30.1 C
Bhubaneswar
Wednesday, May 1, 2024
Homeଓଡିଶାବିଜେଡି ନେତାଙ୍କୁ ସୁରକ୍ଷା ପ୍ରଦାନରୁ ନିବୃତ ରୁହନ୍ତୁ ସରକାରୀ ଅଧିକାରୀ : ସମୀର ମହାନ୍ତି

ବିଜେଡି ନେତାଙ୍କୁ ସୁରକ୍ଷା ପ୍ରଦାନରୁ ନିବୃତ ରୁହନ୍ତୁ ସରକାରୀ ଅଧିକାରୀ : ସମୀର ମହାନ୍ତି

ଭୁବନେଶ୍ୱର : ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି । କିନ୍ତୁ ଓଡ଼ିଶାରେ ନବୀନ ବାବୁ ସରକାର ଚଳାଉନାହାନ୍ତି ବରଂ ‘କା’ (ଭିକେ ପାଣ୍ଡିଆନ) ସରକାର ଚଳାଉଛନ୍ତି । ଓଡିଶାରେ ସମ୍ବିଧାନ ବହିର୍ଭୁତ କ୍ଷମତା କେନ୍ଦ୍ର ତିଆରି ହେବା ଗଣତନ୍ତ୍ର ପାଇଁ ବିପଦଜନକ । ଯାଜପୁର ବାରବାଟୀ ବସ୍ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଦଳରେ ଭେଟିଛନ୍ତି ବିଜେଡିର ମୁରବୀ ସାଜିଥିବା ଶ୍ରୀ ପାଣ୍ଡିଆନ । ରୋଗିଙ୍କ ଚିକିତ୍ସା ଅପେକ୍ଷା ସରକାରୀ ଅଧିକାରୀମାନେ ପାଣ୍ଡିଆନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଥିଲେ । ସରକାରୀ କଳକୁ ସାଥିରେ ନେଇ ବିଜୁ ଜନତା ଦଳର ମୁରବୀ ସାଜିଥିବା ବିଜେଡିର ସାଧାରଣ ସଦସ୍ୟ ଭିକେ ପାଣ୍ଡିଆନଙ୍କୁ କଡା ସୁରକ୍ଷା ଯୋଗାଇ ଦିଆଯାଇଛି, ଯାହା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲଘଂନ କରୁଛି ।

ଶ୍ରୀ ପାଣ୍ଡିଆନଙ୍କ ସହ ଚୌଦ୍ୱାର-କଟକ ବିଧାୟକ ତଥା ଘୋଷିତ ପ୍ରାର୍ଥୀ ସୌଭିକ ବିଶ୍ୱାଳ, ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଏସପି ଶ୍ରୀ ଭିନିତ ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ରହି ସୁରକ୍ଷା ଯୋଗାଉଥିଲେ । ବିଜୁ ଜନତା ଦଳର ଜଣେ ନେତା ଭିକେ ପାଣ୍ଡିଆନଙ୍କ ପାଇଁ କମିଶନରେଟ ପୋଲିସ ତରଫରୁ ଯେଉଁ ବ୍ୟବସ୍ଥା କରାଯାଇଥିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ସରକାରୀ ଅଧିକାରୀମାନଙ୍କ ଏଭଳି ଉପସ୍ଥିତି ରାଜ୍ୟରେ ଏକ ସ୍ୱଚ୍ଛ, ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନକୁ ନେଇ ଅନେକ ସନ୍ଦେହ ସୃଷ୍ଟି କରୁଛି । ଅନ୍ୟପକ୍ଷରେ ଅଧିକାରୀମାନଙ୍କ ତ୍ରୁଟି ଧରାପଡିଲେ ବିଜୁ ଜନତା ଦଳର ନେତାମାନେ ବିବ୍ରତ ଓ ପ୍ରତିକ୍ରିୟାଶୀଳ ହେଉଛନ୍ତି ବୋଲି ଅଭିଯୋଗ କରି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛି ।

ଆଇନକାନୁନ ଓ ନିୟମକୁ ଜଳାଞ୍ଜଳୀ ଦେଇଥିବା ବିଜେଡି ସରକାର ଗୋଟିଏ ପରେ ଗୋଟିଏ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରିଚାଲିଛି । ରାଜ୍ୟ ସରକାରଙ୍କ ଅଧିନରେ ଥିବା ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷର ଯୁଗ୍ମ କମିଶନର ଗତ ଏପ୍ରିଲ ୧୦ ତାରିଖ ଦିନ ୩ ଜଣ ଡିଇଓଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହା ସଂପୂର୍ଣ୍ଣ ଭାବେ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ତେଣୁ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ ଜଣାଇଛନ୍ତି । ନିର୍ବାଚନ ସମୟରେ ବିଜେଡି ସର୍ବଦା ଅଶାନ୍ତ ବାତାବରଣ ସୃଷ୍ଟି କରେ । ଭୋଟ ହାତେଇବା ପାଇଁ କିଛି ପ୍ରଶାସନିକ ଅଧିକାରୀମାନଙ୍କୁ ବିଜେଡିର କର୍ମୀ ଭଳି ବ୍ୟବହାର କରାଯାଏ । କିନ୍ତୁ ଡ୍ରାମାବାଜି କରି ବିଜେପି ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡି ଅଭିଯୋଗ କରେ । ଏହାକୁ ଭଲ ଭାବେ ଜାଣି ସାରିଛନ୍ତି ଓଡିଶାବାସୀ ଏବଂ ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଦିଲୀପ ମଲ୍ଲିକ, ରାଜ୍ୟ ସଂପାଦକ କସ୍ତୁରୀ ମିଶ୍ର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking