33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସରକାରୀ ସ୍କୁଲରେ ପଢ଼ିଲେ ଆସନ ସଂରକ୍ଷଣ

ସରକାରୀ ସ୍କୁଲରେ ପଢ଼ିଲେ ଆସନ ସଂରକ୍ଷଣ

ଭୁବନେଶ୍ୱର : ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏଣିକି ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସିଟ୍ ସଂରକ୍ଷଣ ହେବ । ସୋମବାର ରାଜ୍ୟ କ୍ୟାବିନେଟ ବୈଠକରେ ସେହି ପ୍ରତିଶ୍ରୁତି ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାର ଏଥିପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ, ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏଣିକି ଆସନ ସଂରକ୍ଷଣ ବ୍ୟବସ୍ଥା ରହିବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଏହି ସଂରକ୍ଷଣ ଦିଆଯିବ । ଆଗାମୀ ଶିକ୍ଷାବର୍ଷରୁ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ଏକ ସଂକଳ୍ପ ପାରିତ କରିଛନ୍ତି । ଏହି ସଂକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ଦେବା ପରେ ଚୂଡ଼ାନ୍ତ ରୂପ ଦେବା ନିମନ୍ତେ ଏକ କମିଟି ଗଠନ ହେବ ।

ଏଥିରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଅଧ୍ୟକ୍ଷ ରହିବେ । ତିନି ମାସ ମଧ୍ୟରେ କମିଟିର ରିପୋର୍ଟ ଦେବ । ସେହି ରିପୋର୍ଟ ଆଧାରରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବା ସହ ଆସନ୍ତା ଶିକ୍ଷା ବର୍ଷରୁ ତାହାକୁ ଲାଗୁ କରିବେ । ଏହାଦ୍ୱାରା ‘ଜେଇଇ’ ଓ ‘ନିଟ୍‌’ ଭଳି ଏକକ ପରୀକ୍ଷା ପ୍ରବର୍ତ୍ତନ ପରେ ଯେଉଁ ସମସ୍ୟା ସୃଷ୍ଟି ହେଉଥିଲା ତାହା ଆଉ ହେବ ନାହିଁ । ଡାକ୍ତରୀ ଓ ଇଞ୍ଜିନିୟରିଂ ନାମଲେଖାରେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ସୁଯୋଗ ପାଇପାରିବେ । ସରକାରୀ ସ୍କୁଲରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀମାନେ ନ୍ୟାୟ ପାଇବା ସହ ନିଜ ଦକ୍ଷତାର ସର୍ବୋତ୍ତମ ପ୍ରଦର୍ଶନ କରିପାରିବେ । ଆଉ ଉଚ୍ଚଶିକ୍ଷାର ସ୍ପପ୍ନ ବି ସେମାନଙ୍କର ସାକାର ହେବ । ଆତ୍ମବିଶ୍ୱାସ ମଧ୍ୟ ଦ୍ୱିଗୁଣିତ ହେବ । ବିଶେଷକରି ଗ୍ରାମାଞ୍ଚରେ ପିଲାମାନେ ଅଧିକ ଲାଭବାନ ହେବେ ।

ସମ୍ପତ୍ତି ତାଲିକା ବାଧ୍ୟତାମୂଳକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ କଥା ରଖିଛନ୍ତି । ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଏବଂ ଛୋଟ କର୍ମଚାରୀଙ୍କ ଠାରୁ ମୁଖ୍ୟ ଶାସନ ସଚିବଙ୍କ ଯାଏଁ ସମସ୍ତଙ୍କ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ କ୍ୟାବିନେଟ ବୈଠକରେ ସୋମବାର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହୋଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜେଡିର ରାଜ୍ୟ ପରିଷଦ
ବୈଠକରେ ଏହି ଘୋଷଣା କରିଥିଲେ । ସେତେବେଳେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଠିକ୍ ସାତ ଦିନ ପରେ ତାହାକୁ କାର୍ଯ୍ୟରେ ପରିଣତ କରିଛନ୍ତି ଏବଂ ଦଳୀୟ କାର୍ଯ୍ୟକ୍ରମର ଏକ ନିଷ୍ପତ୍ତିକୁ ସରକାରୀ ସ୍ତରରେ ପାଳନ କରି ଶ୍ରୀ ପଟ୍ଟନାୟକ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍‌ସିଂ ଜରିଆରେ କ୍ୟାବିନେଟ ବୈଠକରେ
ଅଧ୍ୟକ୍ଷତା କରିଥିଲେ । ବୈଠକରେ ୧୨ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହି ନିଷ୍ପତ୍ତିି ସଂପର୍କରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ରାଜ୍ୟ ସରକାର ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଯୋଗାଇ ଦେବାରେ ପ୍ରତିଶ୍ରୁତି ବଦ୍ଧ । ଦୁର୍ନୀତି ହିଁ ବିକାଶର ବଡ଼ ଶତ୍ରୁ ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର କହିଆସିଛନ୍ତି । ତେଣୁ ଦୁର୍ନୀତିକୁ ମୂଳୋତ୍ପାଟନ ନକଲେ ଲଢ଼େଇ ମୂଲ୍ୟହୀନ ।

ଦୁର୍ନୀତିଖୋରଙ୍କ ସମ୍ପତ୍ତିବ୍ୟାଜାପ୍ତି କରିବାରେ ଓଡ଼ିଶା ଆଗରେ ରହିଛି । ଦୁର୍ନୀତି ବିରୋଧରେ ସାଲିସବିହୀନ ଲଢ଼େଇ କରି ଆମ ରାଜ୍ୟ ଦେଶରେ ସୁନାମ ଆଣିଛି । ସ୍ୱଚ୍ଛତା ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଆମ ସରକାର ଦୁର୍ନୀତି ବିରୋଧରେ ଲଢ଼ୁଛି ଏବଂ ସମ୍ପତ୍ତି ତାଲିକା ପ୍ରଦାନ କରିବା ବାଧ୍ୟତାମୂଳକ କରିଛି । ସେ ପୁଣି କହିଥିଲେ, ସରପଞ୍ଚ, ବ୍ଲକ ଚେୟାରମ୍ୟାନ, ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି, ବିଧାୟକ, ମନ୍ତ୍ରୀ ଓ ସର୍ବୋପରି ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ନିଜର ସମ୍ପତ୍ତି ତାଲିକା ଦେବେ । ଜନସାଧାରଣଙ୍କ ସୂଚନା ନିମନ୍ତେ ‘ପବ୍ଲିକ ଡୋମେନ’ରେ ତାହା ରଖାଯିବ । ଅନ୍ୟପକ୍ଷରେ ସମସ୍ତ ସରକାରୀ କର୍ମଚାରୀ ପ୍ରତିବର୍ଷ ସମ୍ପତ୍ତି ତାଲିକା ମଧ୍ୟ ଦେବେ । ଛୋଟ କର୍ମଚାରୀଙ୍କଠାରୁ ମୁଖ୍ୟ ଶାସନ ସଚିବଙ୍କ ଯାଏଁ ସମସ୍ତେ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ । ଏହି ସମ୍ପତ୍ତିତାଲିକା ସର୍ବସାଧାରଣରେ ପ୍ରକାଶ କରାଯିବ । ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କର ସମ୍ପତ୍ତି ତାଲିକା ପ୍ରତି ବର୍ଷ ଲୋକାୟୁକ୍ତଙ୍କ ପାଖରେ ଦାଖଲ କରାଯିବ । ଦୁର୍ନୀତି ରୋକିବା ପାଇଁ ଏଭଳି କଡ଼ା ପଦକ୍ଷେପ ନେବାରେ ଓଡ଼ିଶା ସାରା ଭାରତରେ ପ୍ରଥମ ରାଜ୍ୟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking