ଉତ୍ତର ଶ୍ରୀଲଙ୍କାରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ଯାଏ ଲମ୍ବିଥିବା ନିମ୍ନ-ଚାପ ରେଖା ପ୍ରଭାବରେ ଉପକୂଳ ତଥା ତତ-ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ କୋହଲା ପାଗ ଲାଗିରହିଛି । ଯାହାକି ରାଜ୍ୟର ରାତ୍ରୀ ତାପମାତ୍ରା ହ୍ରାସ କରାଉଥିବାବେଳେ ଜନସାଧାରଣଙ୍କୁ ପ୍ରାକ୍ ଶୀତର ଅନୁଭବ କରାଉଛି । କୋହଲା ପାଗକୁ ପ୍ରବାହିତ ଥଣ୍ଡା ପବନ ଦେହ ଥରାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ତଥା ରାତ୍ରୀ ତାପମାତ୍ରା ନିମ୍ନଗାମୀ ହୋଇଛି ।

ସମୟତଳ ଅଞ୍ଚଳରେ ୧୯ରୁ ୨୦ ଡିଗ୍ରୀ ରହୁଥିବାବେଳେ ଉପକୂଳରେ ୨୨ରୁ ୨୪ ଡିଗ୍ରୀ ଏବଂ ପାହାଡ଼ି ଅଞ୍ଚଳରେ ପାରଦ ୧୩ରୁ ୧୫ ଡିଗ୍ରୀ ମଧ୍ୟରେ ରହିଛି । ଦାରିଙ୍ଗବାଡ଼ୀରେ ସର୍ବନିମ୍ନ ତାପମାତ୍ରା ଖସି ୧୩.୫ ଡିଗ୍ରୀରେ ପହଞ୍ଚିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।
ସେହିପରି ଉତ୍ତର ଶ୍ରୀଲଙ୍କାରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ଯାଏ ଲମ୍ବିଥିବା ନିମ୍ନ-ଚାପ ରେଖା ପ୍ରଭାବରେ ଆସନ୍ତା ୫ ତାରିଖ ଯାଏଁ ଦକ୍ଷିଣ ଉପକୂଳ ଅଞ୍ଚଳରେ ଲଗାଣ ବର୍ଷା ହେବ । ଆସନ୍ତାକାଲି ମାଲକାନାଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଉକ୍ତ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଉପରୋକ୍ତ ୩ ଜିଲ୍ଲା ସମେତ ରାୟଗଡ଼ା, ନବରଙ୍ଗୁପର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୂଆପଡ଼ା, ସୋନପୁର, ବଲଶଙ୍ଗୀର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଉପରୋକ୍ତ ଜିଲ୍ଲାଗୁଡ଼ିକ ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଳାରେ ରାତ୍ରୀ ପାରଦ ନିମ୍ନଗାମୀ ହେବା ସହ ଦିନରେ ପାଗ ଖରାଟିଆ ରହିବ ବୋଲି ପାଣିପାଗ ବିଜ୍ଞାନୀ ଆଶଙ୍କା ପ୍ରକାଶ କରିଛନ୍ତି ।
ସୂଚନାଥାଉ କି, ରାଜ୍ୟରେ ଏବେ ଧିରେ ଧିରେ ଶୀତ ଅନୁଭୂତ ହେଉଛି । ଏକାଧିକ ଜିଲ୍ଲାରେ ସକାଳୁ କୁହୁଡ଼ି ଦେଖିବାକୁ ମିଳୁଛି । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ସକାଶେ ରାଜ୍ୟରେ ବିଶେଷ କରି ପାଗ କୋହଲା ରହୁଛି ।

ତା ସହ କିଛି କିଛି ସ୍ଥାନରେ କାଁ ଭାଁ ବର୍ଷା ମଧ୍ୟ ହେଉଛି । ଗତ ଅକ୍ଟୋବର ମାସରେ ରାଜ୍ୟରେ ବର୍ଷା ପରିମାଣ ସ୍ୱାଭାବିକ ଥିବାବେଳେ ଆସନ୍ତା ନଭେମ୍ବର ୧୮ ଯାଏଁ ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା ହେବ । ଯାହାକି ଶୀତର ପରିମାଣକୁ ବଢ଼ାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ କହିଛନ୍ତି । ଦକ୍ଷିଣ ଓଡ଼ିଶା ଉପକୂଳର କିଛି ଜିଲ୍ଲାରେ ଲଗାତାର ଏବେ କିଛିଦିନ ବର୍ଷା ହେବ । ବିଶେଷ ଭାବେ ମାଲକାନାଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇପାରେ । ଆସନ୍ତା ୫ ଦିନ ରାଜ୍ୟ ପାଣିପାଗରେ କିଛି ବିଶେଷ ପରିବର୍ତ୍ତନ ନଥିବାବେଳେ ଉପରୋକ୍ତ ୭ ଜିଲ୍ଲାରେ ବର୍ଷାର ପ୍ରଭାବ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରିଛି ।

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ସ୍ୱାଭାବିକଠାରୁ ୧୧୨% ଅଧିକ ବର୍ଷା ରେକର୍ଡ ହୋଇଛି । ମାଲକାନାଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମରେ ଏହି ବର୍ଷା ରେକର୍ଡ ହୋଇଥିବାବେଳେ ଗଜପତିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି, ଏହା ସ୍ୱାଭାବିକରୁ ୩୨% ଅଧିକ ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ସେପଟେ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟ ରାଜ୍ୟରେ ବର୍ଷା ପରିମାଣ ସ୍ୱାଭାବିକ ରହିଛି । ଗତ ଅକ୍ଟୋବର ୧ରୁ ନଭେମ୍ବର ୨ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୮୩.୫ ମିମି ବର୍ଷା ରେକର୍ଡ ହୋଇଛି, ଏହା ସ୍ୱାଭାବିକରୁ ୧୯% କମ ଥିବାବେଳେ  ତାହା ସ୍ୱାଭାବିକ ବର୍ଷା ଭାବେ ପରିଗଣିତ ହେଉଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking